ବିଚିତ୍ର ସ୍ଥିତି, ଦିନକୁ ଦିନ ଜଟିଳ ହେଉଛି ଡାକ୍ତର ସମସ୍ୟା: ୧୮୦୦ ସଂରକ୍ଷିତ ଡାକ୍ତର ପଦବି ପାଇଁ ୩୦୦ ଆବେଦନକାରୀ

ଅନ୍ୟପଟେ ୧୯୬ ଅସଂରକ୍ଷିତ ପଦବିକୁ ୧୮ ଶହ ଆଶାୟୀ

କଟକ: ରାଜ୍ୟରେ ଡାକ୍ତର ଅଭାବ କଥା କୁହାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ରାଜ୍ୟରେ ନିଯୁକ୍ତି ଆଶାରେ ଅନେକ ଡାକ୍ତର ଥିଲେ ବି ତାଙ୍କୁ ସରକାରୀ ନିଯୁକ୍ତି ସୁଯୋଗ ମିଳୁନି। ବିଶେଷ କରି ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ଏହି ସମସ୍ୟା ଅଧିକ ରହୁଛି। ଗୋଟିଏ ପଟେ ସଂରକ୍ଷିତ ବର୍ଗର ଆଶାୟୀଙ୍କ ଠାରୁ ପଦବି ସଂଖ୍ୟା ଅଧିକ ରହୁଥିବା ବେଳେ ଅନ୍ୟପଟେ ଅସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ତୁଳନାରେ ପଦବି ସଂଖ୍ୟା କମ୍ ରହୁଛି। ଏଭଳି ସ୍ଥିତିରେ ଶହଶହ ସଂରକ୍ଷିତ ପଦବି ପୂରଣ ନ ହୋଇ ବର୍ଷ ବର୍ଷ ଧରି ଖାଲି ପଡ଼ୁଛି। ପୂରଣ ହୋଇ ପାରୁ ନଥିବା ସଂରକ୍ଷିତ ପଦବିକୁ ଅସଂରକ୍ଷିତ କରିବାର ବ୍ୟବସ୍ଥା ଥିଲେ ବି ଏ କ୍ଷେତ୍ରରେ ସରକାରୀ ସ୍ତରରେ ଶିଥିଳତା ଦିନକୁ ଦିନ ଡାକ୍ତର ଅଭାବ ଜନିତ ସମସ୍ୟାକୁ ଅଧିକ ଜଟିଳ କରୁଛି।

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ଙ୍କ ଦ୍ବାରା ଡାକ୍ତର ନିଯୁକ୍ତି ପ୍ରକ୍ରିୟା ସଂପାଦିତ ହୋଇଥାଏ। ଗତବର୍ଷ ୨୪୫୨ ଡାକ୍ତର ପଦ ପାଇଁ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ବାହାରିଥିଲା। କିନ୍ତୁ ସେଥିରୁ ନିଯୁକ୍ତି ପାଇଁ ଚୟନ ହେଲେ ମାତ୍ର ୭୯୬ ଜଣ। ଏମାନଙ୍କ ମଧ୍ୟରୁ ୨ ଶହ ଡାକ୍ତର ବିଭିନ୍ନ କାରଣରୁ କାର୍ଯ୍ୟରେ ଯୋଗ ଦେଲେନି। ଚଳିତ ବର୍ଷ ଓପିଏସସି ପୁଣି ୧୮୭୧ଟି ଡାକ୍ତର ପଦ ପୂରଣ ପା‌ଇଁ ବିଜ୍ଞପ୍ତି ପ୍ରକା‌ଶ କରିଛି। କିନ୍ତୁ ସେଥିରୁ ମାତ୍ର ୧୯୬ଟି ପଦ ଅସଂରକ୍ଷିତ ରହିଛି। ୨୦୨୦-୨୧ ବର୍ଷରେ ପ୍ରକାଶିତ ବିଜ୍ଞପ୍ତିରେ ୬୩୩ଟି ପଦବି ଅସଂରକ୍ଷିତ ଥିବା ବେଳେ ଏସ୍‌ଇବିସି ପାଇଁ ୧୨୪, ଏସ୍‌ସି ୬୫୩, ଏସ୍‌ଟି ପାଇଁ ୧୦୪୨ ପଦବି ସହ ମୋଟ ୨୪୫୨ ପଦବି ପାଇଁ ବିଜ୍ଞପ୍ତି ବାହାରିଥିଲା। ଏଥି ପାଇଁ ୧୯ ଶହ ଆଶାୟୀ ଆବେଦନ କରିଥିଲେ। କିନ୍ତୁ ନିଯୁକ୍ତି ଦିଆଗଲା ୭୯୬ ଜଣଙ୍କୁ। ସେଥିରୁ ୨ ଶହ ବିଭିନ୍ନ କାରଣ ପାଇଁ କାର୍ଯ୍ୟରେ ଯୋଗ ଦେଲେନି। ଅସଂରକ୍ଷିତ ୬୩୩ଟି ପଦବି ପାଇଁ ସାଧାରଣ ବର୍ଗର ଆବେଦନକାରୀଙ୍କ ସଂଖ୍ୟା ଥିଲା ୧୬ ଶହ।

ଅନ୍ୟପଟେ ୧୮୧୯ଟି ସଂରକ୍ଷିତ ପଦବି ପାଇଁ ଆବେଦନକାରୀଙ୍କ ସଂଖ୍ୟା ଥିଲା ମାତ୍ର ୩ ଶହ। ଏସ୍‌ସି, ଏସ୍‌ଟି ବର୍ଗ ପାଇଁ ପ୍ରାର୍ଥୀ ନ ମିଳିବାରୁ ତାହା ଖାଲିପଡ଼ିଲା। ଅନ୍ୟପଟେ ନଭେମ୍ବର ୬ ତାରିଖ ଦିନ ମୋଟ ୧୮୭୧ ଡାକ୍ତର ପଦ ପାଇଁ ବିଜ୍ଞପ୍ତି ବାହାରିଥିବା ବେଳେ ସେଥିରୁ ୧୯୬ଟି ଅସଂରକ୍ଷିତ, ଏସ୍‌ଇବିସିଙ୍କ ପାଇଁ ୧୧୪, ଏସ୍‌ସି ୫୭୬, ଏସ୍‌ଟି ପାଇଁ ୯୮୫ ପଦବି ରହିଛି। କିନ୍ତୁ ଏବେ ରାଜ୍ୟରେ ମୋଟ ୨୨ ଶହ ଡାକ୍ତର ନିଯୁକ୍ତି ଆଶାୟୀ ଥିବାବେଳେ ସେମାନଙ୍କ ମଧ୍ୟରୁ କେବଳ ୧୮ଶହ ହେଉଛନ୍ତି ଅସଂରକ୍ଷିତ ବର୍ଗର। ‌ଏଭଳି ସ୍ଥିତି ବର୍ଷ ବର୍ଷ ଧରି ଲାଗି ରହୁଥିବାରୁ ଅସଂରକ୍ଷିତ ବର୍ଗର ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି। ଦୀର୍ଘ ଦିନ ଧରି ଖାଲି ପଡୁଥିବା ସଂରକ୍ଷିତ ପଦବିକୁ ଅସଂରକ୍ଷିତ ନ କଲେ ଏହି ସମସ୍ୟା ଆଗକୁ ଅଧିକ ଗୁରୁତର ହେବ। ଏସ୍‌ସିବି ମେଡିକାଲ କଲେଜ ଛାତ୍ର ସଂସଦର ପୂର୍ବତନ ସଭାପତି ଡାକ୍ତର ଦୀପକ କୁମାର ସାମଲ କହିବା ଅନୁଯାୟୀ ଗୋଟିଏ ପଟେ ନୂଆ ମେଡ଼ିକାଲ କଲେଜ୍ ଖୋଲିବା ସହ ସାଧାରଣ ବର୍ଗର ଡାକ୍ତରଙ୍କୁ ବେକାର କରିବା ଚିନ୍ତାଧାରାରେ ସ୍ୱାସ୍ଥ୍ୟ ବିଭାଗ ରହିଛି। ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ବୃହତ୍ ସ୍ବାର୍ଥ ଦୃଷ୍ଟିରୁ ଏଥିପ୍ରତି ଦୃଷ୍ଟି ଦେବା ସହ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ସଂରକ୍ଷିତ ପଦବି ପୂରଣ ହୋଇ ନ ପାରିଲେ ନିୟମ ଅନୁସାରେ ଅସଂରକ୍ଷିତକୁ ପରିବର୍ତ୍ତନ କରିବାର ନିୟମ ଥିଲେ ବି ଓଡ଼ିଶା ସରକାର ପଛଘୁଞ୍ଚା ଦେବା ଘଟଣା ସମସ୍ୟାକୁ ଜଟିଳ କରୁଛି ବୋଲି ଡାକ୍ତର ସାମଲ କହିଛନ୍ତି।

ସମ୍ବନ୍ଧିତ ଖବର