ହାଇକୋର୍ଟରେ ଆଇଟିଆର୍ ତଥ୍ୟ ଚୋରି ମାମଲା: କେନ୍ଦ୍ର, ରାଜ୍ୟକୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

କଟକ: ଚାନ୍ଦିପୁର ଆଇଟିଆର ତଥ୍ୟ ଚୋରି ମାମଲାରେ ହାଇକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ପରବର୍ତ୍ତୀ ଶୁଣାଣିର ଏକ ସପ୍ତାହ ପୂର୍ବରୁ ଉଭୟ ତଦନ୍ତର ସାନି ସ୍ଥିତି ସମ୍ପର୍କରେ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟପାଠର କପି ଆବେଦନକାରୀଙ୍କୁ ପ୍ରଦାନ କରାଯିବ। ଏହାପରେ ଆବେଦନକାରୀ ସତ୍ୟପାଠ ଉପରେ ଜବାବ ରଖିବେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ.ମୁରଲୀଧର ଓ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ଏକ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୭କୁ ଧାର୍ଯ୍ୟ କରାଯାଇଛି।

ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆଙ୍କ ପକ୍ଷରୁ ଏହି ଜନସ୍ବାର୍ଥ ମାମଲ ଆଗତ କରାଯାଇଛି। ଆବେଦନରେ ଦର୍ଶାଯାଇଛି ଯେ ୧୯୮୨ରେ ଚାନ୍ଦିପୁରଠାରେ ଇଣ୍ଟି‌‌େଗ୍ରଟେଡ୍ ଟେଷ୍ଟ୍ ରେଞ୍ଜ୍(ଆଇଟିଆର) ପ୍ରତିଷ୍ଠା କରାଯାଇଥିବାବେଳେ ଦେଶର ସୁରକ୍ଷା ଦୃଷ୍ଟିକୋଣରୁ ଏହା ବହୁ ଗୁରୁତ୍ବ ବହନ କରେ। ଏହାର ତଥ୍ୟ ଚୋରି ଘଟଣାରେ ଗିରଫ ଅଭିଯୁକ୍ତଙ୍କଠାରୁ ‌ଜେରା ସମୟରେ ବହୁ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ଗିରଫ ଅଭିଯୁକ୍ତମାନେ ବ‌ିଦେଶୀ ମହିଳାଙ୍କ ସହିତ ସଂପର୍କରେ ଥିଲେ ଏବଂ ବିଦେଶରୁ ମଧ୍ୟ ଅର୍ଥ ଆସିଥିବା ଜଣାପଡ଼ିଛି। ଏହି ଦୃଷ୍ଟିକୋଣରୁ ଘଟଣାର ତଦନ୍ତ ଭାର ସିବିଆଇ ଓ ଏନ୍‌ଆଇଏ ଭଳି କୌଣସି କେନ୍ଦ୍ରୀୟ ସଂସ୍ଥାକୁ ଦିଆଯିବା ଉଚିତ। ନଚେତ୍‌ ପ୍ରତିରକ୍ଷା ସଂପର୍କିତ ଏହି ତଥ୍ୟ ଚୋରି ମାମଲାର ଫଳପ୍ରଦ ତଦନ୍ତ ହୋଇପାରିବ ନାହିଁ। ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ, ସିବିଆଇ, ଏନଆଇଏ, ଆଇଟିଆର ନିର୍ଦ୍ଦେଶକ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର