ହାଇକୋର୍ଟରେ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ: ଉଚ୍ଛେଦ, ନିର୍ମାଣ ଭଙ୍ଗା ଉପରୁ ଅଙ୍କୁଶ ଉଠିଲା

କଟକ: କରୋନା ସଂକ୍ରମଣକୁ ନେଇ ଦେଖା ଦେଇଥିବା ପରିସ୍ଥିତିକୁ ବିଚାରକୁ ନେଇ ରାଜ୍ୟରେ ଉଚ୍ଛେଦ, ନିର୍ମାଣ ଭଙ୍ଗା ଉପରେ ଜାରି କରି ଏପ୍ରିଲ ୨୯ରେ ହାଇକୋର୍ଟ ପ୍ରଦାନ କରିଥିବା ଅଙ୍କୁଶ ଉଠିଛି। ଏ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏପ୍ରିଲ ୨୯ର ଅନ୍ତରୀଣ ନିର୍ଦ୍ଦେଶ ଆଉ ବଳବତ୍ତର ରଖିବା ଆବଶ୍ୟକ ନାହିଁ ବୋଲି କହିବା ସହିତ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ଜୁଲାଇ ୩୧ରେ ରାଜ୍ୟ ସରକାର ପ୍ରକାଶ କରିଥିବା ବିଜ୍ଞପ୍ତି, ସାଧାରଣ ପରିବହନ ଓ ଯାତାୟାତ ଉପରୁ କଟକଣା ଉଠିବା, ହାଇକୋର୍ଟ ଓ ନିମ୍ନ ଅଦାଲତରେ ହାଇବ୍ରିଡ୍ ବ୍ୟବସ୍ଥାରେ ଶୁଣାଣି ଆରମ୍ଭ ପ୍ରସଂଗକୁ ବିଚାରକୁ ନେଇ ହାଇକୋର୍ଟ ଏପ୍ରିଲ ୨୯ର ଅନ୍ତରୀଣ ନିର୍ଦ୍ଦେଶ ଆଉ ଜାରି ରହିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡକ୍ଟର ଏସ୍‌. ମୁରଲୀଧର ଓ ଜଷ୍ଟିସ ବିପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ସାରାଦେଶରେ କରୋନା ସଂକ୍ରମଣ ସ୍ଥିତିକୁ ବିଚାରକୁ ନେଇ ୨୦୨୧, ଏପ୍ରିଲ୍‌ ୨୭ରେ ସୁପ୍ରିମକୋର୍ଟ କେତେକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହା ପରେ ହାଇକୋର୍ଟ କରୋନା ସଂକ୍ରମଣ ସ୍ଥିତିକୁ ବିଚାରକୁ ନେଇ ନିଜ ଆଡ଼ୁ ମାମଲା ରୁଜୁ କରିଥିଲେ। କେତେକ ଗୁରୁତ୍ବପୂର୍ଣ୍ଣ ଦିଗକୁ ହାଇକୋର୍ଟ ବିଚାରକୁ ନେଇ ଏପ୍ରିଲ୍‌ ୨୯ରେ ସାନି ନିର୍ଦ୍ଦେଶନାମା ଜାରି କରିଥିଲେ। ପୂର୍ବରୁ ଜାରି କରାଯାଇଥିବା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ, ସୁରକ୍ଷାର ଅବଧି ଜୁନ୍ ୩୦ ପର୍ଯ୍ୟନ୍ତ ସଂପ୍ରସାରିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଏପ୍ରିଲ ୨୯ର ଏହି ନିର୍ଦ୍ଦେଶ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ ଜୁଲାଇ ୧୬ରେ  ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର