ଓଡ଼ିଶାରେ ୨ ବିଶ୍ବବିଦ୍ୟାଳୟ ନକଲି, ନକଲି ତାଲିକାରେ ଦେଶର ୨୪ ବିଶ୍ବବିଦ୍ୟାଳୟ

ଲୋକସଭାରେ ଲିଖିତ ଉତ୍ତରରେ ଜଣାଇଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର, ରାଉରକେଲାର ‘ନବଭାରତ ଶିକ୍ଷା ପରିଷଦ’ କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ/ ରାଉରକେଲା: ଦେଶରେ ୨୪ଟି ନକଲି ବିଶ୍ବବିଦ୍ୟାଳୟ ରହିଥିବା ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଚିହ୍ନଟ କରିଛି। ସଂସଦରେ ଉତ୍‌ଥାପିତ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ସୂଚନା ଦେଇଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ତାଲିକାରେ ଓଡ଼ିଶାର ୨ଟି ଶିକ୍ଷାନୁଷ୍ଠାନ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି, ରାଉରକେଲାସ୍ଥିତ ନବଭାରତ ଶିକ୍ଷା ପରିଷଦ। ଗତ ୨୦୧୫ ମସିହାରେ ଏହି ନକଲି ବିଶ୍ବବିଦ୍ୟାଳୟ ବନ୍ଦ ହୋଇଯାଇଛି। ଏମିତିକି ଏହାର ପ୍ରତିଷ୍ଠାତାଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି। ଅନ୍ୟଟି ହେଉଛି ନର୍ଥ ଓଡିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍‌ଚର ଆଣ୍ଡ୍ ଟେକ୍ନୋଲୋଜି।

ଛାତ୍ରଛାତ୍ରୀ, ଅଭିଭାବକ ଓ ସାଧାରଣ ଜନତାଙ୍କ ଅଭିଯୋଗ ତଥା ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଭିତ୍ତି କରି ଏବଂ ତା’ ଉପରେ ଅନୁସନ୍ଧାନ କରି ୟୁଜିସି ୨୪ଟି ସ୍ବଘୋଷିତ ପ୍ରତିଷ୍ଠାନକୁ ନକଲି ବିଶ୍ବବିଦ୍ୟାଳୟ ବୋଲି ଘୋଷଣା କରିଛି। ତା’ଛଡ଼ା ଆଉ ଦୁଇଟି ପ୍ରତିଷ୍ଠାନ ଯଥା ଭାରତୀୟ ଶିକ୍ଷା ପରିଷଦ, ଲକ୍ଷ୍ନୌ, ଉତ୍ତରପ୍ରଦେଶ ଏବଂ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପ୍ଲାନିଂ ଆଣ୍ଡ୍ ମ୍ୟାନେଜ୍‌ମେଣ୍ଟ (ଆଇଆଇପିଏମ୍‌), କୁତବ ଏନ୍‌କ୍ଲେଭ୍, ନୂଆଦିଲ୍ଲୀ ୟୁଜିସି ଅଧିନିୟମ, ୧୯୫୬କୁ ମାନୁ ନ ଥିବାବେଳେ ସେମାନଙ୍କ ବିରୋଧରେ ମାମଲା କୋର୍ଟରେ ବିଚାରାଧୀନ ରହିଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ସର୍ବାଧିକ ସଂଖ୍ୟକ ୮ଟି ନକଲି ବିଶ୍ବବିଦ୍ୟାଳୟ ଅଛି ଉତ୍ତରପ୍ରଦେଶରେ। ସେହିପରି ଦିଲ୍ଲୀରେ ଦ୍ବିତୀୟ ସର୍ବାଧିକ ୭ଟି ନକଲି ବିଶ୍ବବିଦ୍ୟାଳୟ ଅଛି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ଏପରି ଦୁଇଟି ଲେଖାଏ ନକଲି ବିଶ୍ବବିଦ୍ୟାଳୟ ଅଛି, ଯଥା- ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଅଲ୍‌ଟର୍ନେଟିଭ୍ ମେଡିସିନ୍, କୋଲକାତା, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଅଲ୍‌ଟର୍ନେଟିଭ୍ ମେଡିସିନ୍ ଆଣ୍ଡ୍ ରିସର୍ଚ୍ଚ,‌ କୋଲକାତା, ନବଭାରତ ଶିକ୍ଷା ପରିଷଦ, ରାଉରକେଲା ଏବଂ ନର୍ଥ ଓଡିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍‌ଚର ଆଣ୍ଡ୍ ଟେକ୍ନୋଲୋଜି।

ଅନ୍ୟପକ୍ଷରେ, ନକଲି ତାଲିକାରେ ନାମ ପ୍ରକାଶ ପରେ ରାଉରକେଲାରେ ‘ନବଭାରତ ଶିକ୍ଷା ପରିଷଦ’ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସ୍ବର୍ଗତ ଚନ୍ଦନ ବେହେରା ୧୯୯୭ ମସିହାରେ ‘ନବଭାରତ ଶିକ୍ଷା ପରିଷଦ’ ପ୍ରତିଷ୍ଠା କରିଥିଲେ। ୨୦୦୧ ମସିହାରେ ଏହା ୟୁଜିସି ଦ୍ବାରା ପଞ୍ଜିକୃତ ହୋଇଥିଲା। ଏହାର ଠିକଣା ଥିଲା ଶକ୍ତିନଗର ପାଣି ଟାଙ୍କି ରୋଡ୍‌ ସ୍ଥିତ ଅନ୍ନପୂର୍ଣ୍ଣା ଭବନ। ଏହି ନକଲି ବିଶ୍ବବିଦ୍ୟାଳୟ ପକ୍ଷରୁ ଦୁଇ ବର୍ଷିଆ ‘ଟିଚର ଟ୍ରେନିଂ’ ପ୍ରୋଗ୍ରାମ୍‌ ଶିକ୍ଷା ଦିଆଯାଉଥିଲା। ଯୁକ୍ତ ଦୁଇ ଓ ଯୁକ୍ତ ତିନି ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କୁ ଜାଲ ବି.ଇଡି, ସିଟି ସାର୍ଟିଫିକେଟ୍‌ ଦିଆଯାଉଥିଲା। ସାର୍ଟିଫିକେଟ ପିଛା ୬୦ ହଜାରରୁ ଆରମ୍ଭକରି ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ନିଆଯାଉଥିଲା। ପ୍ରାୟ ୧୦ ଜଣ ଅଧ୍ୟାପକ ମଧ୍ୟ ନିଯୁକ୍ତ ହୋଇଥିଲେ। ଏମାନେ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ ଶିକ୍ଷା ଦେଉଥିଲେ। ଛାତ୍ରଛାତ୍ରୀମାନଙ୍କୁ ଆନୁଷ୍ଠାନିକ ଶିକ୍ଷା ପ୍ରଦାନ କରାଯାଉନଥିଲା, କେବଳ ସାର୍ଟିଫିକେଟ୍‌ ଇସ୍ୟୁ ହେବା ପୂର୍ବରୁ କିଛି ଦିନ ପାଇଁ ତଥାକଥିତ ଟ୍ରେନିଂ ନେଉଥିଲେ।

ଏହି ଜାଲରେ ରାଉରକେଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଯୁବକଯୁବତୀ ଫସିଯାଇଥିଲେ। ଏମିତିକି ପଡ଼ୋଶୀ ଛାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗର କିଛି ଆଶାୟୀ ମଧ୍ୟ ଠକାମିର ଶିକାର ହୋଇଥିଲେ। ପ୍ରାୟ ୧୮ ବର୍ଷ ଭିତରେ ଶତାଧିକ ଯୁବକଯୁବତୀଙ୍କଠାରୁ ନକଲି ସାର୍ଟିଫିକେଟ୍‌ ବିକି କୋଟିକୋଟି ଟଙ୍କା ଠକେଇ ହୋଇଥିଲା। ଠକାମିର ଶିକାର ଯୁବକଯୁବତୀ ପରବର୍ତ୍ତୀ ସମୟରେ ଏହାକୁ ବିରୋଧ କରିଥିଲେ। ଏମିତିକି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଦ୍ବାରସ୍ଥ ହେବାସହ ଜାଲ ସାର୍ଟିଫିକେଟ ବିକ୍ରି କରୁଥିବା ଶ୍ରୀ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏନେଇ ୟୁଜିସି ତଦନ୍ତ ଆରମ୍ଭ ହେବା ପୂର୍ବରୁ ଶ୍ରୀ ବେହେରା ୨୦୧୫ ମସିହାରେ ଅନୁଷ୍ଠାନକୁ ବନ୍ଦ କରିଦେଇଥିବା କହିଥିଲେ। ଏହାପରେ ଶ୍ରୀ ବେହେରା ହୋଟେଲ ବ୍ୟବସାୟରେ ପଶିଥିଲେ। ୨୦୧୭ ମସିହା ଜାନୁଆରୀ ୮ ତାରିଖ ରାତିରେ ଶ୍ରୀ ବେହେରା ଜଣେ ସହଯୋଗୀଙ୍କ ସହ ପୁରୀ ସ୍ଥିତ ନିଜର ହୋଟେଲକୁ ଫେରୁଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା ମାମଲାରେ ପୁଲିସ ସେତେବେଳେ ସ୍ବର୍ଗତ ବେହେରାଙ୍କ ପତ୍ନୀ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ସମ୍ବନ୍ଧିତ ଖବର