ଶନିବାର ସରକାରୀ ଅଫିସ୍ ଖୋଲା ରହିବ

ଭୁବନେଶ୍ବର: ଅଗଷ୍ଟ ମାସରେ ରାଜ୍ୟରେ ସବୁ ସରକାରୀ ଅଫିସ୍ ସ୍ବାଭାବିକ ଭାବେ ପୂର୍ଣ୍ଣ କ୍ଷମତାରେ ଚାଲିବ। ଆଉ ସବୁ ଶନିବାର ଅଫିସ୍ ବନ୍ଦ ରହିବ ନାହିଁ। ସାଧାରଣ ଦିନ ପରି କେବଳ ଦ୍ବିତୀୟ ଓ ଚତୁର୍ଥ ଶନିବାର ଅଫିସ୍ ବନ୍ଦ ରହିବ। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି। ଯେହେତୁ ବହୁ ସରକାରୀ କର୍ମଚାରୀ ଦୁଇ ଡୋଜ୍ ଟିକା ନେଇସାରିଛନ୍ତି, ତେଣୁ ସେମାନେ ନିୟମିତ ଆସିବା ବାଧ୍ୟତାମୂଳକ। କିନ୍ତୁ ସ୍ବାସ୍ଥ୍ୟଗତ କିମ୍ବା ଅନ୍ୟ କୌଣସି ଯୁକ୍ତିଯୁକ୍ତ କାରଣ ପାଇଁ ଯଦି କୌଣସି କର୍ମଚାରୀ ଟିକା ନେଇ ନ ଥିବେ, ତେବେ ସେମାନେ ବ୍ୟକ୍ତିଗତ ଭାବେ ନିଜ ଅଫିସ୍ କର୍ତ୍ତୃପକ୍ଷଙ୍କୁ ଜଣାଇବେ। କିନ୍ତୁ କର୍ତ୍ତୃପକ୍ଷଙ୍କୁ ନ ଜଣାଇ କୌଣସି କର୍ମଚାରୀ ଅନୁପସ୍ଥିତ ରହିପାରିବେ ନାହିଁ। ସରକାରୀ ଅଫିସ୍‌ଗୁଡ଼ିକରେ କାର୍ଯ୍ୟ ସମ୍ପାଦନ କଲା ବେଳେ ସେଠାରେ ଯେପରି କୋଭିଡ୍ ଗାଇଡ୍‌ଲାଇନ୍ ଠିକ୍ ଭାବେ ପାଳନ କରାଯିବ, ତାହା ଉପରେ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର