ଫକୀରମୋହନ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଇସ୍ତଫା
ଭୁବନେଶ୍ବର / ବାଲେଶ୍ବର: ବାଲେଶ୍ବର ସ୍ଥିତ ଫକୀରମୋହନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଦୀନବନ୍ଧୁ ସାହୁ ଇସ୍ତଫା ଦେଇଛନ୍ତି। ଗତ ୮ ତାରିଖରେ ପ୍ରଫେସର ସାହୁ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିବା ବେଳେ ରାଜ୍ୟପାଳ ତାହାକୁ ଆଜି ଗ୍ରହଣ କରିଛନ୍ତି। ଏଥିସହ ରାଜଭବନ ପକ୍ଷରୁ ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ନୂତନ କୁଳପତି ନିଯୁକ୍ତି ହେବା ପର୍ଯ୍ୟନ୍ତ ବାରିପଦାସ୍ଥିତ ମହରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର କିଶୋର ବସା ଭାରପ୍ରାପ୍ତ ଦାୟିତ୍ବରେ ରହିବେ। ନିୟମିତ କୁଳପତି ଯୋଗଦେବା ପର୍ଯ୍ୟନ୍ତ ନହେଲେ ଆସନ୍ତା ୩ ମାସ ପର୍ଯ୍ୟନ୍ତ ପ୍ରଫେସର ବାସା ଦାୟିତ୍ବ ତୁଲାଇବେ।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ୟକ୍ତିଗତ ସମସ୍ୟା ଯୋଗୁଁ ସେ ଇସ୍ତଫା ଦେଇଥିବା ପ୍ରଫେସର ସାହୁ ତାଙ୍କର ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ କାର୍ଯ୍ୟରେ ଯୋଗଦେବାର ୪ ମାସ ନ ବିତୁଣୁ ସେ କାହିଁକି କୁଳପତି ପଦ ଛାଡ଼ିଲେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯିଏ ଦିନେ ଏଫ୍ଏମ୍ ବିଶ୍ବବିଦ୍ୟାଳୟକୁ ବିଶ୍ବସ୍ତରୀୟ କରିବାର ସ୍ବପ୍ନ ଦେଖୁଥିଲେ ଏବଂ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ସଜାଡ଼ିବାଠାରୁ ଆରମ୍ଭ କରି ଶିକ୍ଷାକ୍ଷେତ୍ରରେ ୧୫ରୁ ଅଧିକ ନୂଆ ପ୍ରକଳ୍ପ ଆରମ୍ଭ କରିଥିଲେ, ସିଏ ହଠାତ୍ ନିଜ ପଦରୁ ଇସ୍ତଫା ଦେବା ନେଇ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି। କୁଳପତି କାହିଁକି ଏଭଳି କଠୋର ନିଷ୍ପତ୍ତି ନେଲେ ସେ ପ୍ରଶ୍ନ ବର୍ତ୍ତମାନ ଶିକ୍ଷାବିତ, ବିଶ୍ବବିଦ୍ୟାଳୟ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳିତ କରିଛି। ଯଦିଓ ପ୍ରଫେସର ସାହୁ ଇସ୍ତଫାକୁ ନିଜର ବ୍ୟକ୍ତିଗତ ସମସ୍ୟା ଭାବେ ଦର୍ଶାଇଛନ୍ତି, କିନ୍ତୁ ଏହା ପଛରେ ଅନ୍ୟ କିଛି କାରଣ ଥିବା ଆଲୋଚିତ ହେଉଛି। କୁହାଯାଉଛି ମଣିପୁର ବିଶ୍ବବିଦ୍ୟାଳୟ ଜୈବ ସମ୍ପଦ ବିଭାଗରେ ନିର୍ଦ୍ଦେଶକ ପଦରେ ଥିବାବେଳେ ପ୍ରଫେସର ସାହୁଙ୍କ ବିରୋଧରେ ଦୁର୍ନୀତି ଓ ଆର୍ଥିକ ଅନିୟମିତତା ଅଭିଯୋଗ ଆସିଥିଲା। ଏହାର ବିଧିବଦ୍ଧ ତଦନ୍ତ ପାଇଁ ମଣିପୁର ରାଜ୍ୟପାଳ ଡକ୍ଟର ନଜମା ହେପତୁଲ୍ଲାଙ୍କୁ ସ୍ମାରକପତ୍ର ଦିଆଯିବା ସହ ପ୍ରଫେସର ସାହୁଙ୍କ ନାମ ପଦ୍ମଶ୍ରୀ ପଦ ପାଇଁ ସୁପାରିଶ ନ କରିବାକୁ ଅନୁରୋଧ କରାଯାଇଥିଲା। ଏହାଛଡ଼ା ଏଫଏମ୍ ବିଶ୍ବବିଦ୍ୟାଳୟରେ ଯୋଗଦେବା ପରେ ପ୍ରଫେସର ସାହୁଙ୍କ କାର୍ଯ୍ୟଧାରାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଗବେଷଣା ଓ ଅନ୍ୟ କାମରେ ଅନିୟମିତତା ଅଭିଯୋଗ ଆଣି କିଛି କର୍ମଚାରୀ କୁଳାଧିପତିଙ୍କୁ ଫେରାଦ ହୋଇଥିଲେ।
ତେବେ କୁଳପତି ପ୍ରଫେସର ଶ୍ରୀ ସାହୁ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। କହିଛନ୍ତି ଏହା ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ। ମୁଁ ଭାରତର ଏକ ପ୍ରତିଷ୍ଠିତ ଅନୁଷ୍ଠାନରେ ଉଚ୍ଚ ପଦରେ ଯୋଗ ଦେବାକୁ ଯାଉଛି। ଏ ନେଇ ଖୁବ୍ଶୀଘ୍ର ଜଣାଇବି। ଏହାଛଡ଼ା ମୁଁ ଫକୀରମୋହନ ବିଶ୍ବବିଦ୍ୟାଳୟରେ ଯୋଗ ଦେବା ପରେ ବିଶ୍ବବିଦ୍ୟାଳୟର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛି। କେତେକ ହାତଗଣତି କର୍ମଚାରୀ ଦୀର୍ଘଦିନ ଧରି ଗାଦି ମାଡ଼ିବସିଥିଲେ। ବେଆଇନ୍ କାମ କରୁଥିବା ଜାଣିବା ପରେ ମୁଁ ୧୦-୨୦ ଜଣ କର୍ମଚାରୀଙ୍କୁ ଅନ୍ୟ ବିଭାଗକୁ ବଦଳି ମଧ୍ୟ କରିଥିଲି। ଏହାଦ୍ବାରା ହାତଗଣତି କର୍ମଚାରୀଙ୍କ ସ୍ବାର୍ଥରେ ବାଧା ପହଞ୍ଚିଥିଲା। ମୁଁ ଯାହା ବି କରିଛି, ବିଶ୍ବବିଦ୍ୟାଳୟର ବିକାଶ ପାଇଁ କରିଛି।
ଉଲ୍ଲେଖଯୋଗ୍ୟ ଯେ ୨୦୨୦ ଡିସେମ୍ବରରେ ପ୍ରଫେସର ସାହୁ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ବିଶ୍ବବିଦ୍ୟାଳୟରେ ୫ ମହଲା ବିଶିଷ୍ଟ କନ୍ଭେନ୍ସନ୍ ସେଣ୍ଟର ନିର୍ମାଣ ଲାଗି ଅଣ୍ଟା ଭିଡ଼ିଥିଲେ। ଅନ୍ତର୍ଜାତୀୟ ସ୍ତରୀୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବା ସହ କେତେକ ଜାତୀୟ ସ୍ତରୀୟ ସଂସ୍ଥା ସହ ରାଜିନାମା କରିଥିଲେ। ବିଶ୍ବବିଦ୍ୟାଳୟରେ ଷ୍ଟୁଡେଣ୍ଟ ଆମେନିଟି ସେଣ୍ଟର ଖୋଲାଯିବା ସହ ଟେକ୍ନୋଲୋଜି ବିଜ୍ନେସ୍ ଇନ୍କ୍ୟୁବେଟର, ସେଣ୍ଟର ଫର୍ ମେରାଇନ୍ ବାୟୋ ରିସୋର୍ସେସ ଆଣ୍ଡ ବାୟୋ ଟେକ୍ନୋଲୋଜି ସେଣ୍ଟର, ଜୈବ ସମ୍ପଦ ପ୍ରବନ୍ଧନ ଉତ୍କର୍ଷ କେନ୍ଦ୍ର ଆଦିର କାର୍ଯ୍ୟ ଆରମ୍ଭ କରିଥିଲେ।