କେନ୍ଦୁଝର: ଖରା ଆରମ୍ଭରୁ ଶୁଖିଗଲାଣି ନଦୀନାଳ। କେନ୍ଦୁଝର ଜିଲ୍ଲାର ଜୀବନରେଖା କୁହାଯାଉଥିବା ବୈତରଣୀର ଜଳସ୍ତର କମିବାରେ ଲାଗିଛି। ଚାଷବାସ କଥା ଦୂରରେ ଥାଉ ପିଇବାକୁ ପାଣି ଟୋପେ ପାଇବା କଷ୍ଟକର ହେଲାଣି। ନଦୀଜଳ ପରିଚାଳନାର ବ୍ୟାପକ ଅବ୍ୟବସ୍ଥା କାରଣରୁ ଆଗାମୀ ଦିନରେ ଏହି ସମସ୍ୟା ଆହୁରି ଜଟିଳ ହେବାର ଆଶଙ୍କା ରହିଛି। କେନ୍ଦୁଝର ଜିଲ୍ଲା ଦେଇ ବହିଯାଇଛି ଏକାଧିକ ନଦୀ ଓ ପାହାଡ଼ି ନାଳ। କେବଳ ବୈତରଣୀକୁ ଛାଡ଼ିଦେଲେ, ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହିଛି ୨୦ରୁ ଊର୍ଦ୍ଧ୍ବ ଶାଖାନଦୀ ଓ ପାହାଡ଼ି ନାଳ। ଏହାଉପରେ ଲୋକେ ପାଣି ପାଇଁ ନିର୍ଭର କରିଥାନ୍ତି। ଏସବୁ ନଦୀନାଳ ପାଣିରେ କେବଳ ଚାଷବାସ ହୋଇ ନଥାଏ, ଏହାକୁ ଲୋକେ ପିଇବାପାଇଁ ମଧ୍ୟ ବ୍ୟବହାର କରିଥା’ନ୍ତି। ଜଳ ପରିଚାଳନାରେ ସମସ୍ୟା ଯୋଗୁଁ କେବଳ ବର୍ଷାଦିନକୁ ଛାଡ଼ିଦେଲେ ଖରାଦିନେ ପାହାଡ଼ି ନଦୀନାଳରେ ପାଣି ଟୋପେ ନଥାଏ। ସବୁଥର ପରି ଚଳିତବର୍ଷ ମଧ୍ୟ ଖରା ଆରମ୍ଭରୁ ନଦୀନାଳ ସବୁ ଶୁଖିଲା ପଡ଼ିଥିବା ଦେଖିବାକୁ ମିଳିଛି। କେନ୍ଦୁଝର ସହରକୁ ପାଣି ଯୋଗାଉଥିବା ସାନମାଛକାନ୍ଦଣା ଏକ ପାହାଡ଼ି ନଦୀ। ଏହା ଚିରସ୍ରୋତା। ସୁମଠ ପର୍ବତରୁ ବାହାରି ଉପରକଅଁସ, ତଳରଢ଼ୁଆଁ, ଚମ୍ପେଇ ଗ୍ରାମ ଦେଇ ଏହି ନଦୀ ପ୍ରବାହିତ ହୋଇଛି। ନଦୀ ଉପରେ ବଡ଼ଘାଗରାଠାରେ ଡ୍ୟାମ୍ ନିର୍ମାଣ କରାଯାଇଛି। ତଳମୁଣ୍ଡରେ ରହିଛି କେନ୍ଦୁଝର ଜିଲ୍ଲା ତଥା ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ସାନଘାଗରା। ନଦୀପାଣିକୁ ବଡ଼ଘାଗରା ଡ୍ୟାମ୍ରେ ଗଚ୍ଛିତ ରଖାଯାଇ କେନ୍ଦୁଝର ସହରକୁ ଯୋଗାଇ ଦିଆଯାଉଛି। ଚଳିତବର୍ଷ ମାର୍ଚ୍ଚ ମାସ ଆରମ୍ଭରୁ ସାନମାଛକାନ୍ଦଣା ନଦୀଶଯ୍ୟା ଶୁଖିଲା ପଡ଼ିଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
କାଁଭାଁ କେଉଁଠି ପାଣି ଟିକେ ଦେଖିବାକୁ ମିଳୁଛି। ବର୍ଷା ନହେଲେ ମେ’ ଓ ଜୁନ୍ ମାସ ବେଳକୁ ଏହା ସମ୍ପୂର୍ଣ୍ଣ ଶୁଖିଯିବାର ଆଶଙ୍କା ରହିଛି। ଏପରି ହେଲେ ବଡ଼ଘାଗରା ଡ୍ୟାମରେ ଆବଶ୍ୟକ ପରିମାଣର ଜଳ ଗଚ୍ଛିତ ରହିବ ନାହିଁ। ଏହାଦ୍ବାରା ଚାଷକାମ ସାଙ୍ଗକୁ କେନ୍ଦୁଝର ସହରକୁ ଜଳ ଯୋଗାଣ ପ୍ରଭାବିତ ହେବ। ସେହିପରି, ଚମ୍ପୁଆ ବ୍ଲକ୍ର ମେର୍ମନ୍ଦା ହେଉଛି ଏକ ପାହାଡ଼ି ନାଳ। ଏହା ଉପରେ ଉଚ୍ଚବାଲି, ଭୂଇଁପୁର ଓ ଭଣ୍ଡା ପଞ୍ଚାୟତର ହଜାରହଜାର ଚାଷୀ ପରିବାର ନିର୍ଭର କରିଥାନ୍ତି। ନାଳରେ ଚାଷୀଙ୍କ ପାଇଁ ଏକାଧିକ ଉଠା ଜଳସେଚନ ପ୍ରକଳ୍ପ କରାଯାଇଛି। ଏବେଠୁ ନାଳ ଶୁଖିଲା ପଡ଼ିଲାଣି। ପାଣି ନ ଥିବାରୁ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକ କାମରେ ଲାଗୁନାହିଁ। ସେହିପରି ହରିଚନ୍ଦନପୁର ବ୍ଲକ୍ର କୁଶେଇ, ମୁଷଳ, ବଡ଼କାଣିଝରି ନଦୀ ଜଳସ୍ରୋତ ମଧ୍ୟ କମିଗଲାଣି। ଏସବୁ ନଦୀନାଳ ପାଣିକୁ ଅଟକାଇବା ପାଇଁ କିଛିକିଛି ସ୍ଥାନରେ ଚେକ୍ଡ୍ୟାମ୍ ନିର୍ମାଣ ହୋଇଛି। ଅଧିକାଂଶ ଚେକ୍ଡ୍ୟାମ୍ ଭାଙ୍ଗିରୁଜି ଯାଇଥିବାରୁ ନଦୀଜଳ ଗଚ୍ଛିତ ହୋଇ ରହିପାରୁ ନାହିଁ।