ଝିଅ ବାହାଘର ପରେ ବାପା ମା’ଙ୍କ ଆତ୍ମହତ୍ୟା: ତିନିଦିନ ତଳେ ବାହାଘର ହୋଇଥିଲା

ମାଣିଆବନ୍ଧ: କଟକ ଜିଲ୍ଲା ମାଣିଆବନ୍ଧ ଗ୍ରାମର ଏକ ଦମ୍ପତିଙ୍କ ମୃତଦେହ ସେମାନଙ୍କ ଘରୁ ଉଦ୍ଧାର କରାଯାଇଛି। ମୃତ ଦମ୍ପତି ହେଲେ ଗ୍ରାମର ନିତ୍ୟାନନ୍ଦ ମହାପାତ୍ର (୬୧) ଓ ଶାନ୍ତିଲତା ମହାପାତ୍ର (୫୬)। ପାରିବାରିକ ସମସ୍ୟାକୁ ନେଇ ସେମାନେ ବିଷପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଝିଅ ବାହାଘର କରିବାର ତିନିଦିନ ପରେ ଦମ୍ପତିଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ସୂଚନା ମୁତାବକ, ନିତ୍ୟାନନ୍ଦ ଓ ଶାନ୍ତିଲତାଙ୍କ ଝିଅ ସଂଯୁକ୍ତା ମହାପାତ୍ରଙ୍କର ପୂର୍ବରୁ ବୈଦିକ ରୀତିରେ ବିବାହ ହୋଇଥିଲା। କୌଣସି କାରଣରୁ ସେ ଛାଡ଼ପତ୍ର ନେଇ ବହୁଦିନ ହେବ ବାପଘରେ ରହୁଥିଲେ। ତିନିଦିନ ତଳେ ସଂଯୁକ୍ତାଙ୍କର ଅନ୍ୟ ଜାତିରେ ବିବାହ ହୋଇଥିଲା। ବିଜୟୱାଡ଼ାରେ ଚାକିରି କରୁଥିବା ନିତ୍ୟାନନ୍ଦଙ୍କ ବଡ଼ ପୁଅ ପ୍ରଶାନ୍ତ ମହାପାତ୍ର ବିବାହ ଉତ୍ସବ ପରେ ଶନିବାର ସକାଳୁ କର୍ମସ୍ଥଳୀକୁ ଫେରିଯାଇଥିଲେ। ଅପରାହ୍ଣରେ ସାନପୁଅ ସୁମନ୍ତ ମହାପାତ୍ର ମଧ୍ୟ ପାଠ ପଢ଼ିବା ପାଇଁ ଭୁବନେଶ୍ୱର ଚାଲି ଯାଇଥିଲେ। ଘରେ କେବଳ ନିତ୍ୟାନନ୍ଦ ଓ ତାଙ୍କ ସ୍ତ୍ରୀ ଶାନ୍ତିଲତା ରହିଥିଲେ।

ଶନିବାର ସନ୍ଧ୍ୟାରେ ସେମାନେ ଗ୍ରାମର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇ ରାତି ପ୍ରାୟ ସାଢ଼େ ୧୧ଟାରେ ଘରକୁ ଫେରିଥିଲେ। ଅଟାକଳ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ନିତ୍ୟାନନ୍ଦ ପ୍ରତ୍ୟହ ସକାଳୁ ଉଠି କଳକୁ ଯାଉଥିଲେ। ରବିବାର ସକାଳେ ଗହମ‌ ପେଡ଼ିବା ପାଇଁ ଆସିଥିବା ଜଣେ ଗ୍ରାହକ କବାଟ ବନ୍ଦ ଥିବା ଦେଖି ପଡ଼ୋଶୀଙ୍କୁ ଜଣାଇଥିଲେ। ଏହାପରେ ପଡ଼ୋଶୀ ଜଣକ ଆଉଜା ଯାଇଥିବା କବାଟ ଖୋଲିବାରୁ ଦମ୍ପତି ମୃତ ଅବସ୍ଥାରେ ପଡ଼ି ରହିଥିବା ଦେଖିଥିଲେ। ଏ ସମ୍ପର୍କରେ ସୂଚନା ମିଳିବା ପରେ ମାଣିଆବନ୍ଧ ଥାନା ଆଇଆଇସି କାଦମ୍ବିନୀ ପରିଡ଼ା ଓ ପୁଲିସ ଅଧିକାରୀ ବସନ୍ତ କୁମାର ଶତପଥୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବଡ଼ମ୍ବା ପଠାଇଥିଲେ। ଏ ନେଇ ମାଣିଆବନ୍ଧ ଥାନାରେ ଏକ ଅପମୃତ୍ୟୁ ମାମଲା (କେସ୍‌ ନଂ-୭/୨୪) ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ଖବର ପାଇ ଦୁଇ ପୁଅ ମଧ୍ୟ ଘରେ ପହଞ୍ଚିଥିଲେ। ଶବ ବ୍ୟବଚ୍ଛେଦ ପରେ ଗ୍ରାମ ଶ୍ମଶାନରେ ଗୋଟିଏ ଜୁଇରେ ଦମ୍ପତିଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏଭଳି ଅଭାବନୀୟ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର