୧୨ରେ ଗଡ଼ିବ ପୁରୀ-ବିଶାଖାପାଟଣା ବନ୍ଦେ ଭାରତ: ଭର୍ଚୁଆଲ୍‌ରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭଦ୍ରକ-ନିର୍ଗୁଣ୍ଡି ରେଳ ଲାଇନର ୩ୟ ଲାଇନର ହେବ ଶୁଭାରମ୍ଭ

ଭୁବନେଶ୍ବର/ଜଟଣୀ: ଆସନ୍ତା ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୫ ହଜାର କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପକୁ ଦେଶକୁ ଉତ୍ସର୍ଗ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଇଣ୍ଟର ଲକିଂ ସିଷ୍ଟମ, ୱାନ ଷ୍ଟେସନ ୱାନ ପ୍ରଡକ୍ଟ ଷ୍ଟଲ, ଉତ୍ସର୍ଗୀକୃତ ମାଲ ପରିବହନ କରିଡର, ଗତି ଶକ୍ତି, ରେଳ କୋଚ୍ ରେସ୍ତୋଁରା ଆଦି ରହିଛି। ଏହି ଅବସରରେ ପୁରୀ ଓ ବିଶାଖାପାଟଣା ମଧ୍ୟରେ ଚାଲିବାକୁ ଥିବା ଓଡ଼ିଶାର ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିବେ। ଏହି ଟ୍ରେନ ଦକ୍ଷିଣ ଓଡ଼ିଶାବାସୀଙ୍କ ଚାହିଦା ପୂରଣ କରିବ। ପୁରୀ-ବିଶାଖାପାଟଣା ମଧ୍ୟରେ ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍ ଓ ବିଜୟନଗରମ୍‌ ଷ୍ଟେସନରେ ଏହି ଟ୍ରେନ୍‌ ରହିବ। ଭୋର ୫ଟା ୧୫ରେ ପୁରୀ ରେଳ ଷ୍ଟେସନରୁ ଛାଡ଼ିବ। ୫ଟା ୫୭ରେ ଖୋର୍ଦ୍ଧାରୋଡରେ ପହଞ୍ଚିବାକୁ ଥିବା ବେଳେ ୭ଟା ୪୦ରେ ବ୍ରହ୍ମପୁର, ୮ଟା ୪୮ରେ ପଲାସା, ୯ଟା ୩୩ରେ ଶ୍ରୀକାକୁଲମ୍‌ ରୋଡ, ୧୦ଟା ୧୮ରେ ବିଜୟନଗରମ୍‌ ଓ ୧୧ଟା ୩୩ରେ ବିଶାଖାପାଟଣାରେ ପହଞ୍ଚିବ। ଶନିବାର ବ୍ୟତୀତ ଅନ୍ୟ ସମସ୍ତ ଦିନ ଏହି ଟ୍ରେନ୍‌ ଚାଲିବ।

ଭର୍ଚୁଆଲ୍‌ରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଭଦ୍ରକ-ନିର୍ଗୁଣ୍ଡି ରେଳ ଲାଇନର ୩ୟ ଲାଇନର ହେବ ଶୁଭାରମ୍ଭ
ଖୋର୍ଦ୍ଧାରୋଡ ରେଳମଣ୍ଡଳରେ ୧୪ଟି ‘ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ’

ସେହିପରି ଭଦ୍ରକ-ନର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପ ୧୨ ତାରିଖରେ ଦେଶ ପାଇଁ ଉତ୍ସର୍ଗୀକୃତ ହେବ। ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବା ସହ ହାଓଡ଼ା-ଚେନ୍ନାଇ ମେନ୍ ଲାଇନରେ ଅସୁବିଧାଜନକ ଟ୍ରେନ୍ ଚଳାଚଳକୁ ଏଡ଼ାଇବାରେ ସହାୟକ ହେବ। ଏଥିସହ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ କେନ୍ଦ୍ର(ପିଏମ୍‌ବିଜେକେ) ଉଦ୍‌ଘାଟିତ ହେବ। ରେଳ ଷ୍ଟେସନ ପରିଦର୍ଶନ କରୁଥିବା ଯାତ୍ରୀଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣ ପାଇଁ ସେଠାରେ ସୁଲଭ ମୂଲ୍ୟରେ ଜେନେରିକ ଔଷଧ ଯୋଗାଇ ଦିଆଯିବ। ଖୋର୍ଦ୍ଧା ରୋଡ ମଣ୍ଡଳରେ ୧୧ଟା ରେଳ ଷ୍ଟେସନରେ ୧୪ଟି ‘ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ’ ଉତ୍ସର୍ଗୀକୃତ ହେବ। ଏହି ଷ୍ଟେସନଗୁଡ଼ିକ ହେଉଛି ପୁରୀ, ଭୁବନେଶ୍ୱର, କଟକ, ଭଦ୍ରକ, ଖୋର୍ଦ୍ଧାରୋଡ଼, ବାଲୁଗାଁ, ଛତ୍ରପୁର, ବ୍ରହ୍ମପୁର, ପଲାସା, ଅନୁଗୁଳ ଓ ଢେଙ୍କାନାଳ। ରେଳ ଷ୍ଟେସନରେ ଥିବା ଓଏସ୍‌ଓପି ଷ୍ଟଲ୍‌ଗୁଡ଼ିକ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବ। ସ୍ଥାନୀୟ/ସ୍ୱଦେଶୀ ଉତ୍ପାଦ ପାଇଁ ବଜାର ଯୋଗାଇବ। ସମାଜର ନିମ୍ନ ବର୍ଗଙ୍କ ପାଇଁ ଅତିରିକ୍ତ ଆୟ ସୁଯୋଗ ସୃଷ୍ଟି କରିବ ବୋଲି ଖୋର୍ଦ୍ଧା ରୋଡ ଡିଭିଜନାଲ ରେଲୱେ ମ୍ୟାନେଜର ଏଚ୍ ଏସ ବାଜ୍ୱା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଥିରେ ଅତିରିକ୍ତ ମଣ୍ଡଳ ରେଳ ପରିଚାଳକ(ଅପରେସନ୍) କଲ୍ୟାଣ ପଟ୍ଟନାୟକ, ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଅମିତେଶ ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର