୨ ଶିଶୁଙ୍କୁ ଥଇଥାନ କଲେ ଶିକ୍ଷକ

ପାଇକମାଳ/ପଦ୍ମପୁର: ଝାରବନ୍ଧ ବ୍ଲକ୍‌ ତୁର୍ଲା ଗ୍ରାମରେ ଭିକ୍ଷାବୃତ୍ତି କରୁଥିବା ୨ ଜଣ ଶିଶୁଙ୍କୁ ଉଦ୍ଧାର କରି ଥଇଥାନ କରାଇଛନ୍ତି ବିଜେପୁର ବ୍ଲକ୍‌ ଯୋଖିପାଲି ଗ୍ରାମର ଶିକ୍ଷକ ଦିବସ ସାହୁ। ପ୍ରାପ୍ତ ସୂଚନାନୁସାରେ ତୁର୍ଲା ଗ୍ରାମର ଜଣେ ଅସହାୟ ମହିଳା ନିଜର ୨ ଶିଶୁଙ୍କୁ ସାଙ୍ଗରେ ନେଇ ଭିକ୍ଷା ବୃତ୍ତି କରି ଜୀବନ ବିତାଉଥିଲେ। ଗତବର୍ଷ ଫେବ୍ରୁଆରି ମାସରେ ମହିଳା ଜଣକ ୨ ଛୁଆଙ୍କୁ ନେଇ ବୁଲି ବୁଲି ଭିକ ମାଗୁଥିବା ବେଳେ ଗାଁ’ର ଯୁବକ ଟିକୁ ବନଛୋର ଫୋନ ଯୋଗେ ତୁମୁରିପାଣି ସ୍କୁଲ୍‌ର ଶିକ୍ଷକ ଶ୍ରୀ ସାହୁଙ୍କୁ ଯୋଗାଯୋଗ କରିଥିଲେ। ଫଳରେ ସେ ୩ ମା ଓ ଛୁଆଙ୍କୁ ଥଇଥାନ କରିବାକୁ ଯୋଜନା ଆରମ୍ଭ କରିଥିଲେ।

ସେ ଝାରବନ୍ଧ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଏବଂ ଏବିଡିଓଙ୍କ ସହ ଯୋଗାଯୋଗ କରି ଅସହାୟ ପରିବାରକୁ ସରକାରୀ ସ୍ତରରେ ଥଇଥାନ କରିବା ଓ ଉଭୟ ଶିଶୁଙ୍କ ପାଠପଢ଼ା ପାଇଁ ବ୍ୟବସ୍ଥା କରିବାକୁ ଆଲୋଚନା କରିଥିଲେ। ଶିଶୁମାନଙ୍କ ଆଧାର କାର୍ଡ ନଥିବାରୁ ଶ୍ରୀ ସାହୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତାହା କରିବା ବ୍ୟବସ୍ଥା କରିଥିଲେ। ମହିଳା ଜଣକ ରୋଗଗ୍ରସ୍ତ ଥିବା ବେଳେ ତାଙ୍କ ହାତ ଫୁଲି ଯାଇଛି। ତାଙ୍କର କିଡ୍‌ନି ରୋଗ ବାହାରିବା ପରେ ସ୍ବାମୀ ସେମାନଙ୍କୁ ଛାଡ଼ି କେଉଁଆଡ଼େ ଚାଲି ଯାଇଥିବା ଜଣାପଡ଼ିଛି। ଶ୍ରୀ ସାହୁ ସେମାନଙ୍କୁ ପାଇକମାଳ ଡକାଇବା ସହ ଚାଇଲ୍‌ଡ ଲାଇନ୍‌ ଓ ପାଇକମାଳ କସ୍ତୁରବା ଗାନ୍ଧୀ ମାତୃ ନିକେତନ ସଭାପତି ନିର୍ମଳ ଗିରିଙ୍କୁ ଯୋଗାଯୋଗ କରିଥିଲେ। ଅନ୍‌ଲାଇନ୍‌ ମାଧ୍ୟମରେ ଶିଶୁମାନଙ୍କୁ ଶିଶୁ କଲ୍ୟାଣ ସମିତି ନିକଟରେ ଉପସ୍ଥାପନ କରିବା ପରେ ସେଠାରେ ଥଇଥାନ ଓ ପାଠପଢ଼ା ବ୍ୟବସ୍ଥା କରାଇଛନ୍ତି। ଏହା ଛଡ଼ା ମହିଳାଙ୍କୁ ମଧ୍ୟ ମାତୃ ଛାୟାରେ ଥଇଥାନ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର