ଟ୍ରେନ୍‌ ନେଲା ଆଉ ୨ ହାତୀଙ୍କ ଜୀବନ

କେନ୍ଦୁଝର/ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଟାଙ୍ଗିରିଆପାଳ ପଞ୍ଚାୟତ ବାଲିଦାଣ୍ଡସାହି ନିକଟରେ ମାଲ୍‌ଗାଡ଼ି ଧକ୍କାରେ ଗତକାଲି ରାତିରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଛି। ଗୋଟିଏ ହାତୀ ଆହତ ହୋଇଛି। ମୃତ ମାଈହାତୀ ଦୁଇଟିର ବୟସ ପାଖାପାଖି ୧୦ବର୍ଷ ଏବଂ ଗୁରୁତର ଛୁଆ ମାଈହାତୀର ବୟସ ପ୍ରାୟ ୭ ବର୍ଷ ହେବ। ଗତକାଲି ରାତିରେ ହାତୀପଲକୁ ମାଲ୍‌ଗାଡ଼ିଟି ଧକ୍କା ଦେବା ପରେ ବନ ବିଭାଗକୁ କୌଣସି ସୂଚନା ନ ଦେଇ ସେଠାରୁ ପଳାଇ ଯାଇଥିଲା। ଆଜି ସକାଳୁ ଏ ସମ୍ପର୍କରେ ଜଣାପଡ଼ିବା ପରେ ତନାଘନା ଆରମ୍ଭ ହୋଇଛି। ପାଖ ଜଙ୍ଗଲରେ ଆହତ ହାତୀକୁ ଅନ୍ୟ ଦୁଇଟି ହାତୀ ଜଗିଥିବା ଦେଖିବାକୁ ମିଳିଥିଲା।

ବାଂଶପାଣିରୁ ବାହାରିଥିବା ଏକ ମାଲ୍‌ଗାଡ଼ି (ନମ୍ବର-ଜେଟିଏସ୍‌ଏଲ୍‌ଜେ ୪୦) ରାତି ପ୍ରାୟ ୯ଟା ବେଳେ ବାଲିଦାଣ୍ଡସାହି ନିକଟରେ ରେଳପଥ ଅତିକ୍ରମ କରୁଥିବା ୫ ଟିକିଆ ହାତୀପଲକୁ ଧକ୍କା ଦେଇଥିଲା। ଗୋଟିଏ ହାତୀ ୩୦ ଫୁଟ ଓ ଅନ୍ୟଟି ୫୦ ଫୁଟ ଦୂରକୁ ଛିଟିକି ପଡ଼ିଥିଲେ। ବର୍ତ୍ତମାନ ତିନିଟି ହାତୀ ଦୁର୍ଘଟଣାସ୍ଥଳଠାରୁ ୧ କିଲୋମିଟର ଦୂର ଜଙ୍ଗଲରେ ଅଛନ୍ତି। ଆହତ ହାତୀର ଗତିବିଧି ଉପରେ ବନ ବିଭାଗ ନଜର ରଖିଛି। ଗତକାଲି ରାତିରୁ ଏହି ଦୁର୍ଘଟଣା ଘଟିଥିବା ବେଳେ ରେଳବାଇ ପକ୍ଷରୁ ବନ ବିଭାଗକୁ ଆଜି ସକାଳ ୭ଟାବେଳେ ଅବଗତ କରାଯାଇଥିଲା। ଆଜି ସକାଳୁ ଖବର ପାଇବା ପରେ ଆନନ୍ଦପୁର ବନ୍ୟପ୍ରାଣୀ ଡିଏଫ୍‌ଓ ଅଭୟ କୁମାର ଦଳେଇଙ୍କ ସମେତ ଏସିଏଫ୍‌ ପ୍ରଫୁଲ୍ଲ କୁମାର ମଲ୍ଲିକ, ବ୍ରାହ୍ମଣୀପାଳ ରେଞ୍ଜର ରମାକାନ୍ତ ସେଠୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅପରାହ୍‌ଣରେ ଆର୍‌ସିସିଏଫ୍‌ ଡ. ପ୍ରକାଶ ଚାନ୍ଦ ଗୋଗନେନି ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ହରିଚନ୍ଦନପୁର ବ୍ଲକ୍‌ ପ୍ରାଣୀ ଚିକିତ୍ସ‌ା ଅଧିକାରୀ ଡ. ରଘୁନାଥ ଜିରାଇ, ଡକ୍ଟର ସଂଘମିତ୍ରା ଦେହୁରୀ ପ୍ରମୁଖ ହାତୀର ଶବ ବ୍ୟବ‌ଚ୍ଛେଦ କରିଛନ୍ତି।

ସମ୍ବନ୍ଧିତ ଖବର