ମାଓବାଦୀ ଓ ହାତୀପଲ ଭୟରେ ଜଙ୍ଗଲ ଜମି ଛାଡ଼ି ଗାଁ ମୁହାଁ ହେଉଛନ୍ତି ଜବରଦଖଲକାରୀ

ନବରଙ୍ଗପୁର : ଗୋଟିଏପଟେ ମାଓବାଦୀ ଓ ଅନ୍ୟପଟେ ଛତିଶଗଡ଼ିଆ ହାତୀପଲ ଭୟରେ ଜଙ୍ଗଲ ଜମି ଛାଡ଼ି ଗ୍ରାମବାସୀ ଏବେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି। ଜବରଦଖଲ କରିଥିବା ଜଙ୍ଗଲ ଜମିରେ ଆଉ ଚାଷ ନ କରି ଏବେ ଭୟରେ ଲୋକେ ନିଜ ଭିଟାମାଟିକୁ ଫେରି ବିକଳ୍ପ ଚିନ୍ତା କରିବା ଆରମ୍ଭ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ହାତୀଗାଁ ସଂରକ୍ଷିତ ଜଙ୍ଗଲରେ।

ସୂଚନା ଅନୁଯାୟୀ, ଗତ କିଛି ବର୍ଷ ହେବ ଛତିଶଗଡ଼ ଜଙ୍ଗଲରୁ ହାତୀପଲ ଓଡ଼ିଶା ସୀମାନ୍ତରେ ଥିବା ହାତୀଗାଁ ସଂରକ୍ଷିତ ଜଙ୍ଗଲରେ ବାରମ୍ବାର ପଶି ଆସୁଥିବା ଦେଖିବାକୁ ମିଳିଛି। ବିଶେଷ କରି ଚାଷ ସମୟରେ ଏହି ଛତିଶଗଡ଼ିଆ ହାତୀପଲ ମାସକୁ ପ୍ରାୟ ୧୦ରୁ ୧୫ ଦିନ ସୀମାନ୍ତ ଜଙ୍ଗଲରେ ପଶି ଆସି ମକା, ବିରି ଆଦି ଫସଲ ନଷ୍ଟ କରୁଛନ୍ତି। ଫଳରେ ଲୋକେ ଚାଷ କରି କ୍ଷତି ସହୁଥିବାରୁ ଆଉ ଏହି ଜଙ୍ଗଲ ଜମିରେ ଚାଷ କରିବାକୁ ସାହାସ ଜୁଟାଇ ପାରୁ ନାହାନ୍ତି। ଏଥିସହିତ ବାରମ୍ବାର ମାଓବାଦୀ ପକ୍ଷରୁ ଜଙ୍ଗଲ କାଟିବା ଓ ଜଙ୍ଗଲ ଜମିରୁ ହଟିବା ନିମନ୍ତେ ପୋଷ୍ଟର ମାଧ୍ୟମରେ ଧମକ ଦେଉଥିବାରୁ ଜଙ୍ଗଲ ମଧ୍ୟରେ ବାସ କରୁଥିବା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଚଳିତ ବର୍ଷ ପ୍ରାୟ ୨୦ ପ୍ରତିଶତ ଜଙ୍ଗଲ ଜମିରେ ଚାଷ ହୋଇ ନଥିବାରୁ ପରୋକ୍ଷରେ ସ୍ଥାନୀୟ ବନ ବିଭାଗକୁ ସଫଳତା ମିଳିଛି।

ପ୍ରକାଶ ଥାଉକି, ହାତୀଗାଁ ଏକ ବିରାଟ ସଂରକ୍ଷିତ ଜଙ୍ଗଲ ଭାବେ ପରିଚିତ ଥିବା ବେଳେ ମାଓବାଦୀଙ୍କ ଚଳପ୍ରଚଳ ଓ ଆଶ୍ରୟସ୍ଥଳୀ ଭାବେ ରହି ଆସିଛି। ଦୀର୍ଘ ୩୦ରୁ ୪୦ ବର୍ଷ ଧରି ଲଗାତାର ତଥା ପ୍ରତିବର୍ଷ ଏହି ଜଙ୍ଗଲରୁ ଶହ ଶହ ଏକର ଗଛ କାଟି ସଫା କରି ମାଫିଆ ମାନେ ଚାଷଜମିରେ ପରିଣତ କରି ଆସୁଛନ୍ତି। ଆଜି ମଧ୍ୟ ଏହି ପ୍ରକ୍ରିୟା ଚାଲୁ ରହିଛି। ଏହି ଜଙ୍ଗଲ ଜମିରେ କମ୍ ଖର୍ଚ୍ଚରେ ଅଧିକ ଫସଲ ଅମଳ ହେଉଥିବାରୁ ଓଡ଼ିଶା ତଥା ପଡ଼ୋଶୀ ଛତିଶଗଡ଼ ଅଞ୍ଚଳର ଲୋକେ ବି ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି। ତେଣୁ ଜଙ୍ଗଲ ଦିନକୁ ଦିନ ଟାଙ୍ଗରା ଭୂଇଁରେ ପରିଣତ ହେଉଥିବା ବେଳେ ବନ ବିଭାଗ ଏହାକୁ ରୋକିବାରେ ବିଫଳ ହୋଇ ଆସୁଛି। ଏହି ପ୍ରକ୍ରିୟାରେ ଦୀର୍ଘ ୩୦ରୁ ୪୦ ବର୍ଷ ହେବ ଜଙ୍ଗଲ ସଫା ହେବାରେ ଲାଗିଛି। ଅପରପକ୍ଷରେ ଜଙ୍ଗଲ ସଫା ହେବା ଦେଖି ନକ୍ସଲ ମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏହାର ପ୍ରତିବାଦ ଆରମ୍ଭ କରିଛନ୍ତି। ଗତ ଜୁନ୍ ମାସ ୨୮ ତାରିଖ ଦିନ ହାତୀଗାଁ ସଂରକ୍ଷିତ ଜଙ୍ଗଲ କାଟିବା ସହିତ ଜଙ୍ଗଲ ଜମିରେ ଚାଷ କରୁଥିବା ଲୋକଙ୍କ ନାମରେ ପୋଷ୍ଟର ମାରି  ହତ୍ୟା ଧମକ ଦେଇଥିଲେ। ବିଭିନ୍ନ ସ୍ଥାନରେ ପୋଷ୍ଟର ମାଧ୍ୟମରେ ଧମକ ଦେବା ସହିତ ଖୋଲାଖୋଲି ଭାବେ କିଛି ଲୋକଙ୍କ ନାମ ଉଲ୍ଲେଖ କରାଯାଇ ଯଦି ଜଙ୍ଗଲରେ ଚାଷ କଲେ ସେମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା। ସୀତାନଦୀ ଏରିଆ କମିଟି ପକ୍ଷରୁ ଏହି ପୋଷ୍ଟର ମାରି ଜଙ୍ଗଲ ମାଫିଆ ମାନଙ୍କୁ ଚେତାବନୀ ଦିଆଯାଇଥିଲା। ସ୍ଥାନୀୟ ଅଞ୍ଚଳର ନାକଟିସିମୋଡ଼ା, କୁସୁମପୁର, କାଣ୍ଡେତରା, ରାଜପୁର, ସମ୍ବଲପୁର, ଚିଡ଼େଇପାଣି ସମେତ କୁନ୍ଦେଇ ଅଞ୍ଚଳରେ ଜଙ୍ଗଲ କାଟି ଚାଷ କରୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ଧମକ ଦେଇ ମାଓ ପୋଷ୍ଟରରେ ତୁରନ୍ତ ଜଙ୍ଗଲ ଛାଡ଼ିବାକୁ ଧମକ ଦିଆଯାଇଥିଲା। ଏପରିକି ଜଙ୍ଗଲ ନଛାଡ଼ିଲେ ପ୍ରଜାକୋର୍ଟରେ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା।

ଏହି ଘଟଣା ପରେ ଜଙ୍ଗଲ ଅଞ୍ଚଳରେ ଅସ୍ଥାୟୀ ଜନବସତି କରି ରହୁଥିବା ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଛତିଶଗଡ଼ ଅଞ୍ଚଳରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ହାତୀପଲ ଜଙ୍ଗଲ ମଧ୍ୟରେ ଥିବା ଅସ୍ଥାୟୀ ଘର ଓ ଫସଲ ନଷ୍ଟ କରୁଥିବାରୁ ଏବେ ସେ ଅଞ୍ଚଳରେ ରହିବା ମୁସ୍କିଲ୍ ହୋଇ ଯାଇଛି। ଉଭୟ ହାତୀ ଓ ନକ୍ସଲଙ୍କ ଭୟ ଯୋଗୁଁ ଜଙ୍ଗଲ ଛାଡ଼ି ଭିଟାମାଟିକୁ ଚାଲିଯିବା ଉଚିତ୍ ହେବ ବୋଲି ନିର୍ଣ୍ଣୟ କରି ଶେଷରେ ଜଙ୍ଗଲବାସୀ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର