ଆଇଏଲ୍‌ଏସ୍‌ ବ୍ୟବସ୍ଥା ପାଇଁ ପଛଘୁଞ୍ଚା କାହିଁକି? ପାଣିପାଗ ବିଗିଡ଼ିଲେ ଉଡ଼ିପାରୁନି ବିମାନ

କାମଚଳା ବିମାନବନ୍ଦରରେ ପରିଣତ ପାଇଁ ଚକ୍ରାନ୍ତ!

ରାଉରକେଲା: ଜାନୁଆରୀ ୧୩ରୁ ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ୍‌ ଆରମ୍ଭ ହୋଇଥିଲା। ଏଣୁ ବିଶ୍ବକପ୍‌ ପୂର୍ବରୁ ରାଉରକେଲାକୁ ବିମାନ ସେବା ଯୋଗାଇବା ଅନିବାର୍ଯ୍ୟ ହୋଇପଡ଼ିଥିଲା। ରାଜ୍ୟ ସରକାରଙ୍କ ପ୍ରବଳ ଚାପ ହେଉ ଅବା କେନ୍ଦ୍ର ସରକାରଙ୍କ ସପକ୍ଷରେ ରାଜନୈତିକ ଗୋଟିଚାଳନା, ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ) ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବିମାନବନ୍ଦର ସଂପ୍ରସାରଣ କାର୍ଯ୍ୟ ସଂପନ୍ନ ହେଲା। ତେବେ ପୂର୍ବରୁ ଯେଉଁ ଅତ୍ୟାଧୁନିକ ବିମାନବନ୍ଦର ନିର୍ମାଣର ଦ୍ବାହି ଦିଆଯାଉଥିଲା, ତା’ର ନିକଟତର ବି ହୋଇପାରିଲାନି। ଜାନୁଆରୀ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍‌ଘାଟିତ ହେବାପରେ ବିଶ୍ବକପ୍‌ ଶେଷ ହେବା ଯାଏ ସବୁ ଠିକ୍‌ ଚାଲିଥିଲା, କିନ୍ତୁ ଫେବ୍ରୁଆରି ପହିଲାରୁ ଏଠାରେ ଅବ୍ୟବସ୍ଥା ଆରମ୍ଭ ହୋଇଯାଇଥିଲା। ସଂପ୍ରତି ଏଠାରେ ଇନ୍‌ଷ୍ଟ୍ରୁମେଣ୍ଟାଲ ଲ୍ୟାଣ୍ଡିଂ ସିଷ୍ଟମ୍‌(ଆଇଏଲ୍‌ଏସ୍‌) ବ୍ୟବସ୍ଥାର ଅଭାବ ହିଁ ପ୍ରମୁଖ ସମସ୍ୟା ପାଲଟିଛି। ପାଣିପାଗ ସାମାନ୍ୟ ବିଗିଡ଼ିଲେ, ବିମାନସେବା ବନ୍ଦ ହୋଇଯାଉଛି। ଫଳରେ ପୂର୍ବରୁ ପ୍ରତ୍ୟହ ପାଖାପାଖି ୭୦ ପ୍ରତିଶତ ଯାତ୍ରୀ ହେଉଥିବାବେଳେ ଏବେ ଆଶାତୀତ ହ୍ରାସ ପାଇଲାଣି।

ବର୍ତ୍ତମାନ ରାଉରକେଲା ବିମାନ ବନ୍ଦରରେ ଆଲିଆନ୍ସ ଏୟାର୍‌ ଦ୍ବାରା ଭୁବନେଶ୍ବର-ରାଉରକେଲା ମଧ୍ୟରେ ଏଟିଆର୍‌-୭୨ ଚଳାଚଳ କରୁଛି। ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବାରୁ ରନ୍‌ୱେ ସଂପ୍ରସାରଣକରି ଅଧିକ ସିଟ୍‌ ବିଶିଷ୍ଟ ଅପେକ୍ଷାକୃତ ବଡ଼ବିମାନ ପାଇଁ ପୂର୍ବରୁ ଦାବି ହେଉଥିଲା; କିନ୍ତୁ ଏହାକୁ କୌଶଳକ୍ରମେ ଏଡ଼ାଇ ଦିଆଯାଇଥିଲା। ଏବେ ଏଠାରେ ଆଇଏଲ୍‌ଏସ୍‌ ବ୍ୟବସ୍ଥା ପାଇଁ ପ୍ରବଳ ଦାବି ହେଉଥିବା ସତ୍ତ୍ବେ ଏଥିପ୍ରତି ଏଏଆଇ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି। ସମ୍ଭବତଃ, ଏହାକୁ କାମଚଳା ବିମାନବନ୍ଦରରେ ପରିଣତ କରିବାର ଷଡ୍‌ଯନ୍ତ୍ର ଆରମ୍ଭ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଏହି ବିମାନବନ୍ଦରର ମାଲିକାନାସତ୍ତ୍ବ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ନିକଟରେ ରହିଛି।

ଗତ ମାର୍ଚ୍ଚ ୨୫ରେ ବିମାନବନ୍ଦର ଆକାଉଣ୍ଟେବଲ୍‌ ଏକ୍‌ଜିକ୍ୟୁଟିଭ୍‌ ତଥା ଆର୍‌ଏସ୍‌ପିର ବିଭାଗୀୟ ମହାପ୍ରବନ୍ଧକ ଆଇଏଲ୍‌ଏସ୍‌ ବ୍ୟବସ୍ଥା ନେଇ ଏଏଆଇ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖିଥିଲେ। ପତ୍ରରେ ସ୍ପଷ୍ଟଭାବେ ଉଲ୍ଲେଖ କରିଥିଲେ, ଡିଜିସିଏ ନିୟମାନୁଯାୟୀ ନିର୍ଦ୍ଦିଷ୍ଟ ବିମାନବନ୍ଦରର ଭିଜିବିଲିଟି ୫ ହଜାର ମିଟର ରହିବା ନିତାନ୍ତ ଆବଶ୍ୟକ; କିନ୍ତୁ ରାଉରକେଲା ବିମାନବନ୍ଦରରେ ତାହା ନାହିଁ। ଏଣୁ ଏଠାରେ ପ୍ରାଥମିକତାର ସହ ଆଇଏଲ୍‌ଏସ୍‌/ ଭିଓଆର୍‌ ସ୍ଥାପନ ହେବା ଅବସମ୍ଭ୍ୟାବୀ। ଅନ୍ୟଥା, ବର୍ଷା ଦିନେ ଖରାପ ପାଣିପାଗ ଯୋଗୁଁ ବିମାନ ବାତିଲ ଆଶଙ୍କା ରହିଥିବା ସୂଚାଇଥିଲେ। ଏତଦ୍‌ବ୍ୟତୀତ ଅନ୍ୟ ସହରକୁ ଏକାଧିକ ବିମାନ ଉଡ଼ାଣ, ଆର୍‌ଏସ୍‌ପି ପକ୍ଷରୁ ଦିଆଯାଇଥିବା ମୋଟ୍‌ ଜମିର ଅବଶିଷ୍ଟ ୧୧୧ ଏକରର ସଦୁପଯୋଗକରି ୩ସି ବିମାନବନ୍ଦର ପରିଣତ କରିବାକୁ ଦାବି କରିଥିଲେ। ଏହି ଦୁଇ ଦାବି ପୂରଣ ହେବା ତ ଦୂରର କଥା, ଅତ୍ୟାବଶ୍ୟକ ଆଇଏଲଏସ୍‌ ବ୍ୟବସ୍ଥା ପାଇଁ ଏଏଆଇ ପଛଘୁଞ୍ଚା ଦେଉଛି। ବିମାନ ଚଳାଚଳ ସହ ଜଡ଼ିତ ବିଶାରଦଙ୍କ ଅନୁସାରେ, ଆଇଏଲଏସ୍‌ ପାଇଁ ପାଖାପାଖି ୧୨ କୋଟି ବ୍ୟୟ ହୋଇଥାଏ। ତେବେ ସହରବାସୀଙ୍କ ସ୍ବାର୍ଥକୁ ଅଣଦେଖା କରି ଏଏଆଇ ଏହି ପରିମାଣର ଅନୁଦାନ ଦେବାରେ କୁଣ୍ଠା କରିବା, ବିଡ଼ମ୍ବନା ବ୍ୟତିତ ଅନ୍ୟ କିଛି ହୋଇନପାରେ।

The New Indian Express

 

ଅପରପକ୍ଷରେ ଆଇଏଲ୍‌ଏସ୍‌ ନଥିବାରୁ ଇତିମଧ୍ୟରେ ଏକାଧିକବାର ବିମାନ ଚଳାଚଳ ଅଘୋଷିତ ବନ୍ଦ ହୋଇସାରିଲାଣି। ଗତ ଜାନୁଆରୀ ମାସରେ ବିଶ୍ବକପ୍‌ ସମୟରେ ଆଲୋକର ଅଭାବ ଯୋଗୁଁ ବିମାନ ଉଡ଼ିପାରିନଥିଲା। ତେବେ ଗତ ମାର୍ଚ୍ଚ ମାସରେ ଏହି ଅବ୍ୟବସ୍ଥା ସୀମା ଟପିଥିଲା। ଉକ୍ତ ମାସ ୧୬, ୧୭ ଓ ୧୮ ତାରି‌ଖରେ ଲଗାତାର ତିନି ଦିନ ବିମାନ ସେବା ବନ୍ଦ ରହିଥିଲା। ମାର୍ଚ୍ଚ ୨୮ ତାରିଖରେ ମଧ୍ୟ ବିମାନ ସିଧାସଳଖ ଭୁବନେଶ୍ବର ନଯାଇ, ଝାରସୁଗୁଡ଼ା ଦେଇ ଯାଇଥିଲା। ଉକ୍ତଦିନ ଯାତ୍ରୀ ନିର୍ଦ୍ଧାରିତ ସମୟର ପ୍ରାୟ ସାଢ଼େ ୩ ଘଣ୍ଟା ବିଳମ୍ବରେ ଭୁବନେଶ୍ବରରେ ପହଞ୍ଚିଥିଲେ। ଗତ ୨୨ ତାରିଖରେ ମଧ୍ୟ ଖରାପ ପାଣିପାଗ ଯୋଗୁଁ ଏଠାରେ ବିମାନ ଅବତରଣ କରିପାରିନଥିଲା। ଅବତରଣ ପାଇଁ ଦୁଇ ଦୁଇଥର ପ୍ରୟାସ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା; ଫଳରେ ରାଉରକେଲାର ୬୮ ଜଣ ଯାତ୍ରୀ କେବଳ ନିଜ ଘର ଉପରେ ୨ ରାଉଣ୍ଡ୍‌ ବୁଲି ପୁଣି ଭୁବନେଶ୍ବର ଫେରିବାକୁ ବାଧ୍ୟ ହୋଇଥିଲେ। ଏଭଳି ଅବ୍ୟବସ୍ଥା ଏବେ ନିତିଦିନିଆ ହୋଇସାରିଥିବାରୁ ଯଥାଶୀଘ୍ର ଆଇଏଲ୍‌ଏସ୍‌ ବ୍ୟବସ୍ଥା କରିବା ହିଁ ଏକମାତ୍ର ବିକଳ୍ପ।

ସମ୍ବନ୍ଧିତ ଖବର