ଓଡ଼ିଆ ଅସ୍ମିତା ଓ ଭାବାବେଗକୁ ବୁଝୁନଥିବା ଦୁର୍ନୀତିଖୋର ଲୋକଙ୍କ ହାବୁଡରେ ପଡ଼ିଛି ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳର ଗଁନ୍ଦିଆ ଠାରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ

ଗଁନ୍ଦିଆ/ଢେଙ୍କାନାଳ: ରାଜ୍ୟ ଆଜି ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାବାବେଗକୁ ବୁଝୁନଥିବା ଦୁର୍ନୀତିଖୋର ଲୋକଙ୍କ ହାବୁଡରେ ପଡ଼ିଛି । ଏଠି ବାବୁମାନେ ପ୍ରତିନିଧି । ବାବୁମାନଙ୍କ ଚୌକି ପକାଇବା ପାଇଁ ଜନପ୍ରତିନିଧିମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି ବୋଲି ମଙ୍ଗଳବାର ଢେଙ୍କାନାଳର ଗଁନ୍ଦିଆ ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରର ୯ ବର୍ଷ ପୂରଣ ହେବା ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଦେଶରେ ୧୪୦ କୋଟି ଭାରତୀୟଙ୍କ ସମ୍ମାନ ବଢିଛି । ମୋଦୀଙ୍କ ଶାସନରେ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ଶାସନ ପ୍ରଣାଳୀର ମୂଳ ମନ୍ତ୍ର ହୋଇଛି ଏବଂ ଓଡ଼ିଶା ପୂର୍ବୋଦୟ, ଗରିବ କଲ୍ୟାଣ ଓ ଶାସନ ପ୍ରଣାଳୀର ପ୍ରୟୋଗଶାଳା ହୋଇଛି । ଗରିବ କଲ୍ୟାଣକାରୀ ଯୋଜନାରେ ଢେଙ୍କାନାଳ ଜିଲ୍ଲାର ପ୍ରତି ପରିବାର ଲାଭବାନ ହୋଇଛନ୍ତି । କିନ୍ତୁ ଆଜି ଓଡ଼ିଶାରେ ମୋଦୀ ପଠାଉଥିବା ଟଙ୍କାକୁ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ଲୁଟ କରୁଛନ୍ତି । ଦୀର୍ଘ ୨୩ ବର୍ଷର ଅବ୍ୟବସ୍ଥା ଶାସନ ଉପରେ ପ୍ରଶ୍ନ କଲେ ଶାସକ ଦଳର ସାମନ୍ତବାଦ ଲୋକମାନେ ଗାଳିମନ୍ଦ କରୁଛନ୍ତି । ମୋଦିଜୀଙ୍କ ମାର୍ଗଦର୍ଶନରେ ଅନୁଗୁଳ ଓ ଢେଙ୍କାନାଳରେ ବିକାଶ ହୋଇଛି କି ନାହିଁ, ତାହା ଲୋକ କହୁଛନ୍ତି ଏବଂ ଗଁନ୍ଦିଆର ଏହି ବିଶାଳ ଜନ ସମାବେଶ ତାହାର ବଡ ପ୍ରମାଣ ଦେଉଛି । ଏଥିପାଇଁ ଶାସକ ଦଳର ସାର୍ଟିଫିକେଟ୍ ଦରକାର ନାହିଁ ।

ମହିମା ମଠରେ ପାନୀୟ ଜଳର ସୁବିଧା କରିବା ପାଇଁ ଓଏନଜିସି ତରଫରୁ ପ୍ରାୟ ୧୬ କୋଟି ଟଙ୍କାର ବ୍ୟବସ୍ଥା କରାଯିବା ପରେ ମଧ୍ୟ ସେହି ପ୍ରକଳ୍ପକୁ ରାଜ୍ୟ ସରକାର ଭୁଲିଗଲେ। ମହିମା ମଠ ମୋ ପାଇଁ ରାଜନୈତିକ ରଣକ୍ଷେତ୍ର ନୁହେଁ । ଯେଉଁମାନେ ଭାବୁଥିବେ ମୋଟା ଅଙ୍କର ଅର୍ଥ ଦେଇ ସ୍ୱାଭିମାନୀ ଢେଙ୍କାନାଳବାସୀଙ୍କୁ କିଣିନେବେ, ତେବେ ସେମାନେ ଭୁଲ୍ ଭାବୁଛନ୍ତି । ହୁଏତ ଏହି ଅଞ୍ଚଳର ବୀର ସଂଗ୍ରାମୀଙ୍କ ତ୍ୟାଗ ଓ ଇତିହାସ ବିଷୟରେ ସେମାନେ ଅନଭିଜ୍ଞ । ଏହି ମାଟି ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜୀଉ, ନାଧରା ରାମଚଣ୍ଡୀଙ୍କ ମାଟି । ବୀର ସାରଙ୍ଗଧର ଦାସ, ବୈଷ୍ଣବ ଚରଣ ପଟ୍ଟନାୟକ, ବାଜି ରାଉତ, ମୂଷା ମଲିକ, ମହେଶ ଚନ୍ଦ୍ର ସୁବାହୁ ସିଂଙ୍କ ପୁଣ୍ୟ ଭୂମି ।

ଯେଉଁ ମହାଶୟ ଦୀର୍ଘ ୨୩ ବର୍ଷ ଶାସନରେ ରହିବା ପରେ ବି ମହିମା ଗୋସାଇଁଙ୍କ ପାଦଦେଶକୁ ଥରେ ସମର୍ପଣ ଦେବା ପାଇଁ ଆସିନାହାନ୍ତି ସେ ତାଙ୍କ ମେରୁଦଣ୍ଡହୀନ ଗୁମାସ୍ତାଙ୍କୁ ଟଙ୍କା ଦେଇ ଆସିବା ପାଇଁ ପଠାଉଛନ୍ତି । ସେମାନେ ଜାଣି ରଖିବା ଉଚିତ୍ ଯେ ଏହି ମାଟିର ସ୍ୱାଭିମାନୀ ଜନତା ବଳିଦାନ ଦେଇଦେବ ପଛେ ମାତ୍ର ଦେଶ ମାତୃକାର ସ୍ୱାଭିମାନ ପାଇଁ କେବେ ବୁଝାମଣା କରିବ ନାହିଁ । ଅପରପକ୍ଷରେ ଆଜି ମହିମା ଗୋସାଇଁ ଓ ସନ୍ଥ କବି ଭୀମ ଭୋଇଙ୍କ ବାର୍ତ୍ତାକୁ ବିଶ୍ୱ ସ୍ତରରେ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଛତିଶଗଡ଼ ବିଳାସପୁରସ୍ଥିତ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ପ୍ରତିଷ୍ଠା ହୋଇଛି । ସମ୍ବଲପୁର-ଶାଲିମାର ଏକ୍ସପ୍ରେସ ମହିମା ଗୋସାଇଁଙ୍କ ନାଁରେ ନାମିତ କରାଯାଇଛି ।

ଢେଙ୍କାନାଳର ୪୫ ବର୍ଷର ଅଭିମନ୍ୟୁ ବେହେରା ଘର ନଥିବାରୁ ଅଭିଯୋଗ କରୁଛନ୍ତି । ପିଏମ ଆବାସରେ ତାଙ୍କ ପାଇଁ ଆସିଥିବା ଘର କୁଆଡେ ଗଲା? ଗଁନ୍ଦିଆ ଅନ୍ତର୍ଗତ କେଶରଦା ଅଞ୍ଚଳର କୁନି ପୂର୍ତ୍ତି, ମାଟି ପୂର୍ତ୍ତି, ଲତା ଖଟୁଆଙ୍କ ଭଳି ଜନଜାତି ସମ୍ପ୍ରଦାୟର ଲୋକମାନେ ଗ୍ରାମରେ ରାସ୍ତାଘାଟ ଠିକ୍ ନଥିବା ପାଇଁ ଅଭିଯୋଗ କରୁଛନ୍ତି । ଏଥିପାଇଁ ମୋଦି ଦେଉଥିବା ଟଙ୍କା ଯାଉଛି କୁଆଡେ ବୋଲି ପ୍ରଶ୍ନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦୀ ସରକାର ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ଢେଙ୍କାନାଳ ଜିଲ୍ଲାର ୨ ଲକ୍ଷ ୭୦ ହଜାର ୮୭୬ ଟି ପରିବାରକୁ ସର୍ବମୋଟ ୮ ହଜାର ୮୧୬ କୋଟି ଟଙ୍କା ଦେଇଛନ୍ତି । ପରିବାର ପିଛା ପ୍ରାୟ ୩ ଲକ୍ଷ ୨୫ ହଜାର ୪୬୭ ଟଙ୍କା ମିଳିଛି । ଏହାର ବିସ୍ତୁତ ହିସାବ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଢେଙ୍କାନାଳ ଜିଲ୍ଲାର ୯ ଲକ୍ଷ ୪୫ ହଜାର ହିତାଧିକାରୀଙ୍କୁ ଜଣଙ୍କ ପିଛା ମାସିକ ୫ କେଜି ଚାଉଳ ହିସାବରେ ୨୦୪୦.୮ କୋଟି ଟଙ୍କା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ୭୯ ହଜାର ୨୪୯ ଘର ପାଇଁ ୯୫୧ କୋଟି ଟଙ୍କା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ସହରରେ ୧୦ ହଜାର ୩୦୫ଟି ଘର ପାଇଁ ୩୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ପିଏମ ଆବାସରେ ଭୁବନ ପାଇଁ ୭,୪୬୩, ଢେଙ୍କାନାଳ ସଦର ପାଇଁ ୯,୪୨୫, ଗଁଦିଆ ପାଇଁ ୧୦,୬୯୧, ହିନ୍ଦୋଳ ପାଇଁ ୧୫,୨୧୧, କାମାକ୍ଷାନଗର ପାଇଁ ୮,୪୮୫, ଓଡ଼ପଡ଼ା ପାଇଁ ୫,୬୫୪, ପରଜଙ୍ଗ ପାଇଁ ୧୧,୫୪୭ ଘର ପ୍ରଦାନ କରାଯାଇଛି।

ସେହିପରି ସ୍ୱଚ୍ଛ ଭାରତ ଯୋଜନାରେ ୨ ଲକ୍ଷ ୭୨ ହଜାର ୫୬୪ ପରିବାର ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି ଏବଂ ଏଥିପାଇଁ ୩୨୭ କୋଟି ଟଙ୍କା ଦିଆଯାଇଛି । ୩୧.୯୬ କୋଟି ଟଙ୍କା ମୂଲ୍ୟର୧ ଲକ୍ଷ ୯୯ ହଜାର ୭୫୮ ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ ଦିଆଯାଇଛି । ୭ ଲକ୍ଷ ୬ ହଜାର ୫୭୬ ଜଣଙ୍କୁ ମୁଦ୍ରା ଋଣ ବାବଦକୁ ୨୭୯୯ କୋଟି ଟଙ୍କା ଦିଆଯାଇଛି । ମନରେଗାରେ ୩.୩୦ କୋଟି ଦିନର କାମ ଦିଆଯିବା ସହ ମୋଟ ୯୩୯ କୋଟି ଟଙ୍କା ପ୍ରଦାନ କରାଯାଇଛି । ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆରେ ୧୪୯ ଜଣଙ୍କୁ ୩୫ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ସ୍ୱନିଧି ଯୋଜନାରେ ୬୯୫ ଜଣ ଉଠା ଦୋକାନୀଙ୍କୁ ୮୭ ଲକ୍ଷ ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଛି । ୧ ଲକ୍ଷ ୬୭ ହଜାର ୯୪୪ଟି ଏନଆରଏଲଏମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୮୩୩ କୋଟିର ଋଣ ବ୍ୟବସ୍ଥା କରାଯାଇଛି । ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ସ୍ୱରୂପ ୬୧ ହଜାର ୬୧୧ ଜଣ ହିତାଧିକାରୀଙ୍କୁ ୫୩୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଜିଲ୍ଲାର ୧୭ ଲକ୍ଷ ୨୩ ହଜାର ୨୭୧ ଜଣଙ୍କୁ ୨୧.୫ କୋଟି ଟଙ୍କା ମୂଲ୍ୟର ଏଲଇଡି ବଲ୍ବ ପ୍ରଦାନ କରାଯାଇଛି । ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଭୋପାଳରୁ ଦେଶର ବୁଥ ସ୍ତରର କର୍ମକର୍ତ୍ତାଙ୍କୁ ଦେଉଥିବା ଅଭିଭାଷଣ ଶୁଣିଥିଲେ । କେନ୍ଦ୍ରମନ୍ତ୍ରୀଙ୍କୁ ଗଁନ୍ଦିଆ ସମେତ ବିଭିନ୍ନ ସ୍ଥାନରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ସମ୍ବନ୍ଧିତ ଖବର