ଗହଣା ଦୋକାନୀଙ୍କୁ ଲୁଟ୍‌ ଘଟଣାରେ ୩ ଗିରଫ

ବିଂଝାରପୁର : ବିଂଝାରପୁର ଥାନା ବିତନା ପଞ୍ଚାୟତ ଗୋପବନ୍ଧୁନଗର ବଜାରର ଗହଣା ଦୋକାନୀଙ୍କୁ ଲୁଟ୍‌ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ବଜାରରେ ଗହଣା ଦୋକାନ କରିଥିବା ମଦନ ମୋହନ ସାହୁଙ୍କୁ ଆକ୍ରମଣ କରି କିଛି ଦୁର୍ବୃତ୍ତ ଗହଣା ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ମଙ୍ଗଳପୁର ଥାନା ଅନ୍ତର୍ଗତ ଅସନପୁର ପଞ୍ଚାୟତ କରିଅଙ୍ଗ ଗ୍ରାମର ରମେଶ ମଲିକଙ୍କ ପୁଅ ଦେବରଂଜନ ଓରଫ ସିପୁ(୨୫)କୁ ପୁଲିସ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ ସିପୁଠାରୁ ଚୋରି ଜିନିଷ ନେଇ ଘରେ ରଖିଥିବା ସଦର ଥାନା ଅନ୍ତର୍ଗତ ଏରବାଙ୍କ ଗ୍ରାମର ସୁମନ ମଲିକ(୨୭) ଓ ଦେବାଶିଷ ସାମଲ(୨୭)କୁ ମଧ୍ୟ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

ପ୍ରକାଶ ଯେ, ଦୋକାନୀ ଶ୍ରୀ ସାହୁ ଗତ ରବିବାର ରାତି ୧୦ଟାରେ ଦୋକାନ ବନ୍ଦକରି ଘରକୁ ଫେରୁଥିଲେ। ଏହି ସମୟରେ ବିତନା ହାଟ ଠାରୁ କିଛି ଦୂରରେ ଏକ ଗ୍ଲାମର ବାଇକ୍‌ରେ ଆସି ମୁଖ୍ୟ ଅଭିଯୁକ୍ତ ସିପୁ ଓ ଅନ୍ୟ ୨ଜଣ ତାଙ୍କ ମୁଣ୍ଡ ଓ ହାତକୁ ଭୁଜାଲିରେ ହାଣି ଶ୍ରୀସାହୁଙ୍କ ବ୍ୟାଗରେ ଥିବା ଏକଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା, ରୁପା ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ବିଂଝାରପୁର ଆଇଆଇସି ନିରଂଜନ ଶବର ୫୦/୨୧ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲେ। ଅଳକୁଣ୍ଡ ଫାଣ୍ଡି ଅଧିକାରୀ ଗଣେଶ ଚନ୍ଦ୍ର ଘଡ଼ାଇ ଛତ୍ରପଡ଼ା ଅଞ୍ଚଳରେ ଚଢ଼ଉ କରି ଗତ ୧୧ ତାରିଖ ରାତିରେ ସିପୁକୁ ଉଠାଇଆଣି ପଚରାଉଚରା କରିଥିଲେ। ଗତକାଲି ରାତିରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଆଜି ୩ ଜଣଙ୍କୁ ଡାକ୍ତରୀପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିଲା। ଏହି ଘଟଣାରେ ସିପୁର ଅନ୍ୟ ଦୁଇ ସହଯୋଗୀ ଏବେ ମଧ୍ୟ ଫେରାର ଅଛନ୍ତି।

ସମ୍ବନ୍ଧିତ ଖବର