ଶ୍ୟାମ ମେଟାଲିକ୍ସରେ ପୁଣି ଦୁର୍ଘଟଣା : ୩୦ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକଙ୍କ ଜୀବନ ଗଲା

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍‌ ପାଣ୍ଡଲୋଇସ୍ଥିତ ଶ୍ୟାମ ମେଟାଲିକ୍‌ସ କାରଖାନା ଏବେ ତା’ର ନିଜ କର୍ମଚାରୀଙ୍କ ପାଇଁ ଯମ ଦ୍ବାର ପାଲଟିଛି। ସୁରକ୍ଷା ବ୍ୟବସ୍ଥା ଅଭାବରୁ କିଛି କିଛି ଦିନ ବ୍ୟବଧାନରେ ଏଠାରେ ଦୁର୍ଘଟଣାମାନ ଘଟିବା ସହ ଧନ ଜୀବନ ହାନି ହେବାରେ ଲାଗିଛି। ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ କମ୍ପାନି କର୍ମଚାରୀଙ୍କ ସୁରକ୍ଷା ପ୍ରତି ଆଦୌ ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି। ରବିବାର ବିଳମ୍ବିତ ରାତିରେ କମ୍ପାନିର ଡିଆର୍‌ଆଇ ୧ରେ ୩୦ ଫୁଟ୍‌ ଉଚ୍ଚରୁ ଖସି ଜଣେ ଶ୍ରମିକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନାନୁସାରେ ରବିବାର ବିଳମ୍ବିତ ରାତିରେ ମୋତିଲାଲ ଗୁପ୍ତା (୫୬) ଡିଆର୍‌ଆଇ ୧ରେ କାର୍ଯ୍ୟରତ ଥିଲେ। ତେବେ ସୁରକ୍ଷା ବ୍ୟବସ୍ଥା ଅଭାବରୁ ସେ ୩୦ ଫୁଟ୍‌ ଉଚ୍ଚରୁ ତଳକୁ ଖସିପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ସମ୍ବଲପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୋତିଲାଲଙ୍କ ଘର ଛତିଶଗଡ଼ ରାଜ୍ୟ ରାୟଗଡ଼ ଅଞ୍ଚଳରେ ହୋଇଥିବା ବେଳେ ସେ ରେଙ୍ଗାଲିରେ ଭଡ଼ା ଘରେ ରହି ଶ୍ୟାମ ମେଟାଲିକ୍‌ସରେ କାମ କରୁଥିଲେ। ରେଙ୍ଗାଲି ଥାନା ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର