ମହାନଦୀରେ ଭାସିଗଲେ ତିନି ଭାଇ-ଭଉଣୀ; ବଡ଼ଭଉଣୀ ମୃତ, ସାନ ଦୁଇ ଉଦ୍ଧାର

ବାଙ୍କୀ : ଆଜି ମଧ୍ୟାହ୍ନରେ ବାଙ୍କୀ ସହର ନିକଟରେ ମହାନଦୀର ସୁନାଦେଈ ତୁଠ ନିକଟରେ ଗାଧୋଉଥିବାବେଳେ ତିନିଜଣ ଭାଇଭଉଣୀ ଭାସି ଯାଇଛନ୍ତି। ମାଛଧରାଳିମାନେ ଦୁଇ ସାନ ଭାଇ-ଭଉଣୀଙ୍କୁ ଉଦ୍ଧାର କରିଥିବାବେଳେ ୧୨ବର୍ଷର ବଡ଼ ଭଉଣୀର ମୃତ୍ୟୁ ଘଟିଛି। ଘଟଣାର ପ୍ରାୟ ୨ଘଣ୍ଟା ପରେ ୨ କିଲୋମିଟର ଦୂରରୁ ବଡ଼ଭଉଣୀର ମୃତଦେହ ଉଦ୍ଧାର କରାଯାଇଛି।

ଆନ୍ଧପ୍ରଦେଶର ଜି. ସୁବା ରେଡ୍ଡି ବାଙ୍କୀ ସହରର ନୃସିଂହ ଛକଠାରେ ଦୀର୍ଘଦିନ ଧରି ଏକ ମୁଢ଼ି ମିଲ୍‌ କରି ପରିବାର ସହିତ ରହି ଆସୁଛନ୍ତି। ଆଜି ମଧ୍ୟାହ୍ନ ପ୍ରାୟ ୧ଟା ସମୟରେ ସୁବା ନିଜ ୯ବର୍ଷର ଝିଅ ଓ ୬ବର୍ଷର ପୁଅ ତଥା ସାଙ୍ଗରେ ରହୁଥିବା ନିଜ ଭାଇଙ୍କ ଝିଅ ଲକ୍ଷ୍ମୀ(୧୨)ଙ୍କୁ ଧରି ମହାନଦୀର ସୁନାଦେଈ ତୁଠକୁ ଗାଧୋଇବାକୁ ଯାଇଥିଲେ। ସୁବା ରେଡ୍ଡି ନଦୀକୂଳରେ ବସିଥିବାବେଳେ ପିଲା ତିନିଜଣ ନଦୀରେ ଗାଧୋଉଥିଲେ। ଗାଧୋଇବାବେଳେ ଅଜାଣତରେ ସେମାନେ ସମସ୍ତେ ନଦୀର ସୁଅମୁହଁକୁ ଭାସି ଯାଇଥିଲେ। ନିକଟରେ ମାଛ ଧରୁଥିବା ପ୍ରଶାନ୍ତ ମଙ୍ଗୁଆଳ ଓ ଅନ୍ୟମାନେ ନଦୀରେ ପହଁରି ଦୁଇ ସାନ ପୁଅ-ଝିଅଙ୍କୁ ଉଦ୍ଧାର କରିଥିଲେ ବି ବଡ଼ଭଉଣୀ ଲକ୍ଷ୍ମୀ ମିଳିନଥିଲେ। ବାଙ୍କୀ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବାର ପ୍ରାୟ ଦୁଇଘଣ୍ଟା ପରେ ଦୁଇ କିଲୋମିଟର ଦୂର ରଣପୁର ପଠା ନିକଟରୁ ଲକ୍ଷ୍ମୀଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ତୁରନ୍ତ ବାଙ୍କୀ ଉପଖଣ୍ତ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ବାଙ୍କୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର