ଚୋର ଗ୍ୟାଙ୍ଗର ୩ ଜଣକୁ ବାନ୍ଧିଲା ପୁଲିସ, ୪ ଫେରାର

ରାଉରକେଲା: ୭ଜଣ ଦୁର୍ବୃତ୍ତ ଛେଣ୍ଡ ସ୍ଥିତ ଓପିଟିସିଏଲ୍‌ ଗ୍ରୀଡ଼୍‌ରୁ ଲୁହା ଏଙ୍ଗେଲ୍‌ ଓ ତମ୍ବା ତାର ଚୋରି କରିଥିଲେ। ଆଜି ଛେଣ୍ଡ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୪ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ମଧୂସୁଦନପାଲି ଅଞ୍ଚଳର ମଣ୍ଟୁ ଭଗତ (୪୨), ରାମ ସେବକ ଦାଶ (୧୮), ଦେଉରୀ ବସ୍ତିର ସୁରେନ୍ଦ୍ର ସେଠୀ (୨୬)। ସେମାନଙ୍କଠାରୁ ୮୦୦ ଖଣ୍ଡ ଲୁହା ଏଙ୍ଗେଲ, ତମ୍ବା ତାର, ଏକ ଟାଟ ଏସି୍‌ (ଓଡ଼ି-୧୪-ଏ-୦୩୨୩) ଗାଡ଼ି, ଆରିପାତ, ସାବଳ, ନିହଣ, ହାତୁଡ଼ି ଜବତ କରିଛି ପୁଲିସ। ପୁଲିସ ସୂଚନା ଅନୁଯାୟୀ, ଗତ ଶୁକ୍ରବାର ବିଳମ୍ବିତ ରାତିରେ ୭ଜଣ ଦୁର୍ବୃତ୍ତ ଓପିଟିସିଏଲ୍‌ ଗ୍ରୀଡ୍‌ ପଛପଟୁ ଆସିଥିଲେ। ଏକ ସାବଳରେ ତାଲା ଭାଙ୍ଗି ଭିତରକୁ ଭିତରକୁ ପ୍ରବେଶ କରିଥିଲେ। ସେଠାରେ ଥିବା ତମ୍ବା ତାର ଏବଂ ଲୁହା ଏଙ୍ଗେଲକୁ ଏକ କଟରରେ କାଟି ଟାଟା ଏସି୍ ଗାଡ଼ିରେ‌ ଏକ ସ୍ଥାନକୁ ନେଇଥିଲେ। ଦୁର୍ବୃତ୍ତମାନେ ଏସବୁ ସାମଗ୍ରୀ ବିକ୍ରି କରିବା ପାଇଁ ଯୋଜନା ଚଳାଇଥିଲେ। ଶନିବାର ସକାଳେ ଓପିଟିସିଏଲ୍‌ କର୍ତ୍ତୃପକ୍ଷ ଏ ସଂପର୍କରେ ଛେଣ୍ଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ତନାଘନା ପରେ ଆଜି ୩ଜଣଙ୍କୁ ଗିରଫ କରି ସମୁଦାୟ ଦେଢ଼ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରିଛି।

ସମ୍ବନ୍ଧିତ ଖବର