ଆଜିଠାରୁ ପରିବହନ କର୍ମଚାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା, ଜିଲ୍ଲାରେ ପ୍ରଭାବିତ ହୋଇପାରେ ବସସେବା

ବାରିପଦା : ସୋମବାର ସକାଳୁ ପରିବହନ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦେଇଛନ୍ତି। ଏହି କାରଣରୁ କିଛିଦିନ ହେବ ମୟୂରଭଞ୍ଜରେ ଆରମ୍ଭ ହୋଇଥିବା ବସସେବା ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଆସନ୍ତାକାଲି ସକାଳଠାରୁ ଡ୍ରାଇଭର୍, ହେଲ୍ପର, କଣ୍ଡକ୍ଟରଙ୍କ ସମେତ ବସସେବା କ୍ଷେତ୍ରରେ ନିୟୋଜିତ ସମସ୍ତ କର୍ମଚାରୀ ଧର୍ମଘଟରେ ଯୋଗେଦେବେ ବୋଲି ଓଡ଼ିଶା ମୋଟର ପରିବହନ ସଂଘ, ମୟୂରଭଞ୍ଜର ସଭାପତି ରଘୁନାଥ ପଣ୍ଡା ସୂଚନା ଦେଇଛନ୍ତି।

ଓଡ଼ିଶା ପରିବହନ ମହାସଂଘର ଡାକରାରେ ମୟୂରଭଞ୍ଜରେ ଏହି ଧର୍ମଘଟ ହେବ। ଏନେଇ ମୟୂରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ଆଜି ଏନେଇ ଏକ ଜରୁରୀକାଳୀନ ସଭା ଅନୁଷ୍ଠିତ ହୋଇଥିଲା। ବାରମ୍ବାର ଦାବି ସତ୍ତ୍ବେ ରାଜ୍ୟ ସରକାର ପରିବହନ କର୍ମଚାରୀଙ୍କ ପାଇଁ କୌଣସି ଆର୍ଥିକ ସହାୟତା କିମ୍ବା କରୋନା ମହାମାରୀ ସମୟରେ କର୍ତ୍ତବ୍ୟ ସମୟରେ କୌଣସି ଅଘଟଣ ଘଟିଲେ କୌଣସି ଆର୍ଥିକ ପ୍ୟାକେଜ୍ ଘୋଷଣା କରାଯାଇନାହିଁ। ବସସେବା ଆରମ୍ଭ ହେବା ପରେ କାପାସିଟି ଅନୁସାରେ ଯାତ୍ରୀ ପରିବହନ ହେଉଥିଲେ ମଧ୍ୟ ବସ୍ ଭିତରେ ସାମାଜିକ ଦୂରତା ବଜାୟ ରଖିବା ସମ୍ଭବ ନୁହେଁ। ବସ୍ ଚଲାଇବା ସମୟରେ କର୍ମଚାରୀମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ନିଜର ତଥା ନିଜର ପରିବାରର ଜୀବନ ବିପନ୍ନ କରିବାର ଯଥେଷ୍ଟ ଆଶଙ୍କା ରହିଛି। ତଥାପି ସରକାର ପରିବହନ କର୍ମଚାରୀମାନଙ୍କ ପାଇଁ କୌଣସି ସହାୟତା ଘୋଷଣା କରିନାହାନ୍ତି। ଏହାକୁ ବିରୋଧ କରି ଆଜିଠାରୁ ସମସ୍ତ ପରିବହନ ଶ୍ରମିକମାନେ ବସସେବାରେ ସାମିଲ ହେବେନାହିଁ ବୋଲି ନିଷ୍ପତି ହୋଇଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ଏହି ସଭାରେ କାର୍ଯ୍ୟକାରୀ ସଭାପତି ରବି ଗୋସ୍ବାମୀ, ସାଧାରଣ ସମ୍ପାଦକ ମନୋରଂଜନ ପରିଡ଼ା, ସମ୍ପାଦକ ଅଶୋକ ଭଞ୍ଜଦେଓ, ଗଙ୍ଗାଧର ସାମଲ, ଜୟନାରାୟଣ ଷଡ଼ଙ୍ଗୀ, ଷ୍ଟାଣ୍ଡ୍ ସମ୍ପାଦକ ଦାଶରଥି ରାଉତ, ସୁଭାଷ ଚନ୍ଦ୍ର ତ୍ରିପାଠୀ, ଜୀବନ କୁମାର ମହାକୁଡ଼ ସମେତ ଶତାଧିକ ଶ୍ରମିକ, କର୍ମଚାରୀ ଉପସ୍ଥିତ ଥିଲେ। ଏହି ଧର୍ମଘଟକୁ ସଫଳ କରିବା ପାଇଁ ସଂଘ ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର