ମଧ୍ୟାହ୍ନ ଭୋଜନ କରାଇ ପାରିଲେନି ମା’, ଘର ସାମ୍ନା ପୋଖରୀରେ ବୁଡ଼ିଗଲେ ଯାଆଁଳା ପୁଅ

ଗୋଲାମୁଣ୍ଡା: ଘର ଭିତରେ ମା’ ରୋଷେଇ କରୁଥିଲେ। ଦୁଇ ଯାଆଁଳା ପୁଅଙ୍କୁ ମଧ୍ୟାହ୍ନ ଭୋଜନ କରାଇବେ ବୋଲି ରୋଷେଇ କାମରେ ବ୍ୟସ୍ତ ଥିଲେ। ଘର ବାହାରେ ପିଲାମାନେ ଖେଳୁଥିବା ବେଳେ ବ୍ୟସ୍ତତା କାରଣରୁ ତାହା ସେ ଜାଣି ପାରି ନଥିଲେ। ସେମାନେ ଏହାରି ଭିତରେ ଘର ସାମ୍ନାରେ ଥିବା ପୋଖରୀକୁ ଚାଲିଯାଇଥିଲେ ଯାଆଁଳା ଭାଇ।  ଦୁଇ ଭାଇ ପ୍ରତିଦିନ ଘରେ ଗାଧୋଇ ଥାନ୍ତି। କିନ୍ତୁ ଆଜି କାହିିଁକି କେଜାଣି ସେମାନେ ଖେଳିବା ଆଳରେ ପୋଖରୀକୁ ପହଞ୍ଚି ଯାଇଥିଲେ। ପୋଖରୀରେ ଗାଧୋଇବା ଅଭିଜ୍ଞତା ନଥିବାରୁ ଯାଆଁଳା ଭାଇ ବୁଡ଼ି ଯାଇଥିଲେ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ମହାଲିଙ୍ଗ ଗ୍ରାମରେ ଆଜି ଏହି ଅଭାବନୀୟ ଅଘଟଣ ଘଟି ଯାଇଛି। ଗାଁର ପୋଖରୀରେ ଦୁଇ ଯାଆଁଳା ଭାଇ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ମାନେ ହେଲେ ୫ ବର୍ଷ ବୟସର ପୀୟୁଷ ଓ ୟସ।

ସୂଚନା ଅନୁସାରେ ମହାଲିଙ୍ଗ ଗାଁର ‌ରୋହିତ ସାହୁ ଠେଲାଗାଡ଼ିରେ ବ୍ୟବସାୟ କରନ୍ତି।‌ ଆଜି ଅପରାହ୍ନ ପ୍ରାୟ ସାଢ଼େ ୧୨ଟା ସମୟରେ ସେ ଘରେ ନଥିଲେ। ଘରେ ତାଙ୍କ ସ୍ତ୍ରୀ ରୋଷେଇ କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ପୀୟୁୁଷ ଓ ୟସ୍‌ ପୋଖରୀକୁ ଯାଇ ବୁଡ଼ିଯାଇଥିଲେ। ଅଘଟଣ ପରେ ପରିବାର ଲୋକେ ପୋଖରୀରୁ ଦୁଇ ଯାଆଁଳା ଭାଇଙ୍କୁ ଉଦ୍ଧାର କରି ସ୍ଥାନୀୟ ବୋର୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୂଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କଟିଥିଲେ। ରୋହିତ ୨ ପୁଅଙ୍କୁ ହରାଇଥିବା ବେଳେ ମହାଲିଙ୍ଗ ଗାଁରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର