୨ ରାଜ୍ୟରେ ଭୋଟ୍‌ ଦେବେ: ସକାଳେ ଓଡ଼ିଶାରେ, ଉପରବେଳା ଆନ୍ଧ୍ରରେ

ଓଡ଼ିଆ ଭାଷା ବୁଝିପାରୁନାହାନ୍ତି ଛାତ୍ରଛାତ୍ରୀ

ଓଡ଼ିଶା-ଆନ୍ଧ୍ର ସୀମାନ୍ତ ରାଇପାହାଡରୁ
କେଶବ ପାଣିଙ୍କ ରିପୋର୍ଟ
ମା’ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ଜାଣିଛନ୍ତି?
ନା’ ଆମେ ଜାଣିନୁ
ପ୍ରଧାନମନ୍ତ୍ରୀ କିଏ ଜାଣିଛନ୍ତି’?
ନା’
ଆନ୍ଧ୍ର ମୁଖ୍ୟମନ୍ତ୍ରୀ କିଏ ଜାଣିଛନ୍ତି କି?
ମୁଁ କେମିତି ଜାଣିବି?
ଏଥର ଭୋଟ ଦେବେନି କି?
ହଁ, ସୋମବାର ଭୋଟ ଦେବି।
କୋଉଠି ଦେବେ? ଓଡ଼ିଶା ନା ଆନ୍ଧ୍ର?
ଦୁଇ ଆଡ଼େ ଦେବି। ସକାଳେ ଓଡ଼ିଶାରେ ଦେବି। ଉପରବେଳା ଆନ୍ଧ୍ରରେ ଯାଇକେ ଭୋଟ ଦେବି।
ସକାଳେ ଭୋଟ ଦେବା ପରେ ଆଙ୍ଗୁଠିରେ ରଙ୍ଗ ଲାଗିଥିବ, ଉପରବେଳା ସେମାନେ ଅନୁମତି ଦେବେ ତ?
କାହିଁକି ଦେବେନି? ଆଗରୁ ଆମେ ଦେଇଛୁ। ଆଗକୁ ବି ଦେବୁ। ସେମାନେ ଆମକୁ ଡାକିବାକୁ ଆସିବେ।
ତେବେ ଭୋଟ କାହାକୁ ଦେବ?
ତୁମକୁ କାହିଁକି କହିବୁରେ ବାବୁ। ଆମ ସରପଞ୍ଚ ଯାହାକୁ କହିବ ତାକୁ ଭୋଟ ଦେବୁ।
କୋରାପୁଟ ଜିଲ୍ଲା ପଟାଙ୍ଗି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନନ୍ଦପୁର ବ୍ଲକ ଗୋଲୁର ଗ୍ରାମ ପଞ୍ଚାୟତ ରାଇପାହାଡ଼ ଗାଁର ଜଣେ ମହିଳାଙ୍କ ଏଭଳି ଉତ୍ତର ଆଶ୍ଚର୍ଯ୍ୟଚକିତ କଲା ଭଳି। ଜଣେ ନୁହେଁ, ଅନେକଙ୍କ ମତ ପାଖାପାଖି ଏୟା। ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ସେମାନେ ଜାଣନ୍ତି। ଶାସନ ବିଷୟରେ ଅଜ୍ଞ। ଦେଶର ପ୍ରଧାନମନ୍ତ୍ରୀ କିଏ ତାହା ମଧ୍ୟ ସେମାନଙ୍କୁ ଜଣାନାହିଁ। ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ବିଷୟରେ ସେମାନଙ୍କ ପାଖରେ କିଛି ଖବର ନାହିଁ। କେବଳ
ଭୋଟ ଦିଅନ୍ତି। ଓଡ଼ିଶା ଓ ଆନ୍ଧ୍ର ସୀମା ବିବାଦ ମଧ୍ୟରେ ଛନ୍ଦି ହୋଇପଡିଥିବା ଏହି ଗାଁ ଲୋକେ ଦୁଇ ରାଜ୍ୟରେ ନିଜର ମତାଧିକାର ସାବ୍ୟସ୍ତ କରିଆସୁଛନ୍ତି ଓ ଉଭୟ ରାଜ୍ୟର ଭୋଟର ତାଲିକାରେ ଏମାନଙ୍କ ନାମ ମଧ୍ୟ ରହିଛି।

ଆହୁରି ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି ଯେ ଏହି ଗାଁର ପ୍ରାୟ ୨୦ ପରିବାର ଏବେ ଉଭୟ ରାଜ୍ୟରୁ ସେବା ମଧ୍ୟ ପାଉଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଠାରୁ ଆରମ୍ଭ କରି ଗର୍ଭବତୀ ମହିଳାଙ୍କୁ ମିଳୁଥିବା ସୁବିଧା ପର୍ଯ୍ୟନ୍ତ ସବୁ କିଛି ଏମାନଙ୍କୁ ଉଭୟ ରାଜ୍ୟରୁ ମିଳୁଛି। ଭତ୍ତା ବାବଦରେ ଆନ୍ଧ୍ର ସରକାର ମାସକୁ ୩୦୦୦ ଟଙ୍କା ଲେଖାଏଁ ଦେଉଛନ୍ତି। ଓଡ଼ିଶା ସରକାର ହଜାରେ ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି। ଗତବର୍ଷ ଠାରୁ ଆନ୍ଧ୍ର ପ୍ରଶାସନ ଏଠାରେ ପ୍ରବେଶ କରି ସେବା ଯୋଗାଇ ଆସୁଛନ୍ତି ଏବଂ ଆନ୍ଧ୍ର ସରକାର ଏଠାକାର ଲୋକଙ୍କ ପ୍ରିୟ ଭାଜନ ହେବାରେ ଲାଗିଛନ୍ତି। ୨୦୨୩ ଅଗଷ୍ଟ ମାସରେ ଉଭୟ ରାଜ୍ୟ ପ୍ରଶାସନର ଆଲୋଚନା ପରେ ମଧ୍ୟ ଆନ୍ଧ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସେବାଗୁଡିକ ଏବେ ମଧ୍ୟ ଜାରି ରହିଛି। ସ୍ଥାନୀୟ ଗାଁରେ ସ୍ଥିତି ଅନୁଧ୍ୟାନ କରିବା ବେଳେ ଆଉ ଯେଉଁ କଥାଟି ଦେଖିବାକୁ ମିଳିଥିଲା, ତାହା ହେଲା -ଏଠାରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଗୋଟିଏ ଫେଜ୍‌ରେ ବିଜୁଳି ଯୋଗାଣ ହୋଇଛି, ଯାହାକୁ ଏବେ ଲୋକେ ବ୍ୟବହାର କରୁଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଥ୍ରି ଫେଜ୍‌ ବିଜୁଳି ତାର ଟଣା ଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। କିଛି ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ପଡିଛି। କିଛି ସ୍ଥାନରେ ତାର ଟଣାଯାଇଛି। ଆଉ କିଛି ସ୍ଥାନରେ ଟ୍ରାନ୍ସଫର୍ମର ବି ଲାଗିଛି। ଲୋକଙ୍କ ଘରକୁ କେବୁଲ ଯାଇଛି, ମିଟର ଲାଗିଛି। ହେଲେ ଲାଇନ ଜଳୁନାହିଁ। ମିଟର ବସାଇବାକୁ ଘର ଛାତ କଣା କରାଯାଇଥିଲେ ମଧ୍ୟ ତାହାର ମରାମତି କରାଯାଇ ନାହିଁ। ଏଣୁ ବର୍ଷା ହେଲେ ଲୋକଙ୍କ ଘରେ ପାଣି ପଶୁଥିବାରୁ ସେମାନେ ଭୀଷଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏହି ଗାଁର କମଲୁ ଖରାଙ୍କ କହିବାନୁଯାୟୀ, ଆମର ଦୁଇ ରାଜ୍ୟରେ ଭୋଟର ତାଲିକା ରହିଛି। ତେଣୁ ସକାଳେ ଓଡ଼ିଶାରେ ଓ ଉପରବେଳା ଆନ୍ଧ୍ରରେ ଭୋଟ ଦେବୁ। କାହାକୁ ଭୋଟ ଦେବୁ କହିବୁ ନାହିଁ । ସରପଞ୍ଚ ଯାହାକୁ କହିବେ ଆମେ ତାଙ୍କୁ ଦେବୁ। ଭୋଟ ପାଇଁ ଆମକୁ ୧୦୦୦ରୁ ୧୫୦୦ ଟଙ୍କା ଲେଖାଏଁ ମିଳେ। ଏଥର ମିଳିଲେ ଯିବୁ, ନ ହେଲେ ନାହିଁ। କେବଳ ସେତିକି ନୁହେଁ, ପିଇବା ପାଣି ଅବସ୍ଥା ମଧ୍ୟ ତଦ୍ରୁପ। ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାର ଏଠାକାର ଲୋକଙ୍କ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଥିଲେ ମଧ୍ୟ ଆନ୍ଧ୍ର ପାଣି ଟାଙ୍କିରୁ ପାଣି ବାହାରୁଥିବା ବେଳେ ଓଡିଶା ପାଣି ଟାଙ୍କି ଶୁଖିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ୪ ଲକ୍ଷ ୩୪ ହଜାର ଟଙ୍କା ବ୍ୟୟ ଅଟକଳରେ ରାଇପାହାଡ଼ ଗ୍ରାମ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ମାତ୍ର ଦିନ କେଇଟା ଯାଇନି ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି ଏଠାକାର ଲୋକେ। ଭୁବନେଶ୍ୱରରେ ବାବୁମାନେ ତିଆରି କରୁଥିବା ଯୋଜନା ତୃଣମୂଳସ୍ତରରେ କିଭଳି କାର୍ଯ୍ୟକାରୀ ହେଉଛି, ଇଏ ତାର ଗୋଟିଏ ନମୁନା ମାତ୍ର।

ଆହୁରି ଭୟଙ୍କର ଚିତ୍ର ମଧ୍ୟ ସମ୍ନାକୁ ଆସିଛି। ଓଡ଼ିଶା ସୀମା ଭିତରେ ରହୁଥିଲେ ମଧ୍ୟ ଏଠାକାର ଛୋଟ ପିଲାଙ୍କୁ ଓଡ଼ିଆ ଭାଷା ଜଣା ନାହିଁ। ସେମାନେ ନଈ, ପାହାଡ଼ ଡେଇଁ ଆନ୍ଧ୍ର ସ୍କୁଲରେ ପଢିବାକୁ ଯାଉଛନ୍ତି। ଅଥଚ ନିକଟରେ ଥିବା ଓଡ଼ିଆ ସ୍କୁଲକୁ ଆସୁ ନାହାନ୍ତି। ପିଲାମାନଙ୍କ ନାମଗୁଡ଼ିକ ତେଲଗୁ ଭାଷା ଅନୁସାରେ ଦିଆଯାଇଛି। ସାଙ୍ଗିଆ ପ୍ରଥମେ ଥିବା ବେଳେ ପରେ ନାମ ରହିଛି। ଛାତ୍ରୀ ଜି ରାଜେଶ୍ୱରୀ ଆନ୍ଧ୍ରର ପେଡାବାଇଲୋ ଏକଲବ୍ୟ ସ୍କୁଲରେ ପଢୁଛନ୍ତି। ସିଏ କେବଳ ଇଂରାଜୀ ଓ ତେଲଗୁ ଭାଷା ବୁଝିପାରନ୍ତି। ଏବେ ସ୍କୁଲ ଛୁଟି ଥିବାରୁ ଘରେ। ପାଠ ପଢା ନାହିଁ। ଓଡ଼ିଆ ବୁଝିପାରୁ ନ ଥିବାରୁ ଗାଁ ଲୋକଙ୍କ ସହ ମିଶିବା କଷ୍ଟକର ହେଉଥିବା କହିଛନ୍ତି। ସେହିପରି ଅନ୍ୟ ଜଣେ ଛାତ୍ର ଜି ଗଗବେନ୍ଦ୍ର ଆରୁକଭାଲି ସ୍ଥିତ ଏକ ଘରୋଇ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀରେ ପଢୁଥିଲେ ମଧ୍ୟ ଓଡ଼ିଆ ଭାଷା ଉପରେ ଆଦୌ ଜ୍ଞାନ ନ ଥିବା କହିଛନ୍ତି।
ସହାୟତା- ଶ୍ରୀକାନ୍ତ ସାହୁ

ସମ୍ବନ୍ଧିତ ଖବର