ରାଜଧାନୀରେ ବ୍ୟବସାୟୀଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କା ଜବତ

ନିର୍ବାଚନରେ ବ୍ୟବହାର ପାଇଁ ରଖା ଯାଇଥିବା ସନ୍ଦେହରେ ତନାଘନା

ଭୁବନେଶ୍ବର: ରାଜଧାନୀରେ ଆୟକର ବିଭାଗ ଆଜି ଜଣେ ବ୍ୟବସାୟୀଙ୍କ ଘରେ ଚଢ଼ଉ କରି ନଗଦ ଦୁଇ କୋଟିରୁ ଅଧିକ ଟଙ୍କା ଜବତ କରିଛି। ବ୍ୟବସାୟୀ ଜଣକ ହେଉଛନ୍ତି ରଂଜିତ ଜୈନ। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଶ୍ରୀ ଜୈନଙ୍କ ଘରେ ବିପୁଳ ପରିମାଣର ନଗଦ ଟଙ୍କା ରଖାଯାଇଛି ବୋଲି ଖବର ପାଇ ଆୟକର ବିଭାଗ ଚଢ଼ଉ କରିଛି। ଏହି ଟଙ୍କ‌‌ା କାହାର? ଏସଂପର୍କରେ ଆୟକର ଅଧିକାରୀ ତାଙ୍କୁ ପଚରାଉଚରା କରୁଛନ୍ତି।

ନିର୍ବାଚନ ସମୟରେ ଏତେ ପରିମାଣ‌ର ଟଙ୍କା ଜବତ ହୋଇଥିବାରୁ କୌଣସି ରାଜନୈତିକ କାମ ପାଇଁ ଏହାକୁ ଅଣାଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ବ୍ୟବସାୟୀ ଜଣକ ଏତେ ପରିମାଣର ନଗଦ ଟଙ୍କା କେଉଁଠୁ ଆଣିଲେ? ଏହା ବ୍ୟବସାୟ ଟଙ୍କା ନା ରାଜନୀତି ସହିତ ଏହାର ସଂପର୍କ ରହିଛି? ବ୍ୟବସାୟୀଙ୍କର କୌଣସି ରାଜନୈତିକ ସଂପର୍କ ରହିଛି କି? ନିର୍ବାଚନ ସମୟରେ ସେ ଘରେ ଏତେ ପରିମାଣର ନଗଦ ଟଙ୍କା କାହିଁକି ରଖିଥିଲେ? ଏସବୁ ଦିଗରେ ଆୟକର ବିଭାଗ ଖୋଳତାଡ଼ ଚଳାଇଥିବା ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ ଶ୍ରୀ ଜୈନଙ୍କର ବାସଭବନର ତଳ ମହଲାରେ ଏକ ବଡ଼ ପ୍ରିଣ୍ଟିଂ ପ୍ରେସ୍‌ ରହିଛି। ତାଙ୍କର ଫ୍ଲେକ୍ସ ବ୍ୟବସାୟ ରହିଛି। ଚଢ଼ଉ ବେଳେ ତାଙ୍କ ଘର ଭିତରୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପ୍ରଚାରରେ ବ୍ୟବହାର ପାଇଁ ତିଆରି ହୋଇଥିବା ବହୁ ପରିମାଣର ଫ୍ଲେକ୍ସ ମଧ୍ୟ ମିଳିଛି। ଚଢ଼ଉ ବେଳେ ବ୍ୟବସାୟୀଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବାପରେ ଆୟକର ବିଭାଗର ଆହୁରି ଅଧିକ ଉଚ୍ଚ ଅଧିକାରୀ ଘଟଣାସ୍ଥଳକୁ ଯାଇ ଛାନଭିନ୍ ଚଳାଇଛନ୍ତି।

ସୂଚନାଯୋଗ୍ୟ ଯେ ନିର୍ବାଚନ ସମୟରେ ଟଙ୍କା ଓ ମଦ ଜରିଆରେ ଭୋଟରଙ୍କୁ ପ୍ରଭାବିତ କରିବାର ଉଦ୍ୟମ ଉପରେ ନଜର ରଖିବାକୁ ନିର୍ବାଚନ କମିସନଙ୍କର କଡ଼ା ନିର୍ଦ୍ଦେଶ ରହିଛି। ଟଙ୍କା ବାଣ୍ଟିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଟଙ୍କା ଠୁଳକରି ରଖା ଯିବାର ଯଥେଷ୍ଟ ଆଶଙ୍କା ରହିଛି। ଏହା ଉପରେ ବିଶେଷ ଦୃଷ୍ଟି ରଖିବାଲାଗି ନିର୍ଦ୍ଦେଶ ଦିଆଯାଇଛି। ତେଣୁ ପୁଲିସ ସମେତ ଆୟକର ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି। ଇତିମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ, ବିମାନବନ୍ଦରଠାରୁ ଆରମ୍ଭକରି ଗାଡ଼ି ଭିତରୁ ବିପୁଳ ପରିମାଣରେ ଟଙ୍କା ଓ ସୁନା ଜବତ ହୋଇ ସାରିଲାଣି। ସେଗୁଡ଼ିକର ରାଜନୈତିକ ସଂପୃକ୍ତିକୁ ନେଇ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର