୧୯୪୦ ପରଠାରୁ ସବୁଠୁ ଉତ୍ତପ୍ତ ଏପ୍ରିଲ: ଏତେ ଉତ୍ତପ୍ତ ହେଲା କାହିଁକି?
ଅସ୍ବାଭାବିକ ତାପମାତ୍ରା ମାସସାରା କଲବଲ କଲା, ଉତ୍ତରରେ ବର୍ଷା, ଦକ୍ଷିଣରେ ତାତି
ନୂଆଦିଲ୍ଲୀ: ଏଥର ପାଣିପାଗରେ ବିଚିତ୍ର ରୂପ ଦେଖିବାକୁ ମିଳିଛି। ଦକ୍ଷିଣ ଭାରତ ଓ ଦକ୍ଷିଣ-ପୂର୍ବ ଭାରତରେ ଅସମ୍ଭାଳ ତାତି ଯୋଗୁଁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇଥିବା ବେଳେ ଉତ୍ତର ଭାରତରେ ପୂରା ବିପରୀତ ପାଗ। ସେଠାରେ ଝଡ଼ ତୋଫାନ ସହିତ ବର୍ଷା ହେଉଛି। ଯେଉଁ ସମୟରେ ଏହି ଅଞ୍ଚଳରେ ତାତି ଶୀର୍ଷ ସୀମାରେ ପହଞ୍ଚିବା କଥା, ସେତେବେଳେ ବର୍ଷା ହୋଇଛି। ଏଭଳି ଅସ୍ବାଭାବିକ ପାଗ ଦେଖିବାକୁ ମିଳିଛି ଗତ ଏପ୍ରିଲ ମାସରେ।
ଗତ ବର୍ଷମାନଙ୍କ ତୁଳନାରେ ଏବର୍ଷର ଏପ୍ରିଲ ମାସ ସବୁଠାରୁ ଉତ୍ତପ୍ତ ଥିଲା। ପୂର୍ବାଞ୍ଚଳ, ଦକ୍ଷିଣାଞ୍ଚଳ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଏଥର ଅତ୍ୟଧିକ ତାପମାତ୍ରା ଅନୁଭୂତ ହୋଇଛି। ୧୯୦୧ ପରେ ଏପ୍ରିଲ ମାସରେ ଏମିତି ପାଗ କେବେ ଦେଖିବାକୁ ମିଳିନଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସାଇକ୍ଲୋନିକ ସର୍କୁଲେସନ ଯୋଗୁଁ ପଞ୍ଜାବ, ହରିଆଣା, ଚଣ୍ଡିଗଡ଼ ଏବଂ ଉତ୍ତର ପ୍ରଦେଶରେ ଝଡ଼ ସହିତ ପ୍ରବଳ ବର୍ଷା ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସମେତ ଜମ୍ମୁ-କଶ୍ମୀରରେ ପବନ ସହିତ ବର୍ଷା ହୋଇଛି। ଏପରିକି କଶ୍ମୀରରେ ବରଫପାତ ମଧ୍ୟ ହୋଇଛି। ରାଜସ୍ଥାନ, ଗୁଜରାଟ ଓ ମଧ୍ୟପ୍ରଦେଶର ଅନେକ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅାସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରା ଭଳି ଉତ୍ତର ପୂର୍ବ ରାଜ୍ୟର ବ୍ୟାପକ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଛି। ଏପରିକି ସିକିମ୍ ଏବଂ ଅରୁଣାଚଳ ପ୍ରଦେଶରେ ବଜ୍ରପାତ ସହିତ ଝଡ଼ବର୍ଷା ଓ ୩୦ରୁ ୪୦ କିଲୋମିଟର ବେଗରେ ପବନ ହୋଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଦକ୍ଷିଣ ଏବଂ ଦକ୍ଷିଣପୂର୍ବ ରାଜ୍ୟମାନଙ୍କରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଲୋକେ ଡହଳ ବିକଳ ହୋଇଛନ୍ତି। ପୂର୍ବ ଉତ୍ତର ପ୍ରଦେଶ,ବିହାର, ଓଡ଼ିଶା, ପଶ୍ଚିମ ବଙ୍ଗ, ମହାରାଷ୍ଟ୍ର, ଛତିଶଗଡ଼ ସମେତ ସମସ୍ତ ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକରେ ଭୀଷଣ ରୌଦ୍ରତାପ ଅନୁଭୂତ ହୋଇଛି। ଏପ୍ରିଲ ମାସର ଅଧିକାଂଶ ଦିନ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। କେତେକ ସ୍ଥାନରେ ଏବଂ ବିଶେଷ କରି ଓଡ଼ିଶାରେ ତାପମାତ୍ରା ୪୬ ଡିଗ୍ରି ଅତିକ୍ରମ କରିଥିଲା। ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ର ଏବଂ ଭାରତର ପୂର୍ବାଞ୍ଚଳ ଉପକୂଳରେ ଆଣ୍ଟି ସାଇକ୍ଲୋନ୍ ସିଷ୍ଟମ ଯୋଗୁଁ ଓଡ଼ିଶା ଏବଂ ପଶ୍ଚିମ ବଙ୍ଗ ଆଡ଼କୁ ଥଣ୍ଡା ପବନ ଅଟକି ଯାଇଛି। ଫଳରେ ଏହି ଦୁଇଟି ରାଜ୍ୟରେ ସର୍ବାଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଏପ୍ରିଲ ଭଳି ମେ ମାସରେ ମଧ୍ୟ ଏହି ଦୁଇ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ବିଭାଗ ପକ୍ଷରୁ କୁହାଯାଇଛି ଯେ ଗତମାସ ଓଡ଼ିଶାରେ ୧୮ ଦିନ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଥିବା ବେଳେ ପଶ୍ଚିମ ବଙ୍ଗରେ ୧୬ ଦିନ ଅନୁଭୂତ ହୋଇଥିଲା। ଯାହାକୁ ସ୍ବାଭାବିକ ଠାରୁ ଅଧିକ ଥିଲା। କ୍ରମାଗତ ଭାବେ ଗ୍ରୀଷ୍ମପ୍ରବହାର ଲାଗି ରହିବା ଘଟଣା ପାଣିପାଗ ବିଭାଗ ବିଶେଷଜ୍ଞଙ୍କୁ ଆଚମ୍ବିତ କରିଛି। ମେ ମାସରେ ମଧ୍ୟ ଗ୍ରୀଷ୍ମପ୍ରବାହ ସ୍ବାଭାବିକ ଠାରୁ ଅଧିକ ୫ରୁ ୮ ଦିନ ଅନୁଭୂତ ହେବ। ଉତ୍ତର-ପୂର୍ବ ଏବଂ ଉତ୍ତର-ପଶ୍ଚିମ ରାଜ୍ୟକୁ ଛାଡ଼ି ଦେଶର ଅନ୍ୟାନ୍ୟ ଭାଗରେ ଏଭଳି ପରିସ୍ଥିତି ଲାଗି ରହିବ ବୋଲି ଆଶଙ୍କା ରହିଛି।
ଦକ୍ଷିଣ ଓ ପୂର୍ବ ଭାରତରେ ଗ୍ରୀଷ୍ମ ପ୍ରବାହର ଏଭଳି ରୂପ କେବେ ଦେଖିବାକୁ ମିଳିନଥିଲା ବୋଲି ପାଣିପାଗ ବିଶେଷଜ୍ଞ କହୁଛନ୍ତି। ସେମାନଙ୍କ ମତରେ ଏଲ୍ ନିନୋ ଯୋଗୁଁ ଏଭଳି ପରିସ୍ଥିିତି ସୃଷ୍ଟି ହୋଇଛି। ପ୍ରାଶାନ୍ତ ମହାସାଗରର ଉପରଭାଗ ପାଣି ତାପମାତ୍ରା ଅଧିକ ରହିଲେ ଏହାକୁ ଏଲ୍ ନିନୋ କୁହାଯାଏ। ଏଲ୍ ନିନୋ ଯୋଗୁଁ ସ୍ଥଳ ଭାଗରେ ଅତ୍ୟଧିକ ଉତ୍ତାପ ସୃଷ୍ଟି ହୁଏ। ତେଣୁ ଗ୍ରୀଷ୍ମପ୍ରବାହକୁ ଏହା ଭୟଙ୍କର ରୂପ ଦେଇଥାଏ। ୟୁରୋପୀୟ ସଂଘର କୋପରନିକ୍ସ ଜଳବାୟୁ ପରିବର୍ତ୍ତନ ସେବାର ତଥ୍ୟ ଅନୁଯାୟୀ, ୨୦୨୪ର ଏପ୍ରିଲ ମାସ ୧୯୪୦ ପରଠାରୁ ସବୁଠାରୁ ଗରମ ମାସ ଥିଲା। ଏହା କ୍ରମାଗତ ଏକାଦଶ ମାସ ଥିଲା ଯାହା ରେକର୍ଡ ଅନୁଯାୟୀ ସବୁଠାରୁ ଉତ୍ତପ୍ତ। ୧୯୪୦ରୁ ଜଳବାୟୁ ଓ ତାପମାତ୍ରା ସମ୍ବନ୍ଧିତ ରେକର୍ଡ ରଖାଯାଇ ଆସୁଛି। ସେହି ଅନୁଯାୟୀ ରେକର୍ଡ ରଖାଯିବାଠାରୁ ଅଦ୍ୟାବଧି ୮୪ ବର୍ଷ ଭିତରେ ୨୦୨୪ର ଏପ୍ରିଲ ମାସ ବିଶ୍ୱସ୍ତରରେ ପୂର୍ବର ସମସ୍ତ ଏପ୍ରିଲ ମାସ ତୁଳନାରେ ଅଧିକ ଗରମ ଥିଲା। କୋପରନିକସ୍ ଜଳବାୟୁ ପରିବର୍ତ୍ତନ ସେବା ଅନୁଯାୟୀ ୨୦୨୪ର ଏପ୍ରିଲ ମାସରେ ହାରାହାରି ଭୂପୃଷ୍ଠବାୟୁ ତାପମାତ୍ରା ୧୫.୦୩ ଡିଗ୍ରି ସେଲସିୟସ ଥିଲା, ଯାହା ଏପ୍ରିଲ ପାଇଁ ୧୯୯୧-୨୦୨୦ ହାରାହାରିଠାରୁ ୦.୬୭ ଡିଗ୍ରି ଏବଂ ଏପ୍ରିଲ ୨୦୧୬ରେ ଧାର୍ଯ୍ୟ ପୂର୍ବ ସର୍ବୋଚ୍ଚ ତାପମାତ୍ରାଠାରୁ ୦.୧୪ ଡିଗ୍ରି ସେଲସିୟସ ଅଧିକ। ଭାରତର ଅଧିକାଂଶ ଅଞ୍ଚଳରେ ଏପ୍ରିଲ ମାସରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି।
ଏପ୍ରିଲ ମାସରେ ଭାରତର ହାରାହାରି ତାପମାତ୍ରା ୨୯.୦୬ ଡିଗ୍ରି ସେଲସିୟସ ଥିଲା, ଯାହା ସ୍ୱାଭାବିକଠାରୁ ୦.୭୬ ଡିଗ୍ରି ଅଧିକ। ଆଇଏମ୍ଡି ଦ୍ୱାରା ବୁଧବାର ଉପସ୍ଥାପିତ ଅପଡେଟ୍ ବିଶ୍ଳେଷଣ ଅନୁଯାୟୀ, ୧୯୦୧ରେ ରେକର୍ଡ ଆରମ୍ଭ ହେବା ପରଠାରୁ ଉଭୟ ହାରାହାରି ଏବଂ ରାତିର ତାପମାତ୍ରା ଦୃଷ୍ଟିରୁ ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ଏପ୍ରିଲ ମାସ ସବୁଠାରୁ ଉତ୍ତପ୍ତ ଥିଲା। ଏପ୍ରିଲରେ ଏହି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୧.୭୮ ଡିଗ୍ରି ଏବଂ ହାରାହାରି ତାପମାତ୍ରା ସ୍ୱାଭାବିକଠାରୁ ୨ ଡିଗ୍ରି ସେଲସିୟସ ଅଧିକ ଥିଲା। ଦକ୍ଷିଣ ଉପଦ୍ୱୀପ ଭାରତ ପାଇଁ ଏହା ୧୯୦୧ ପରଠାରୁ ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ଏପ୍ରିଲ ଥିଲା ଏବଂ ହାରାହାରି ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ୧.୩୫ ଡିଗ୍ରି ସେଲସିୟସ ଅଧିକ ରେକର୍ଡ କରାଯାଇଥିଲା। ଆଇଏମ୍ଡି ଅନୁଯାୟୀ, ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୧.୦୯ ଡିଗ୍ରି ଏବଂ ହାରାହାରି ତାପମାତ୍ରା ସ୍ୱାଭାବିକଠାରୁ ୧.୨୨ ଡିଗ୍ରି ସେଲସିୟସ ଅଧିକ ଥିଲା। ୟୁରୋପ, ଉତ୍ତର ଓ ଉତ୍ତର-ପୂର୍ବ ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ପୂର୍ବ ଏସିଆ, ଉତ୍ତର-ପଶ୍ଚିମ ମଧ୍ୟପ୍ରାଚ୍ୟ, ଦକ୍ଷିଣ ଆମେରିକାର କିଛି ଅଂଶ ଏବଂ ଆଫ୍ରିକାର ଅଧିକାଂଶ ଅଞ୍ଚଳରେ ମଧ୍ୟ ତାପମାତ୍ରା ହାରାହାରିଠାରୁ ଅଧିକ ରହିଛି।