ଦୁଇ ଭଉଣୀଙ୍କୁ ମିଳିବ ସାର୍ଟିଫିକେଟ; ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ

ରାଉରକେଲା: ରାଉରକେଲା ସେଣ୍ଟ୍‌ ମେରୀ ସ୍କୁଲରେ ଛାତ୍ରୀଙ୍କ ସାର୍ଟିଫିକେଟ ବନ୍ଧା ପଡିବା ଘଟଣାରେ ତତ୍ପରତା ପ୍ରକାଶ ପାଇଛି। ସାର୍ଟିଫିକେଟ ଫେରାଇବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁନ୍ଦରଗଡ କୁଆଁରମୁଣ୍ଡା ରିଓଁ ଗାଁ ଧରଣୀଦର ସିଂଙ୍କ ଦୁଇ ଝିଅ ଜୟଶ୍ରୀ ଓ ଭାଗ୍ୟଶ୍ରୀ ରାଉରକେଲା ଜଗଦା ସ୍ଥିତ ଇଂରାଜୀ ମିଡିୟମ ସେଂଟମେରୀ ସ୍କୁଲରେ ପାଠ ପଢୁଥିଲେ। କୋଏଲ ନଦୀ ପାର ହୋଇ ପାଠ ପଢ଼ିବାକୁ ଯାଆନ୍ତି ଦୁଇ ଭଉଣୀ। ହେଲେ ପରିବାରର ଆର୍ଥିକ ସ୍ଥିତି ହଠାତ ଖରାପ ହୋଇଯିବାରୁ ସ୍କୁଲ ଫି ଦେଇପାରିନଥିଲେ ଜୟଶ୍ରୀ ଓ ଭାଗ୍ୟଶ୍ରୀଙ୍କ ପରିବାର ଲୋକେ। ଦଶମ ବୋର୍ଡ ପରୀକ୍ଷା ସମୟରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ଅର୍ଥ ଦେଇ ନପାରିବାରୁ ବହୁତ ହଇରାଣ କରିଥିଲେ।

ବହୁ କଷ୍ଟରେ ଧାର ଉଧାର କରି କିଛି ପଇସା ଜମା କରିବାରୁ କାକୁତି ମିନତୀ କରିବା ପରେ ଦଶମ ପରୀକ୍ଷା ଦେଇଥିଲେ ଦୁଇ ଭଉଣୀ। ହେଲେ ଆଇସିଏସି ପରୀକ୍ଷାରେ ଏ ଗ୍ରେଡରେ ଉତୀର୍ଣ୍ଣ ହେବା ପରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ଏବେ ସାର୍ଟିଫିକେଟ ଦେଉନାହାନ୍ତି। ୨୦୧୭ ଜୁନ ମାସରୁ ଦୁହିଁଙ୍କ ସାର୍ଟିଫିକେଟ ସ୍କୁଲରେ ବନ୍ଧା ପଡ଼ିଥିବା ବେଳେ ଏବେ ଅଢ଼େଇ ବର୍ଷ ହେବ କଲେଜର ମାଟି ମାଡ଼ିପାରୁନାହାନ୍ତି। ଯେତେ କାକୁତି ମିନତୀ ପରେ ବି ସ୍କୁଲ କର୍ତ୍ତୃପକ୍ଷ ସାର୍ଟିଫିକେଟ ଦେବା ବଦଳରେ ଅଜବ ଯୁକ୍ତି ରଖିଛନ୍ତି। ଓଲଟା ଏଇଟା ସେବା କେନ୍ଦ୍ର କିମ୍ବା ଧର୍ମଶାଳା ନୁହେଁ, ଟଙ୍କା ଦିଅ ସାର୍ଟିଫିକେଟ ନିଅ ବୋଲି କହିଥିଲେ ସ୍କୁଲ କର୍ତ୍ତୃପକ୍ଷ। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଳାପାଳ ଆଜି ସ୍କୁଲ କର୍ତ୍ତୃପକ୍ଷଙ୍କୁ ସାର୍ଟିଫିକେଟ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର