ବଲାଙ୍ଗୀର ଜିଲ୍ଲାରେ ଖାଲି ପଡ଼ିଥିବା ଡାକ୍ତର ପଦବି ଶୀଘ୍ର ପୂରଣ କରାଯାଉ: ନରସିଂହ

ଭୁବନେଶ୍ୱର : ବଲାଙ୍ଗୀର ଜିଲ୍ଲାରେ ଡାକ୍ତରଙ୍କ ଅଭାବ। ଦୀର୍ଘ ଦିନରୁ ଜିଲ୍ଲାରେ ୧୦୦ରୁ ଉର୍ଦ୍ଧ୍ବ ଡାକ୍ତର ପଦବି ଖାଲି ପଡ଼ିଛି। ସରକାରଙ୍କୁ ବାରମ୍ବାର ଏ ନେଇ ଅନୁରୋଧ କରାଯାଇଥିଲେ ବି ଡାକ୍ତର ନିଯୁକ୍ତି କରାଯାଉନି। ତୁରନ୍ତ ଡାକ୍ତର ପଦବି ପୂରଣ କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଦାବି କରିଛନ୍ତି।

ଶ୍ରୀ ମିଶ୍ର ଏକ ପ୍ରେସ୍‌ ବିବୃତି ଜାରି କରି ଅଭିଯୋଗ କରିଛନ୍ତି, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବଲାଙ୍ଗୀର ପାଇଁ ସବୁବେଳେ ସରକାର ବୈମାତୃକ ମନୋଭାବ ଦେଖାଇ ଆସିଛନ୍ତି। ଜିଲ୍ଲାରେ ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ଡାକ୍ତର ପଦବି ପୂରଣକୁ ନେଇ ଅନୁରୋଧ କରାଗଲେ ବି ସୁଫଳ ମିଳୁନାହିଁ। ଯେତିକି ବି ଡାକ୍ତର ଅଛନ୍ତି ସେମାନଙ୍କୁ ଗଞ୍ଜାମ ଜିଲ୍ଲାରେ ସ୍ବାସ୍ଥ୍ୟସେବା ପାଇଁ ପଠାଯାଉଛି। ଫଳରେ ବଲାଙ୍ଗୀରେ ରୋଗୀ କିପରି ସ୍ବାସ୍ଥ୍ୟସେବା ପାଇବେ ସେଥିପାଇଁ ସରକାରଙ୍କ ଗୁରୁତ୍ବ ଦେଉନାହାନ୍ତି। ସରକାରଙ୍କ ସ୍ପଷ୍ଟ ନିୟମ ରହିଛି ଯେ, କେବିକେ ଭଳି ଅନଗ୍ରସର ଜିଲ୍ଲାମାନଙ୍କରେ କୌଣସି ବି କର୍ମଚାରୀଙ୍କୁ ଅନ୍ୟ ଜିଲ୍ଲାକୁ ବିନା ରିଲିଭରରେ ନିଆଯାଇପାରିବ ନାହିଁ। କିନ୍ତୁ ବଲାଙ୍ଗୀର କ୍ଷେତ୍ରରେ ବାରମ୍ବାର ତାର ବ୍ୟତିକ୍ରମ ଦେଖାଦେଉଛି। ଏ ନେଇ ପଚାରିଲେ କହୁଛନ୍ତି ୧୦ରୁ ୧୫ ଦିନ ଭିତରେ ଗଞ୍ଜାମରେ ନିୟୋଜିତ ଡାକ୍ତରମାନଙ୍କୁ ଫେରେଇ ଅଣାଯିବ। ବିଶେଷକରି କରୋନା ମହାମାରୀ ସମୟରେ ଲୋକେ ଚିକିତ୍ସା ସୁବିଧା ନ ପାଇ ଅଭାବନୀୟ ପରିସ୍ଥିତିରେ ଦିନ କାଟୁଛନ୍ତି। ଯଦି ଆଗାମୀ ୧୫ ଦିନ ମଧ୍ୟରେ ବଲାଙ୍ଗୀର ଜିଲ୍ଲାର କୌଣସି ଲୋକର ଉପଯୁକ୍ତ ସ୍ବାସ୍ଥ୍ୟସେବା ଅଭାବରୁ ମୃତ୍ୟୁ ହୁଏ ତାହେଲେ କିଏ ଦାୟୀ ରହିବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି। ବଲାଙ୍ଗୀରର ଜନସାଧାରଣଙ୍କୁ ଆହ୍ବାନ ଦେଇ ଶ୍ରୀ ମିଶ୍ର କହିଛନ୍ତି, ସରକାରଙ୍କ ଏପରି ଟାଳଟୁଳ ନୀତି ବିରୁଦ୍ଧରେ ଜାତି, ଦଳ, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଏକ ହୋଇ ସ୍ବର ଉତ୍ତୋଳନ କରନ୍ତୁ। ଫଳରେ କରୋନା ମହାମାରୀ ସମୟରେ ଲୋକେ ଚିକିତ୍ସା ସୁବିଧା ନ ପାଇ ଏକ ଅଭାବନୀୟ ପରିସ୍ଥିତିରେ ଦିନ କାଟୁଛନ୍ତି।

ସମ୍ବନ୍ଧିତ ଖବର