ଆନ୍ଧ୍ର ଚାପରେ ବଦଳି ଯାଉଛି ଗାଁ ନାଁ

ଓଡ଼ିଆ ଅସ୍ମିତାକୁ ଶକ୍ତ ଆଘାତ, ସବୁ ଜାଣି ଓଡ଼ିଶା ପ୍ରଶାସନ ଚୁପ୍

ରାୟଗଡା (ନବୀନ ଚନ୍ଦ୍ର ସାହୁ): ଓଡ଼ିଶାର ଗାଁ। କିନ୍ତୁ ଆନ୍ଧ୍ର ଓ ତେଲୁଗୁ ଭାଷାଭାଷୀଙ୍କ ପ୍ରଭାବ ଅଧିକ ରହିଛି। ଏଥିଯୋଗୁଁ ବଦଳି ଯାଉଛି ଗାଁର ନାଁ। ତେଲୁଗୁ ଭାଷାଭାଷୀଙ୍କ ଉଚ୍ଚାରଣ ଅନୁଯାୟୀ ରାୟଗଡା ଜିଲ୍ଲାର ଗୋଟିଏ ପରେ ଗୋଟିଏ ଗାଁ ନିଜ ମୂଳ ପରିଚୟ ବି ହଜାଇବାକୁ ବସିଲାଣି। କୌଣସି ଉପାନ୍ତ କିମ୍ବା ସୀମାନ୍ତ ଗାଁ ନୁହେଁ, ଜିଲ୍ଲା ସଦର ମହକୁମାରେ ଏହିଭଳି ସାଂଘାତିକ ସ୍ଥିତି ଦେଖିବାକୁ ମିଳିଛି।

ଗତକାଲି କେନ୍ଦ୍ର ସରକାରଙ୍କ ରେଳ ବିଭାଗ ପକ୍ଷରୁ ଆୟୋଜିତ ଜେମାଦେଇପେଣ୍ଠ ଓଭରବ୍ରିଜ୍ ଲୋକାର୍ପଣ ଉତ୍ସବରେ ବି ଏହିଭଳି ଏକ ଚିତ୍ର ଦେଖିବାକୁ ମିଳିଛି। ରେଳଲାଇନ୍ ପ୍ରତିଷ୍ଠା ପୂର୍ବରୁ ଏହି ଗାଁ ନାଁ ଜେମାଦେଇପେଣ୍ଠ ଥିଲା। ଓଡ଼ିଶା ସରକାରଙ୍କ ସରକାରୀ ଫାଇଲରେ ବି ଏହି ନାଁ ରହିଛି। ହେଲେ, ତେଲୁଗୁ ଭାଷାଭାଷୀ ନିଜ ଉଚ୍ଚାରଣକୁ ସହଜ କରିବାକୁ ଜିମିଡିପେଟା ବୋଲି କହି ଆସୁଥିଲେ। ଫଳସ୍ବରୂପ ସରକାରୀ କାର୍ଯ୍ୟକ୍ରମରେ ବି ବଦଳି ଗଲା ଓଡ଼ିଶାର ଏହି ଗା‌ଁର ନାଁ।

ସୂଚନା ଅନୁସ‌ାରେ, ଆନ୍ଧ୍ର ଚାପରେ ଗତ ୧୦ ବର୍ଷ ମଧ୍ୟରେ ରାୟଗଡା ଜିଲ୍ଲାର ପାଖାପାଖି ୧୫ରୁ ଊର୍ଧ୍ବ ଗାଁର ନାଁ ଅନ୍ୟ ନାମରେ ପରିଣତ ହୋଇସାରିଲାଣି। ଖୋଦ୍‌ ରାୟଗଡ଼ା ବି ଏଥିରୁ ବାଦ୍‌ ପଡ଼ିନାହିଁ। ରାଜରାଜୁଡା ଅମଳରୁ ଜିଲ୍ଲା ସଦର ମହକୁମାର ନାମ ରାୟଗଡ ଥିଲା। ସମୟକ୍ରମେ ଏହା ରାୟଗଡାରେ ପରିଣତ ହୋଇଛି। ରାୟଗଡା ଅଞ୍ଚଳ ବଣ, ପାହାଡ ଘେରା ସହ ଚତୁଃପାର୍ଶ୍ବରେ ବଡ଼ ଖାଲଖମା ରହିଥିବାରୁ ରାୟଗଡ ଆସୁଥିବା ତେଲୁଗୁ ଲୋକ ନିଜ ଭାଷା ଅନୁଯାୟୀ ନାଁ ବଦଳାଇ ଦେଲେ। ତେଲୁଗୁରେ ପଥରକୁ ରାୟ ଓ ଖାଲଖମାକୁ ଗଡା କହୁଥିବାରୁ ରାୟଗଡ ଏବେ ରାୟଗଡା ଭାବେ ପରିଚିତ। ସେହିପରି ଜେମାଦେଇପେଣ୍ଠ ଜିମିଡିପେଟାରେ ପରିଣତ ହୋଇଥିବ ବେଳେ ଲୋଡା ଗାଁ ଲାଡ୍ଡାରେ ପରିଣତ ହୋଇଛି। ଏହି ଦୁଇ ଗାଁ ଦେଇ ରାୟଗଡାରୁ ବିଶାଖାପାଟଣାକୁ ରେଳ ଲାଇନ୍ ସଂଯୋଗ ହୋଇଥିବା ବେଳେ ଦୁଇଟି ଷ୍ଟେସନ ମଧ୍ୟ ରହିଛି। ୱାଲଟିଅର୍ ଡିଭିଜନ୍ ଅଧୀନରେ ଏହି ରେଳଲାଇନ୍ ଥିବାରୁ କାର୍ଯ୍ୟରତ ଅଧିକାରୀ ବି ନାଁକୁ ବଦଳାଇ ରେଳ ବିଭାଗ ରେକର୍ଡଭୁକ୍ତ କରି ସାରିଲେଣି। ସେହିପରି ହାଟ ଶେଷଖାଲ ଗାଁ ଏବେ ସାନ୍ତା ଶେଷଖାଲ ନାଁରେ ପରିଚିତ। ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ଏହି ଗାଁରେ ସାପ୍ତାହିକ ହାଟ ବସୁଥିବାରୁ ପଡୋଶୀ ଆନ୍ଧ୍ର ଗ୍ରାମବାସୀ ହାଟକୁ ସଉଦା ପାଇଁ ଆସିଥାନ୍ତି। ତେଲୁଗୁ ଭାଷାରେ ହାଟକୁ ସାନ୍ତା କୁହାଯାଉ ଥିବାରୁ ଧୀରେଧୀରେ ଏହା ସାନ୍ତା ଶେଷଖାଲ ଭାବେ ପରିଚିତ ହୋଇଗଲା। ସେହିପରି ପ୍ରତାପପୁର ନାଁ ବଦଳି ପାରତାପୁର ଏବଂ ନୂଆପେଣ୍ଠର ନାଁ ବଦଳି କୋତାପେଟା ହେଲାଣି। ତେଲୁଗୁ ଭାଷାରେ ନୂଆ ଅର୍ଥ କୋତା ହୋଇଥିବା ବେଳେ ପେଣ୍ଠକୁ ପେଟା ଭାବେ ଉଚ୍ଚାରଣ କରାଯାଏ। କେବଳ ଏତିକି ନୁହେଁ, କୁମୁଟିପେଣ୍ଠକୁ କୁମୁଟାଲପେଟା, ନୂଆଗାଁର ନାଁ କତୁରୁ ଭାବେ ପରିଚିତ। ରାୟଗଡାର ଆରାଧ୍ୟ ଦେବୀ ଭାବେ ମା’ ମଝିଘରିଆଣୀ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି। ଲୋକକଥା ଅନୁଯାୟୀ, ସହରର ମଧ୍ୟ ଭାଗରେ ମା’ଙ୍କ ଆବିର୍ଭାବ ହୋଇଥିବାରୁ ଏପରି ନାମକରଣ କରାଯାଇଛି। କିନ୍ତୁ ମା’ଙ୍କ ମନ୍ଦିରକୁ ବର୍ଷ ତମାମ ଆସୁଥିବା ଭକ୍ତଙ୍କ ମଧ୍ୟରୁ ୭୦ ପ୍ରତିଶତ ଭକ୍ତ କେବଳ ଆନ୍ଧ୍ରରୁ ଆସୁଥିବାରୁ ତେଲୁଗୁ ଭାଷାଭାଷୀଙ୍କ ଅନୁଯାୟୀ ମଝି ଘରିଆଣୀ ମନ୍ଦିର ଏବେ ଆନ୍ଧ୍ରରେ ମା’ ମାଝୀଗୌରୀ ନାଁରେ ପରିଚିତ।

ଆନ୍ଧ୍ର ସୀମାନ୍ତରେ ରହିଛି ରାୟଗଡା ଜିଲ୍ଲା। ଜିଲ୍ଲାର ଅଧିକାଂଶ ଲୋକ ଶିକ୍ଷା, ସ୍ବାସ୍ଥ୍ୟ, ବାଣିଜ୍ୟ, ବ୍ୟବସାୟ ପାଇଁ ଆନ୍ଧ୍ର ଉପରେ ନିର୍ଭର କରି ଆସୁଛନ୍ତି। ଦୈନିକ ରାୟଗଡାରୁ ୫ରୁ ୬ ହଜାର ଲୋକ ବିଭିନ୍ନ କାମ ପାଇଁ ବିଶାଖାପାଟଣା ସମେତ ଆନ୍ଧ୍ରର ଅନ୍ୟ ଅଞ୍ଚଳକୁ ଯାତାୟାତ କରୁଛନ୍ତି। ଯେଉଁଥିପାଇଁ ଓଡ଼ିଆ ଭାଷାଭାଷା ଲୋକ ମଧ୍ୟ ଭାଷାର ଆଦାନ ପ୍ରଦାନ ପାଇଁ ତେଲୁଗୁ ଶିଖିବା ସହ ତେଲୁଗୁରେ କଥାବାର୍ତା କରୁଛନ୍ତି। ସରକାରୀ, ବେସରକାରୀ ଅନୁଷ୍ଠାନଠୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ଭାବର ଆଦାନପ୍ରଦାନ ପାଇଁ ତେଲୁଗୁ ଭାଷା ହିଁ ବହୁଳ ଭାବରେ ବ୍ୟବହାର ହେବା ଯୋଗୁ ଏପରି ସ୍ଥିତି ଉପୁଜିଛି। ସମୟକ୍ରମେ ରାୟଗଡାରେ ତେଲୁଗୁ ଭାଷାଭାଷୀ ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଆନ୍ଧ୍ର ସୀମାନ୍ତରେ ଥିବା ଓଡ଼ିଶା ଗାଁରେ ବସବାସ କରୁଥିବା ଲୋକ ବି ତେଲୁଗୁ ଭାଷାକୁ ହିଁ ଅଧିକ ବ୍ୟବହାର କରୁଥିବାରୁ ଏହାର ପ୍ରଭାବ ଗାଁ ନାମ ଗୁଡିକ ଉପରେ ପଡୁଛି। ଯାହାଫଳରେ ସରକାରୀ ଭାବେ ଓଡ଼ିଶା ରେକର୍ଡରେ ଥିବା ଗାଁ ନାଁ ଗୁଡ଼ିକ ଉଭୟ ରାଜ୍ୟରେ ଅଲଗା ନାଁରେ ପରିଚିତ। ଦିନକୁ ଦିନ ଓଡ଼ିଆ ଭାଷାର ବ୍ୟବହାର କମିବା ସହ ସରକାରୀ ଭାବେ ଲିପିବଦ୍ଧ ଥିବା ନାଁ ଗୁଡ଼ିକ ଜନମାନସରୁ ହଜି ଯିବାକୁ ବସିଲାଣି। ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ଏହାର ପ୍ରତିବାଦ କରିବା ବଦଳରେ ନିରବଦ୍ରଷ୍ଟା ସାଜିଥିବା ଓଡ଼ିଆ ଭାଷାପ୍ରେମୀଙ୍କୁ ଚକିତ କରିଛି।

ସମ୍ବନ୍ଧିତ ଖବର