ପ୍ରଶାସନ ଶୁଣିଲାନି! ହାତ ମିଶାଇଲେ ଗ୍ରାମବାସୀ, ସଫା କଲେ ପୋତି ହୋଇଥିବା କେନାଲ

ମାଲକାନଗିରି: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନାଗୁଡ଼ିକ ଲାଗୁ କରାଯାଇଥିବା ପରେ ମଧ୍ୟ ସରୁନି ଦୁଃଖ ଓ ଦୁର୍ଦ୍ଦଶା। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ଚିତ୍ରାଙ୍ଗପାଲ୍ଲୀ ଓ ବଦିଲି ଗ୍ରାମ ପଞ୍ଚାୟତକୁ ସଂଯୋଗ କରିଥିବା ବାଲିମେଳା ତଥା ପଟେରୁ ମୁଖ୍ୟ କେନାଲରୁ ଶାଖା କେନାଲକୁ ପାଣି ନଆସିବା କାରଣରୁ ଚାଷିଙ୍କ ମୁଣ୍ଡରେ ଚିନ୍ତା ବଢିବାକୁ ଲାଗିଥିଲା। ଚାଷ ପାଇଁ ଯେତେ ପରିମାଣର ପାଣି ଦରକାର ତାହାର ଅଭାବରେ ନଷ୍ଟ ହେଉଥିଲା ଶହଶହ ହେକ୍ଟର ଧାନ ଜମି। ନାଁ ଅଛି ବର୍ଷା, ନାଁ ମିଳୁଛି କେନାଲ ପାଣି।

ପାଞ୍ଚଶହରୁ ଉର୍ଦ୍ଧ୍ବ ହେକ୍ଟର ଜମିରେ ପାଣି ଯୋଗାଉଥିବା ଶାଖା କେନାଲ ଅଚଳ ହୋଇପଡ଼ିଥିବାରୁ ଚାଷିଙ୍କ ଚିନ୍ତା ଆହୁରି ବଢାଇ ଦେଇଥିଲେ। ଏହି ସମସ୍ୟା କଥା ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନାହିଁ। ତେଣୁ ଆଜି ବାଧ୍ୟ ହୋଇ ତିନୋଟି ଗ୍ରାମ ପଞ୍ଚାୟତର ଦଶ ଗୋଟି ଗ୍ରାମର ଶତାଧିକ ଚାଷୀ ଏକତ୍ରିତ ହୋଇ ଜଣ ଜଣଙ୍କ  ୫୦୦ ଟଙ୍କା ଲେଖାଏଁ ଆଦାୟ କରିଥିଲେ। ସେହି ଟଙ୍କାରେ ମେସିନ ଲଗାଇବା ସହିତ ନିଜେ କୋଦାଳ ଧରି କେନାଲ ସଫା କାମରେ ନିୟୋଜିତ ହୋଇଥିଲେ। ମୁଣ୍ଡର ଝାଳ, ତୁଣ୍ଡରେ ମାରି ଖରା ବର୍ଷାକୁ ଖାତିର ନକରି କେନାଲ ସଫା କାମରେ ଚାଷୀ ଲାଗି ପଡିଥିଲେ। ନିଜ ପରିବାରର ଭରଣ ପୋଷଣ କରିବା ସହିତ, ଅନ୍ୟମାନଙ୍କୁ ଅନ୍ନ ଯୋଗାଉଥିବା ଚାଷୀଙ୍କୁ କାହିଁକି ଏଭଳି ଅଣଦେଖା କରାଯାଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନଭାବ ଯୋଗୁଁ ଚାଷୀ ଆଜି ତଳିତଳାନ୍ତ ହେଉଛନ୍ତି ବୋଲି ଅଭିଯୋଗ କରାଯାଇଛି। ଚାଷୀଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦୁ ଥିବା ବେଳେ ମାଲକାନଗିରିରେ କିନ୍ତୁ ଚାଷୀଙ୍କୁ କିପରି ଅଣଦେଖା କରାଯାଉଛି ଏହା ତାହାର ଜ୍ବଳନ୍ତ ଉଦାହରଣ।ମାଲକାନଗିରି ଜିଲ୍ଲା ସଂପୂର୍ଣ୍ଣ କୃଷି ଭିତ୍ତିକ ଜିଲ୍ଲା ହୋଇଥିବା ବେଳେ ଏଠାରେ ବାସ କରୁଥିବା ଆଦିବାସୀ ଲୋକେ ଚାଷ ଉପରେ ହିଁ ନିର୍ଭର କରିଥାନ୍ତି। ଏଥିସହ ଏହି ଅଂଚଳରେ ବାସ କରୁଥିବା ବଙ୍ଗୀୟ ସଂପ୍ରଦାୟର ଲୋକେ ମଧ୍ୟ ଚାଷ ଉପରେ ହିଁ ନିର୍ଭର କରି ଚଳନ୍ତି।ଏଣୁ ଖୁବ ଶିଘ୍ର ଜିଲ୍ଲା ପ୍ରଶାସନ ଏହା ଉପରେ ହସ୍ତକ୍ଷେପ କରି, ପାଣି ସମସ୍ୟା ଦୂର କରିବା ପାଇଁ ଚାଷୀ ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର