ଚାଷଜମିରେ ପାଣି, ପରିବାଚାଷ ନଷ୍ଟ

ବ୍ରହ୍ମବରଦା: ଲଘୁଚାପ କାରଣରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଏହି ବର୍ଷା ପ୍ରଭାବରେ ଯାଜପୁର ବ୍ଲକର ଝାଲପଡ଼ା, ରୁଦ୍ରପୁର, ରସୁଲପୁର ବ୍ଲକର ବ୍ରହ୍ମବରଦା, ବନ୍ଧଡିହ, ଦେଓଦା, ସ୍ବାଇଁସାହିରେ ବ୍ୟାପକ ପରିବାଚାଷ ନଷ୍ଟ ହୋଇଛି। ସ୍ବାଇଁସାହି ଅଞ୍ଚଳରେ ୯୦ ପ୍ରତିଶତ ଲୋକ ପନିପରିବା ଚାଷ ଉପରେ ନିର୍ଭର କରିଥାନ୍ତି। ନଦୀ କୂଳିଆ ହୋଇଥିବାରୁ ଏଠାରେ ଧାନ, ବାଦାମ ଚାଷ ତୁଳନାରେ ପନିପରିବା ଚାଷ ପ୍ରତି ଅଧିକ ଗୁରୁତ୍ବ ଦେଇଥାନ୍ତି। ଚାଷୀଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ଏହି ଅଞ୍ଚଳରେ ପ୍ରାୟ ଏକଶହ ଏକରରୁ ଅଧିକ ଜାଗାରେ ପରିବା ଚାଷ କରାଯାଇଥିଲା। ଏବେ ପରିବା କ୍ଷେତଗୁଡ଼ିକରେ ଆଣ୍ଠୁଏଲେଖାଏଁ ପାଣି ଜମି ରହିଛି। ଏବେ ଭରା ଉତ୍ପାଦନ ହେଉଥିଲା। ଅମଳ ସମୟରେ ଫସଲ ଉଜୁଡ଼ିବାରୁ ଲକ୍ଷାଧିକ ଟଙ୍କା ପାଣିରେ ଗଲା ବୋଲି ଚାଷୀମାନେ ଦୁଃଖର ସହ କହିଛନ୍ତି।

ଏହି ସମୟରେ ପୋଟଳ, ଭେଣ୍ତି, କଲରା, ଝୁଡ଼ଙ୍ଗ, ଜହ୍ନି, କାକୁଡ଼ି, ବାଇଗଣ ଆଦି ପ୍ରଚୁର ଅମଳ ହୋଇଥାଏ। ଚଳିତ ବର୍ଷ ଗତ କିଛିଦିନ ପର୍ଯ୍ୟନ୍ତ ପାଗ ଅନୁକୂଳ ରହିଥିଲା। ଅମଳ ମଧ୍ୟ ଆରମ୍ଭ ହୋଇଥିଲା। ଭରା ଅମଳ ସମୟରେ ଦାଉ ସାଧିଲା ବର୍ଷା। ଏବେ ପାଣି ଛିଡା ହୋଇ ରହିଥିବାରୁ ଗଛମୂଳ ସବୁ ଶଢ଼ିଯିବା ନିଶ୍ଚିତ। ଋଣ ଆଣି ପରିବା ଚାଷରେ ଲଗାଇଥିଲେ। ସବୁ ଫସଲ ପଚି ଯାଇଛି। ଖୁଣ୍ଟା ଲଟାଗୁଡ଼ାକ ଛିଡ଼ା ହୋଇଛି। ୨/୩ ମାସର ଅକ୍ଳାନ୍ତ ପରିଶ୍ରମ ପାଣିରେ ପଡ଼ିଲା। ଏବେ ଋଣ ଅର୍ଥ କିପରି ଶୁଝିବେ ତାହା ଭାବିଭାବି ରାତିରେ ନିଦ ହେଉ ନଥିବା କହନ୍ତି ଚାଷୀ ନିରଂଜନ ଦାସ। ସେ ଏଥର ଦେଢ଼ଏକର ଜମିରେ ପରିବା ଚାଷ କରିଥିଲେ। ବାଇଗଣ ୧୦ ଗୁଣ୍ଠ, କଲରା ୨୦ ଗୁଣ୍ଠ, କାକୁଡ଼ି ୮, ପୋଟଳ ୫, ଜହ୍ନି ୭ ଗୁଣ୍ଠ ଚାଷ କରିଥିଲେ। ଏନେଇ ଗୋଷ୍ଠୀଗୁଡ଼ିକଠାରୁ ୧ଲକ୍ଷ ୨୦ ହଜାର ଟଙ୍କା କରଜ ଆଣିଛନ୍ତି।

ଫସଲ ଅମଳ ସମୟରେ ବିଲରେ ପାଣି ଛିଡ଼ାହେବାରୁ ନଷ୍ଟ ହୋଇଗଲା ବୋଲି ସେ କହନ୍ତି। ସେହିପରି ଏହି ଗ୍ରାମର ସନ୍ତୋଷ ଦାସ ୧ ଏକର, ରବୀନ୍ଦ୍ର ଦାସ ୨୦ ଗୁଣ୍ଠ, ବାଦଲ ଦାସ ୧ ଏକର, ଜ୍ଞାନରଂଜନ ଦାସ ୧ ଏକର, ଅଜୟ ବିଶ୍ବାଳ ୧ ଏକର, ବୀରସେନ ଦାସ ୧୫ ଗୁଣ୍ଠ, ଦେବବ୍ରତ ଦାସ ୧୭ ଗୁଣ୍ଠ ଜମିରେ ଚାଷ କରିଥିଲେ। ପରିବା ଦର ମଧ୍ୟ ବେଶ୍‌ ଉଚ୍ଚା ଥିଲା। ତେଣୁ ଭଲ ଆୟ କରିବାକୁ ସମସ୍ତଙ୍କର ଆଶା ଥିଲା। ହେଲେ ଲଗାଣ ବର୍ଷା ସବୁ ଉଜାଡ଼ି ଦେଲା। ନେତା କି ପ୍ରଶାସକ କେହି ଆମ କଥା ଶୁଣୁ ନାହାନ୍ତି ବୋଲି ସେମାନେ କ୍ଷୋଭର ସହ କହିଛନ୍ତି। ତୁରନ୍ତ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର