ଆଜି ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ଜନଜାତୀୟ ବିଶ୍ବବିଦ୍ୟାଳୟ ପାଇଁ ସ୍ବର ଉଠିବ ତ?

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଜାତୀୟ ମାନର ଶିଳ୍ପସଂସ୍ଥା, ଶିକ୍ଷାନୁଷ୍ଠାନ ସଂଖ୍ୟା ଢ଼େର୍‌ କମ୍‌। ବିଶେଷକରି ଶିକ୍ଷା କ୍ଷେତ୍ରରେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)କୁ ବାଦ୍‌ ଦେଲେ ଅନ୍ୟ କୌଣସି ଜାତୀୟ ମାନର ଶିକ୍ଷାନୁଷ୍ଠାନ ନାହିଁ। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ଅଛି, ମାତ୍ର ତାହା ଉଦ୍ଦେଶ୍ୟ ସାଧନ କରିପାରୁନି। ବିଗତ ଦିନରେ ଆଇଆଇଏମ୍‌ ପ୍ରତିଷ୍ଠା ପାଇଁ ରାଉରକେଲାକୁ ଅଣଦେଖା କରି ରାଜ୍ୟ ସରକାର ସମ୍ବଲପୁରକୁ ଅଗ୍ରାଧିକାର ଦେବାରୁ ଏହା ହାତଛଡ଼ା ହୋଇଥିଲା। ଏହାର ଭରଣା ପାଇଁ ଘୋଷଣା କରିଥିବା ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ୍‌(ଏକ୍ସଆଇଏମ୍‌)ର ଦ୍ବିତୀୟ ଶାଖାର ଚିହ୍ନବର୍ଣ୍ଣ ନାହିଁ। ଏମିତିକି ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ନିକଟରେ ପ୍ରସ୍ତାବ ବି ଦିଆଯାଇନଥିଲା। ଏସବୁ ଶିକ୍ଷାନୁଷ୍ଠାନ ହାତଛଡ଼ା ହେବାଯୋଗୁଁ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ଏକ ଜାତୀୟ ମାନର ଶିକ୍ଷାନୁଷ୍ଠାନ ଆବଶ୍ୟକତା ରହିଛି; ଫଳସ୍ବରୂପ ଜିଲ୍ଲାରେ କେନ୍ଦ୍ରୀୟ ଜନଜାତୀୟ ବିଶ୍ବବିଦ୍ୟାଳୟ ସ୍ଥାପନ ଦାବି ଜୋର୍‌ ଧରିଛି।

ଜିଲ୍ଲାରେ କେନ୍ଦ୍ରୀୟ ଜନଜାତୀୟ ବିଶ୍ବବିଦ୍ୟାଳୟ ସ୍ଥାପନ ଦାବି ଢ଼େର୍‌ ପୁରୁଣା। ବିଶେଷକରି ଗତ ୩/୪ ବର୍ଷ ହେଲା ଦାବି ଦୃଢ଼ତର ହେବାପରେ ଲାଗିଛି। ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଦୁଇ ଦୁଇ ଥର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ(୧୯୯୯-୨୦୦୪ ଓ ୨୦୧୪-୨୦୧୯) ଦାୟିତ୍ବରେ ରହିଥିଲେ ମଧ୍ୟ ଏହି ଦାବି ପୂରଣ ହୋଇପାରିନଥିଲା। ଏବେ ଓଡ଼ିଶା ପୁଅ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦାୟିତ୍ବରେ ଥିବାରୁ ଦାବି ପୁଣି ଉଜ୍ଜୀବୀତ ହୋଇଯାଇଛି। ଶ୍ରୀ ପ୍ରଧାନ ଆସନ୍ତାକାଲି(ଶନିବାର) ରାଉରକେଲା ଗସ୍ତରେ ଆସୁଥିବାରୁ ଏହି ଦାବି ପୁଣି ଥରେ ଚର୍ଚ୍ଚାର ପରିସର ଭିତରେ। ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ମନ୍ତ୍ରୀଙ୍କ ନିକଟରେ ଦାବି ଦୋହରାଇବାକୁ ସଜବାଜ ହେଲେଣି। ଶ୍ରୀ ପ୍ରଧାନ ବିଗତ ଦିନରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ଏବଂ ଇସ୍ପାତ ମନ୍ତ୍ରାଳୟର ମଙ୍ଗ ସମ୍ଭାଳିଥିବାବେଳେ ରାଉରକେଲା ଗସ୍ତ ଅବସରରେ ଏକାଧିକ ପ୍ରତିଶ୍ରୁତି ଦେଇଥିଲେ। ଗତ ୨୦୧୬ ମାର୍ଚ୍ଚ ୫ ତାରିଖରେ ଶ୍ରୀ ପ୍ରଧାନ ରାଉରକେଲାରେ ଆଇଓସିଏଲ୍‌ର ୧୦୦ତମ ଫୁଏଲ ଷ୍ଟେସନକୁ ଲୋକାର୍ପିତ କରିଥିଲେ। ଏମିତିକି ଛାତ୍ର ଜୀବନରେ ଏଠାରେ ଗୁରୁତ୍ବପୂର୍ଣ୍ଣ ସମୟ ଅତିବାହିତ କରିବାସହ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲା ପ୍ରତି ବିଶେଷ ନିବିଡ଼ତା ଥିବା କହିଥିଲେ। ଏଣୁ ଦୀର୍ଘ ଦିନର ଦାବି ଜନଜାତୀୟ ବିଶ୍ବବିଦ୍ୟାଳୟ ସ୍ଥାପନ ନେଇ କେନ୍ଦ୍ର ମନ୍ତ୍ରୀଙ୍କଠାରୁ ଅନେକ ଆଶା କରି ବସିଛନ୍ତି ଜିଲ୍ଲାବାସୀ।

ଜିଲ୍ଲାରେ ଏହି ବିଶ୍ବବିଦ୍ୟାଳୟ ସ୍ଥାପନ ଦାବିର ଯଥାର୍ଥତା ରହିଛି। ୨୦୧୧ ଜନଗଣନା ଅନୁସାରେ, ଜିଲ୍ଲାର ମୋଟ୍‌ ଜନସଂଖ୍ୟାର ୫୦.୭୫ ପ୍ରତିଶତ ହେଉଛନ୍ତି ଆଦିବାସୀ ଜନଜାତି ଓ ୯.୧୬ ପ୍ରତିଶତ ହେଉଛନ୍ତି ଆଦିବାସୀ ଜାତି। ଏତଦ୍‌ବ୍ୟତୀତ ଜିଲ୍ଲାର ସ୍ବାକ୍ଷରତା ହାର ମଧ୍ୟ ନିରୁତ୍ସାହଜନକ। ଜିଲ୍ଲାର ସ୍ବାକ୍ଷରତା ହାର ମାତ୍ର ୭୩.୩୪ ପ୍ରତିଶତ। ଅର୍ଥାତ୍‌ ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ୧୫ତମ ସ୍ଥାନରେ ରହିଛି। ଏଣୁ ଅଞ୍ଚଳରେ ଶିକ୍ଷାର ମାନବୃଦ୍ଧି ସହ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହିଁ ସ୍ବାକ୍ଷରତା ହାର ବୃଦ୍ଧି ପାଇଁ ଏକମାତ୍ର ବିକଳ୍ପ। ଜିଲ୍ଲାରେ ଏହି ବିଶ୍ବବିଦ୍ୟାଳୟ ସ୍ଥାପନ କରାଗଲେ କେବଳ ଜିଲ୍ଲାବାସୀ ନୁହେଁ ବରଂ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ର ଆଦିବାସୀ ଯୁବକଯୁବତୀ ଲାଭବାନ ହେବେ। ବିଶେଷକରି ସୁନ୍ଦରଗଡ଼ ଜିଲ୍ଲା ନିକଟବର୍ତ୍ତୀ ଛତିଶଗଡ଼ର ଆଦିବାସୀ ଜିଲ୍ଲା ରାୟଗଡ଼ ଓ ଯଶପୁର ଏବଂ ଝାଡ଼ଖଣ୍ଡର ସିମଡେଗା ଜିଲ୍ଲାବାସୀ ସର୍ବାଧିକ ଉପକୃତ ହେବେ। ସୁନ୍ଦରଗଡ଼ ଜିଲ୍ଲାରେ ଶିଳ୍ପକାରଖାନାର ବିକାଶ ଦ୍ରୁତଗତିରେ ଚାଲିଥିବାବେଳେ ଆଖପାଖ ଝାରସୁଗୁଡ଼ା, କେନ୍ଦୁଝର ଜିଲ୍ଲାରେ ମଧ୍ୟ ବିକାଶ ଜୋର୍‌ ଧରିଛି। ଏଣୁ ବିଶ୍ବବିଦ୍ୟାଳୟ ସ୍ଥାପନ ହେଲେ ଏଠାକାର ଆଦିବାସୀ ଯୁବଯୁବତୀଙ୍କ ପାଇଁ ଏସବୁ ଶିଳ୍ପସଂସ୍ଥାରେ ନିଯୁକ୍ତି ପାଇ ସ୍ବାବଲମ୍ବୀ ହେବାସହ ଜିଲ୍ଲା ତଥା ରାଜ୍ୟର ଅର୍ଥନୀତି ବିକାଶରେ ସହାୟକ ହେବେ। ଏହି ପ୍ରକଳ୍ପ ପାଇଁ ଜିଲ୍ଲାରେ ପର୍ଯ୍ୟାପ୍ତ ସରକାରୀ ପଡ଼ିଆ ଜମି ମଧ୍ୟ ଉପଲବ୍ଧ। ଏଣୁ ଜିଲ୍ଲାବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନିତାନ୍ତ ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର