ସୂର୍ଯ୍ୟ ମନ୍ଦିର ବେଢ଼ାରେ ପୁଣି ପାଣି ସୁଅ

ପର୍ଯ୍ୟଟନ ସ୍ଥଳୀରେ ବର୍ଷା ବିତ୍ପାତ

କୋଣାର୍କ:ଅସରାଏ ବର୍ଷାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଜମି ରହୁଛି ବର୍ଷା ପାଣି। ଏହା ଦିନେ ଦୁଇଦିନର ଘଟଣା ନୁହେଁ ବର୍ଷବର୍ଷ ଧରି ମନ୍ଦିର ପରିସରରେ ବର୍ଷା ଦିନେ ଏଭଳି ସ୍ଥିତି ଉପୁଜୁଛି। ଜମିରହୁଥିବା ବର୍ଷାପାଣି ପଥର ଫାଙ୍କଦେଇ ମୂଳଦୁଆରେ ପ୍ରବେଶ କରି ମୂଳଦୁଆକୁ ଦୁର୍ବଳ କରିଦେବାରେ ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ମୁଖଶାଳାର ଜଗମୋହନରେ ହୋଇଥିବା ଫାଟଦେଇ ମଧ୍ୟ ବର୍ଷାପାଣି ମନ୍ଦିର ଭିତରକୁ ପ୍ରବେଶ କରୁଥିବାରୁ ମନ୍ଦିର ମୁଖଶାଳାରେ ଭର୍ତି ହୋଇଥିବା ବାଲି ଏବେ ଦବିବା ଆରମ୍ଭ ହୋଇଥିବା କୁହାଯାଉଛି। ଏହା ପୂର୍ବରୁ ୨୦୧୦ରୁ ୨୦୧୬ ମଧ୍ୟରେ ବହୁବାର ଏଭଳି ସ୍ଥିତି ଉପୁଜିଥିଲା। ଗତବର୍ଷ ବର୍ଷ ଜୁଲାଇ ୧୨, ଅକ୍ଟୋବର ୬, ନଭେମ୍ବର ୧୫ରେ ମଧ୍ୟ ମନ୍ଦିର ପରିସରରେ ବର୍ଷାପାଣି ଲହଡ଼ି ଭାଙ୍ଗିବା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ବାରମ୍ବାର ମନ୍ଦିର ପରିସର ଓ ଚାରିପାଖରେ ଜମିରହୁଥିବା ବର୍ଷାପାଣି ନିସ୍କାସନ ପାଇଁ କୋଟିକୋଟି ଟଙ୍କ ବ୍ୟୟ ଅଟକଳରେ ଡ୍ରେନ୍‌ ନିର୍ମାଣ କରାଯାଇଥିଲେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ଆସିନାହିଁ। ଯାହାର ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ସମଗ୍ର କୋଣାର୍କ ବଜାର ଜଳାର୍ଣ୍ଣବ ହୋଇପଡ଼ିଛି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ଜମି ରହୁଥିବା ବର୍ଷାପାଣି ନିସ୍କାସନର ସ୍ଥୟୀ ସମାଧାନ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

ବନ୍ଦ ରହିଲା ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ସୋ’
କୋଣାର୍କ: ଆଜି ହୋଇଥିବା ବର୍ଷାରେ ସୂର୍ଯ୍ୟ ମନ୍ଦିର ପରିସରରେ ବର୍ଷା ପାଣି ଜମି ରହିଛି। ଫଳରେ ମନ୍ଦିରକୁ ଆସିଥିବା ପର୍ଯ୍ୟଟକ ହିନସ୍ତା ହୋଇଛନ୍ତି। ମନ୍ଦିର ପରିସରରେ ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ସୋ’ ଦେଖିବାକୁ ଦର୍ଶକ ବସୁଥିବା ସ୍ଥାନରେ ମଧ୍ୟ ପାଣି ଲହଡ଼ି ଭାଙ୍ଗୁଛି। ଫଳରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’କୁ ଏବେ ସ୍ଥଗିତ ରଖାଯାଇଛି। ବର୍ଷା ଛାଡ଼ିବା ପରେ ପାଗ ଭଲ ହେଲେ ପୁଣିଥରେ ଏହି ସୋ ପୂର୍ବ ନିର୍ଦ୍ଧାରିତ ସମୟରେ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର