ସମସ୍ୟା ଘେରରେ ଭୂୟାଁରୋଇଡ଼‌ା ସରକାରୀ ଆବାସିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ : ପାଣି ଅଭାବରୁ ପିଲାମାନଙ୍କ ଗାଧୋଇବା ପାଇଁ ପୋଖରୀ ଭରସା

ବଡ଼ବିଲ : ସମସ୍ୟା ଘେରରେ ରୋଇଡା ପଞ୍ଚାୟତ ଭୂୟାଁରୋଇଡାରେ ଥିବା ସରକାରୀ ଆବାସିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟରେ ଜଳ ସମସ୍ୟା ଉତ୍କଟ ହୋଇଥିବାରୁ ଛାତ୍ରଛାତ୍ରୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବୋରୱେଲ୍‌ ପାଣିରେ ଶୋଷ ମେଣ୍ଟୁଥିବା ବେଳେ ଗାଧୋଇବା ପାଇଁ ପୋଖରୀ ଭରସା। ପାଣି ଅଭାବରୁ କୁନିକୁନି ପିଲାମାନେ ଗାଧୋଇବା ପାଇଁ ପାଖ ପ‌ୋଖରୀକୁ ଯାଉଥିବାରୁ ଅଘଟଣର ଆଶଙ୍କା ରହିଛି।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ ଯୋଡ଼ା ବ୍ଲକର ଜୁରୁଡ଼ି, ବାମେବାରୀ, ଖଣ୍ଡବନ୍ଧ, କୁନ୍ଦୁରୁପାଣି, କେ-୧୩ ଅଂଚଳର ଛାତ୍ରଛାତ୍ରୀ ପଢ଼ୁଛନ୍ତି। ବିଦ୍ୟାଳୟରେ ମୋଟ ଛାତ୍ରଛାତ୍ରୀ ସଂଖ୍ୟା ୨୫୨ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫୦ ଜଣ ହଷ୍ଟେଲରେ ରହି ପଢ଼ୁଛନ୍ତି। ଏମାନଙ୍କ ମଧ୍ୟରୁ ୧୧୦ ଜଣ ଛାତ୍ରୀ ଓ ୪୦ ଜଣ ଛାତ୍ର ଥିବା ଜଣାପଡ଼ିଛି। ବିଦ୍ୟାଳୟରେ ଜଳ ସମସ୍ୟା ଏବେ ଉତ୍କଟ ହୋଇଛି। ଶତାଧିକ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ଗୋଟିଏ ନଳକୂଅ, ଗୋଟିଏ ଖୋଲାକୂଅ ଓ ଗୋଟିଏ ବୋରୱେଲ୍। ନଳକୂଅଟି ସମ୍ପୂଣ୍ଣ ଅଚଳ ହୋଇଥିବା ବେଳେ ଖୋଲା କୂଅରେ ଲାଗିଥିବା ପମ୍ପ ଖରାପ ଯୋଗୁଁ କିଛି ମାସ ହେବ ପାଣି ଉଠି ପାରୁନାହିଁ। ବୋରୱେଲର ଜଳସ୍ତର ଅତି ନିମ୍ନରେ ଥିବାରୁ ଆବଶ୍ୟକତା ଅନୁସାରେ ଜଳ ଯୋଗାଣ ହୋଇପାରୁନାହିଁ। ସେଥିରୁ ଯେତିକି ପାଣି ବାହାରୁଛି ତାକୁ ଛାତ୍ରଛାତୀ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ବିଦ୍ୟାଳୟ ଓ ଛାତ୍ରାବାସ ପରିବେଶ ଅପରିଷ୍କାର ହୋଇପଡ଼ିଥିବାରୁ ବିଭିନ୍ନ ରୋଗ ବ୍ୟାପିବାର ଆଶଙ୍କା ରହିଛି। ପାଣି ଅଭାବରୁ ପିଲାମାନେ ଗାଧୋଇବା ପାଇଁ ହଇରାଣ ହେଉଛନ୍ତି। ଛାତ୍ରୀମାନେ ଛାତ୍ରୀ ନିବାସରେ ବହୁ କଷ୍ଟରେ ଗାଧୋ‌ଉଥିବା ବେଳେ କୁନିକୁନି ଛାତ୍ରମାନେ ବିଦ୍ୟାଳୟକୁ ଲାଗିଥିବା ପୋଖରୀରେ ଗାଧୋଉଛନ୍ତି। ଫଳରେ କୌଣସି ମହୂର୍ତ୍ତରେ ଅଘଟଣ ଘଟିବାର ଆଶଙ୍କା ରହିଛି।

ସେହିପରି ୨୫୨ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୮ରୁ ୯ ଜଣ ଶିକ୍ଷକ ଆବଶ୍ୟକ ଥିବାବେଳେ ପ୍ରଧାନଶିକ୍ଷକଙ୍କୁ ମିଶାଇ ଏଠାରେ ଅଛନ୍ତି ମାତ୍ର ୪ ଜଣ ଶିକ୍ଷକ। ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଛାତ୍ରୀ ନିବାସରେ ପାଣି ଗଳୁଥିବାରୁ ବର୍ଷା ଦିନେ ଛାତ୍ରୀମାନେ ହଇରାଣ ହେଉଛନ୍ତି। ବିଦ୍ୟାଳୟ ପରିସରରେ ଥିବା ଡ୍ରେନ ଭାଙ୍ଗି ଯାଇଥିବାରୁ ମଇଳା ପାଣି ଜମି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ୭ଟି ସୌରଶକ୍ତି ଚାଳିତ ଲାଇଟ୍‌ କିଛି ବର୍ଷ ହେବ ଅଚଳ ହୋଇଯାଇଥିବାରୁ ଲାଇନ କଟିଗଲେ ବିଦ୍ୟାଳୟ ପରିସର ଅନ୍ଧାର ହୋଇଯାଉଛି। ବିଦ୍ୟାଳୟର ଏହି ସମସ୍ୟା ସମ୍ପର୍କରେ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ସାହୁଙ୍କୁ ପଚ‌ାରିବାରୁ, ସେ ଏହାକୁ ସ୍ବୀକାର କରିବା ସହ ଏନେଇ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ହେଲେ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର