ଡବ୍ଲୁଓଡିସିର ୩୨୯ କୋଟିର ବିନିଯୋଗପତ୍ର ବାକି : ମାର୍ଚ୍ଚ ସୁଦ୍ଧା ୭୫% ୟୁସି ଦାଖଲ ନିର୍ଦେଶ

ଆଞ୍ଚଳିକ ବୈଷମ୍ୟକୁ ନେଇ ପ୍ରସ୍ତୁତ ହେବ ନୂଆ ରିପୋର୍ଟ

ଭୁବନେଶ୍ବର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲୁଓଡିସି) ପାଣ୍ଠିର ୩୨୯ କୋଟି ଟଙ୍କାର ବିନିଯୋଗପତ୍ର ବାକି ରହିଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା ପଶ୍ଚିମ ଓଡ଼ିଶାର ୧୧ ଜିଲ୍ଲାର ବାକି ଥିବା ବିନିଯୋଗପତ୍ରର ୭୫ ପ୍ରତିଶତ ଦାଖଲ କରିବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବୈଠକରେ ନିର୍ଦେଶ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଡବ୍ଲୁଓଡିସି ପାଣ୍ଠି ଅନ୍ତର୍ଗତରେ ସରକାରଙ୍କ ପକ୍ଷରୁ ୧୬୫୯.୪୦ କୋଟି ଟଙ୍କା ଦିଆଯାଇଛି। ଏଥିମଧ୍ୟରୁ ୧୩୩୦.୧୭ କୋଟି ଟଙ୍କାର ବିନିଯୋଗପତ୍ର ମିଳିଛି। ବାକି ବିନିଯୋଗପତ୍ରଗୁଡ଼ିକ ଜିଲ୍ଲା ପ୍ରଶାସନ ଅନ୍ତର୍ଗତରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ଅଧିକାରୀ, ଯୋଜନା କାର୍ଯ୍ୟାଳୟରେ ଅଟକି ରହିଛି। ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଜିଲ୍ଲା ସ୍ତରରୁ ବିନିଯୋଗପତ୍ର ଆସିଲେ; ମାସ ଶେଷ ସୁଦ୍ଧା ଡବ୍ଲୁଓଡିସି କାର୍ଯ୍ୟାଳୟରୁ ରାଜ୍ୟ ସରକାରଙ୍କୁ ଦିଆଯିବ ବୋଲି ଜଣାପଡ଼ିଛି।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବରେ ଅସିତ ତ୍ରିପାଠୀଙ୍କ ଦାୟିତ୍ବ ଗ୍ରହଣ ପରେ ଡବ୍ଲୁଓଡିସି ପାଣ୍ଠିର ଉପଯୁକ୍ତ ବିନିଯୋଗକୁ ଗୁରୁତ୍ବ ଦିଆଯାଉଛି। ଏଥିପାଇଁ ଦାୟିତ୍ବ ଗ୍ରହଣ ପରେ ଅଧ୍ୟକ୍ଷ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ କରି ଡବ୍ଲୁଓଡିସି ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଥିଲେ। ୨୦୨୧ର ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା। ସବୁ ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷା, ତାଲିମ, ନିଯୁକ୍ତି ସୃଷ୍ଟି ଦେଉଥିବା କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଇଥିଲେ। ଏହି ଗସ୍ତ ସମାପ୍ତ ପରେ ଡବ୍ଲୁଓଡିସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଉ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ପଶ୍ଚିମ ଓଡ଼ିଶାର ୧୧ ଜିଲ୍ଲା ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ, ଛେଣ୍ଡିପଦାର ସାମାଜିକ-ଆର୍ଥିକ, ଶିକ୍ଷା, ପ୍ରଶିକ୍ଷଣ, ଧନ୍ଦାମୂଳକ, ବୈଷୟିକ, କୃଷି ସମ୍ପର୍କିତ ତଥ୍ୟ ଦେଇ ଆଞ୍ଚଳିକ ବିଷମତା ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଉପନିର୍ଦେଶକଙ୍କୁ କୁହାଯାଇଛି। ଏହି ଜିଲ୍ଲାଗୁଡ଼ିକ ସମ୍ପର୍କରେ ସବିଶେଷ ତଥ୍ୟ ପରିସଂଖ୍ୟାନ ବିଭାଗର ଉପନିର୍ଦେଶକ କାର୍ଯ୍ୟାଳୟ, ସ୍ଥାନୀୟ ସ୍ତରରୁ ସଂଗ୍ରହ ପାଇଁ କୁହାଯାଇଛି।

ସୂଚନା ଅନୁଯାୟୀ, ୧୯୯୪ ମସିହାରେ ପିସି ଘଡ଼େଇ କମିଟିର ରିପୋର୍ଟ ଅନୁସାରେ, ଡବ୍ଲୁଓଡିସି ଅନ୍ତର୍ଗତ ୧୦ ଜିଲ୍ଲା, ୨ ଉପଖଣ୍ଡ ଅନ୍ତର୍ଗତରେ ସ୍ଥିତ ୮୯ ବ୍ଲକ ମଧ୍ୟରୁ ୩୪ ବ୍ଲକ୍‌ ଅତି ପଛୁଆ ଏବଂ ୨୫ ବ୍ଲକ୍‌କୁ ପଛୁଆ ଭାବରେ ଦର୍ଶାଯାଇଛି। ୩୮ ବ୍ଲକ୍‌ରେ ୩୫ ପ୍ରତିଶତରୁ କମ ଜଳସେଚନ ସୁବିଧା ରହିଛି। ଏଥିପାଇଁ ଡବ୍ଲୁଓଡିସି ପାଣ୍ଠି ଅନ୍ତର୍ଗତରେ ୧୧ ଜିଲ୍ଲାକୁ ପ୍ରତିବର୍ଷ ସମୁଦାୟ ଶହେ କୋଟି ପ୍ରଦାନ କରାଯାଇ ଥାଏ। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକର ସମସ୍ୟା ଯେଉଁଭଳି ଜଟିଳ ହେଲାଣି, ପାଣ୍ଠି ବୃଦ୍ଧି ପାଇଁ ଦାବି ହେଉଛି। ଜିଲ୍ଲା ପ୍ରଶାସନ ସ୍ତରରେ ଏହାର ଉପଯୁକ୍ତ ବିନିଯୋଗ ହେଉନଥିବା, ଲୋକଙ୍କ ଆବଶ୍ୟକତା ଅନୁସାରେ ପ୍ରକଳ୍ପ ପ୍ରସ୍ତୁତ କରାଯାଉନଥିବାରୁ ଲୋକଙ୍କୁ ଏହାର ଲାଭ ମିଳୁନଥିବା ନେଇ ଅଭିଯୋଗ ହୋଇଛି। ବୈଠକରେ ଡବ୍ଲୁଓଡିସି କାର୍ଯ୍ୟାଳୟରେ କର୍ମଚାରୀ ସଙ୍କଟ ନେଇ ଆଲୋଚନା ହୋଇଥିଲା। ସମସ୍ତ କର୍ମଚାରୀ, ଅଧିକାରୀଙ୍କୁ ପ୍ରଯୁକ୍ତି ବିଦ୍ୟାରେ ଯୁଗଉପଯୋଗୀ ରହିବାକୁ ପରାମର୍ଶ ଦିଆଯାଇଥିଲା। ଡବ୍ଲୁଓଡିସିରେ ମଧ୍ୟ ଖୁବ ଶୀଘ୍ର ଓସ୍ବାସ ବ୍ୟବସ୍ଥା ଲାଗୁ ହେବ ବୋଲି କୁହାଯାଇଥିଲା।

ସମ୍ବନ୍ଧିତ ଖବର