ଜାଲିଆତି କରି ବ୍ୟାଙ୍କରୁ ୬୭ଲକ୍ଷ ଟଙ୍କା ଠକେଇ: ବ୍ୟାଙ୍କ ମ୍ୟାନେଜର୍‌ ଗିରଫ

ଭୁବନେଶ୍ୱର : କାଗଜପତ୍ରରେ ଜାଲିଆତି କରି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) କଟକ ମାଲଗୋଦାମ ବ୍ରାଞ୍ଚରୁ ୬୭ଲକ୍ଷ ଟଙ୍କାର ଋଣ ଠକେଇ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବ୍ୟାଙ୍କ ମ୍ୟାନେଜର୍‌ଙ୍କୁ ଗିରଫ କରିଛି। ତାଙ୍କ ନାଁ ସୂର୍ଯକାନ୍ତ ଦାସ(୪୮)। ଘର କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଧୀନ ଅଳିଙ୍ଗ। ସେ କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ରହୁଥିଲେ। ତେବେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

କ୍ରାଇମ୍‌ବ୍ରାଞ୍ଚ ସୂଚନା ଅନୁଯାୟୀ, ଦୀର୍ଘ ଦିିନ ହେବ ସୂର୍ଯ୍ୟକାନ୍ତ ଏସ୍‌ବିଆଇ କଟକ ମାଲଗୋଦାମ ବ୍ରାଞ୍ଚରେ ମ୍ୟାନେଜର୍‌ ଭାବେ କାର୍ଯ୍ୟ କରୁଥିଲେ। ତେବେ ୨୦୦୬ ସେପ୍ଟେମ୍ବର ମାସରୁ ଡିସେମ୍ବର ମାସ ମଧ୍ୟରେ ସୂର୍ଯ୍ୟକାନ୍ତଙ୍କ ସମେତ ୩୯ ଜଣ ବ୍ୟକ୍ତି ନକଲି ପରିଚୟପତ୍ର ଦେବା ସହ ସେମାନଙ୍କୁ କଟକ ନୂଆପଡ଼ା ଅରଫାନ୍‌ ଓ ସ୍ପେସାଲ ସ୍କୁଲର ଶିକ୍ଷକ ଓ କର୍ମଚାରୀ ଦର୍ଶାଇ ବ୍ୟାଙ୍କରୁ ୬୭ଲକ୍ଷ ୮ହଜାର ୪ଶହ ୫୬ଟଙ୍କା ଋଣ ନେଇଥିଲେ। ଜାଲିଆତି କରିଥିବା ଜଣାପଡ଼ିବା ପରେ ଗତ ୨୦୧୧ ଜାନୁଆରି ୧୨ ତାରିଖରେ ଇଓଡବ୍ଲୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ପୂର୍ବରୁ ଇଓଡବ୍ଲ୍ୟୁ ଠକେଇରେ ସମ୍ପୃକ୍ତ ୩ବ୍ୟାଙ୍କ କର୍ମାଚରୀ ଓ ୨୮ ଜଣ ବ୍ୟକ୍ତିଙ୍କୁ ଗରିଫ କରିଥିଲା। ସେହିପରି ଠକେଇରେ ସମ୍ପୃକ୍ତ ସୌମ୍ୟ ରଞ୍ଜନ ନାଥ ନାମକ ଜଣେ ବ୍ୟକ୍ତିଙ୍କୁ ଗତ ୧୩ ତାରିଖରେ ଇଓଡବ୍ଲ୍ୟୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଇଓଡବ୍ଲ୍ୟୁ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର