ଭୁବନେଶ୍ୱର: କୋର୍ଟ ନିର୍ଦେଶକୁ କମସନରେଟ୍ ପୁଲିସର ବେଖାତିର। କୋର୍ଟ ନିର୍ଦେଶ ଦେଇଛନ୍ତି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ। କିନ୍ତୁ ପୁଲିସ କେବଳ ମାମଲା ରୁଜୁ କରି ବସି ପଡ଼ିଛି। ଫଳରେ ଅଭିିଯୁକ୍ତ ଖୁଲମଖୁଲା ବୁଲିବା ସହିତ କୋର୍ଟରୁ ଆଗୁଆ ଜାମିନ୍ ପାଇବା ପାଇଁ ଆବେଦନ କରିଛନ୍ତି। ଏଣେ କୋର୍ଟ ଅଭିଯୁକ୍ତଙ୍କ ଆଗୁଆ ଜାମିନ୍ ଉପରେ ରୋକ ଲଗାଇ ସାରିଲେଣି। ଏଭଳି ପରିସ୍ଥିତିରେ ଏବେ କମିସନରେଟ୍ ପୁଲିସର କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
ସହିଦନଗର ଥାନା ଅଧୀନ ବାଙ୍କୁଆଳ ଗାଁର ବିଧବା ମହିଳା ନିର୍ମଳା ନାୟକ(୭୦)। ତାଙ୍କର ଏକ ଜମିକୁ ଏକ ବିଲଡର ସଂସ୍ଥା ଜାଲ କାଗଜପତ୍ର ପ୍ରସ୍ତୁତ କରି ବିକ୍ରି କରି ଦେଇଥିଲା। ଏ ନେଇ ନିର୍ମଳା ସହିଦନଗର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କିଛି ବି ଶୁଣି ନ ଥିଲା। ଏ ନେଇ ନିର୍ମଳା ଭୁବନେଶ୍ୱର କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟ ଘଟଣାର ତଦନ୍ତ କରିବାକୁ ବଡ଼ଗଡ଼ ଥାନାକୁ ନିର୍ଦେଶ ଦେଇଥିଲେ। ବଡ଼ଗଡ଼ ଥାନା ପୁଲିସ ମାମଲା ରୁଜୁ କରି ବିଲଡର ସଂସ୍ଥାର ଦୁଇ ଜଣକ ଧରଣୀ ଧର ଓଝା ଓ କୈଳାସ ଚନ୍ଦ୍ର ଓଝାଙ୍କୁ ଗିରଫ କରିଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତ କ୍ଷୀରୋଦ ସ୍ୱାଇଁ ଏବେ ବି ଫେରାର। କ୍ଷୀରୋଦ ଏବେ ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରୁଛନ୍ତି। ଆଗୁଆ ଜାମିନ୍ ପାଇବା ପାଇଁ କ୍ଷୀରୋଦ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୋର୍ଟ ଆଗୁଆ ଜାମିନ୍ ଖାରଜ କରିବା ସହିତ ଥାନାକୁ ନିର୍ଦେଶ ଦେଇଛନ୍ତି ଗିରଫ କରିବାକୁ। ହେଲେ ପୁଲିସ ତାଙ୍କୁ ଏଯାଏ ଗିରଫ କରିନାହିଁ। ପୁଲିସ କ୍ଷୀରୋଦକୁ ଗିରଫ ନ କଲେ ଥାନା ଆଗରେ ଆତ୍ମହତ୍ୟା କରିବେ ବୋଲି ନର୍ମିଳା କହିଛନ୍ତି।
ସେହିପରି ଲିଙ୍ଗରାଜ ଥାନା ସନ୍ତୋଷ କୁମାର ନାୟକ ନାମକ ଜଣେ ଯୁବକ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଅରୁଣ ମଲିଆ ନାମକ ଜଣେ ଯୁବକଙ୍କଠାରୁ ବିଭିନ୍ନ ସମୟରେ ସୁଧରେ ଟଙ୍କା ଆଣିଥିଲେ। ସୁଧ ଟଙ୍କା ବଢ଼ି ବଢ଼ି ମୂଳ ଟଙ୍କାରୁ ୧୦ ଗୁଣା ହୋଇ ଗଲାଣି। ସୁଧ ମୂଳ ସହିତ ଟଙ୍କା ଫେରାଇବାକୁ କହି ଅରୁଣ ବିଭିନ୍ନ ସମୟରେ ସନ୍ତୋଷଙ୍କୁ ଧମକ ଚମକ ଦେବା ସହିତ ହତ୍ୟା ଉଦ୍ୟମ କରିଥିଲା। ଏ ନେଇ ସନ୍ତୋଷ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କିଛି ବି ଶୁଣି ନ ଥିଲା। ଶେଷରେ ବାଧ୍ୟ ହୋଇ ସନ୍ତୋଷ ଭୁବନେଶ୍ୱର ଏସ୍ଡିଜେଏମ୍ଙ୍କ କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟ ଲିଙ୍ଗରାଜ ଥାନାକୁ ମାମଲା ରୁଜୁ କରି ଅରୁଣ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇ ସାରିଛନ୍ତି। କିନ୍ତୁ ପୁଲିସ କେବଳ ମାମଲା ରୁଜୁ କରି ବସି ପଡ଼ିଛି। ଫଳରେ ଏବେ ଅଭିଯୁକ୍ତ ଅରୁଣ ଖୁଲମଖୁଲା ବୁଲି ସନ୍ତୋଷଙ୍କୁ ଧମକ ଚମକ ଦେବାରେ ଲାଗିଛି।
ଏ ସମ୍ପର୍କରେ ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି ପୁଲିସ ମାମଲା ରୁଜୁ କରି ସାରିଛି। ଦୁଇ ଅଭିଯୁକ୍ତ ଖୁବ୍ ଶୀଘ୍ର ଗିରଫ ହେବେ।