ନିଅାଁଲିଭା କର୍ମଚାରୀଙ୍କ ନିଅାଁଲଗା ପ୍ରେମ : ତୃତୀୟ ଥର ପାଇଁ ବାନ୍ଧିଲା ପୁଲିସ

ଖଣ୍ଡଗିରି: ଏକତରଫା ପ୍ରେମ କରି ଦୁଇ ଦୁଇ ଥର ଗିରଫ ହେଲେ। ଚାକିରିରୁ ନିଲମ୍ବିତ ବି ହେଲେ। ତଥାପି ମନ ବୁଝିଲାନି। ପରିଣତି ଯାହା ବି ହେଉ ପଛେ ଯୁବତୀଙ୍କୁ ବିବାହ କରିବାକୁ ସେ ଉଦ୍ୟମ ଜାରି ରଖିଲେ। ତିନି ଥରରେ ଧରମ ଛାଡ଼ ନ୍ୟାୟରେ ପ୍ରେମପାଗଳ ଯୁବକ ପୁଣି ଥରେ ଯୁବତୀଙ୍କ ଘରକୁ ଯାଇ ବିବାହ କରିବାକୁ ଧମକ ଦେଲେ। ତେଣୁ ବୁଧବାର ପୁଣି ଥରେ ଖଣ୍ଡଗିରି ଥାନା ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ହେଉଛି ଖୋର୍ଧା ଜିଲ୍ଲା ଜଙ୍କିଆ ଥାନା ନରଣଗଡ଼ ଗାଁର କୋରାପୁଟ ପଟ୍ଟାଙ୍ଗୀରେ କାମ କରୁଥିବା ଅଗ୍ନିଶମ କର୍ମଚାରୀ ସୁବୁଦ୍ଧି କାଣ୍ଡିଙ୍କ ଏକତରଫା ପ୍ରେମ କାହାଣୀ।

ସୂଚନାନୁସାରେ ୨୦୧୫ ମସିହାରେ ଫେସ୍‌ବୁକ୍‌ରେ ସୁବୁଦ୍ଧି କାଣ୍ଡି ଓ କାମାକ୍ଷାନଗର ଅଞ୍ଚଳର ଜଣେ ଯୁବତୀଙ୍କ ମଧ୍ୟରେ ବନ୍ଧୁତା ପ୍ରତିଷ୍ଠା ହୋଇଥିଲା। ସଂଯୋଗବଶତଃ ଯୁବତୀଙ୍କ ନାମ ପଛରେ କାଣ୍ଡି ସାଙ୍ଗିଆ ଥିଲା। ଯୁବତୀ ଜଣଙ୍କ ଉଚ୍ଚ ଶିକ୍ଷିତ ଓ ସୁନ୍ଦରୀ ହୋଇଥିବାରୁ ସୁବୁଦ୍ଧି ତାଙ୍କୁ ମନେ ମନେ ଭଲ ପାଇ ବସିଥିଲେ। କିଛି ଦିନର ବନ୍ଧୁତା ପରେ ସୁବୁଦ୍ଧି ନିଜ ଆଡ଼ୁ ବିବାହ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଯୁବତୀ ଜଣଙ୍କ ଜାଣିବାକୁ ପାଇଲେ ଯେ ଚାକିରି କଲେ ବି ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ସୁବୁଦ୍ଧି ତାଙ୍କ ସମକକ୍ଷ ନୁହଁନ୍ତି। ତେଣୁ ସେ ସୁବୁଦ୍ଧିଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ବନ୍ଧୁତା ବି କାଟି ଦେଇଥିଲେ। କିନ୍ତୁ ନଛୋଡ଼ବନ୍ଧା ଥିଲେ ସୁବୁଦ୍ଧି। ଯୁବତୀ ଜଣଙ୍କ ରାଜଧାନୀର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ରାସାୟନ ବିଜ୍ଞାନରେ ପିଏଚ୍‌ଡି କରୁଥିବାରୁ ଖଣ୍ଡଗିରି ଅଞ୍ଚଳରେ ରହୁଛନ୍ତି। ତେଣୁ ସୁବୁଦ୍ଧି ଖଣ୍ଡଗିରିରେ ଯୁବତୀଙ୍କ ମେସ୍‌ରେ ପହଞ୍ଚି ପ୍ରେମ ନିବେଦନ କରିବା ସହ ବିବାହ କରିବାକୁ ଜିଦ୍‌ କରିଥିଲେ। ଯୁବତୀ ଜଣଙ୍କ ଯେତେ ବୁଝାଶୁଝା କଲେ ବି ସୁବୁଦ୍ଧି ପଛଘୁଞ୍ଚା ନ ଦେବାରୁ ବାଧ୍ୟ ହୋଇ ପୁଲିସ ପର୍ଯ୍ୟନ୍ତ କଥା ଗଲା। ଫଳରେ ସୁବୁଦ୍ଧି ଗିରଫ ହେଲେ ଓ ଝାରପଡ଼ା ଜେଲ୍‌ ଗଲେ। କଥା ଏତିକିରେ ଅଟକି ନଥିଲା। ଜାମିନ ପାଇ ଜେଲ୍‌ରୁ ବାହାରିବା ପରେ ସୁବୁଦ୍ଧି ପୁଣି ଖଣ୍ଡଗିରିରେ ପହଞ୍ଚି ଯୁବତୀଙ୍କୁ ହଇରାଣ କଲେ। ତେଣୁ ପୁଣି ଥରେ ପୁଲିସ ତାଙ୍କୁ ଜେଲ୍‌କୁ ପଠାଇଥିଲା। ୨୦୧୬ ମସିହାରେ ଦୁଇ ଦୁଇ ଥର ତାଙ୍କୁ ଜେଲ୍‌କୁ ପଠାଗଲା। ଏଥର ସୁବୁଦ୍ଧିଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା ଓ ଅଧିକ ଦିନ ତାଙ୍କୁ ଜେଲ୍‌ରେ ରହିବାକୁ ପଡ଼ିଥିଲା। ତେଣୁ ଲାଗୁଥିଲା ସୁବୁଦ୍ଧିଙ୍କ ଦୁର୍ବୁଦ୍ଧି ଲୋପ ପାଇଯାଇଥିବ। ମାତ୍ର ଯେମିତି ନିଲମ୍ବନ ଉଠିଛି ଓ ସେ ପୁଣି ଚାକିରିରେ ଯୋଗ ଦେଇଛନ୍ତି, ବାହାରିଲା ପୁରୁଣା ରୋଗ। ମଙ୍ଗଳବାର ରାତିରେ ସେ ପୁଣି ଖଣ୍ଡଗିରିରେ ପହଞ୍ଚି ଯୁବତୀଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। ଏଥର ବିବାହ ପ୍ରସ୍ତାବରେ ରାଜି ନ ହେଲେ, ତାଙ୍କୁ ହତ୍ୟା କରିବ ବୋଲି ଧମକ ଦେଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଯୁବତୀଙ୍କ ମେସ୍‌ ନିକଟରୁ ତାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର