ଚୋରକୁ ଛେଚି ପୁଲିସରେ ଦେଲେ

ଭୁବନେଶ୍ୱର : ଗୁରୁବାର ବିଳମ୍ବିତ ରାତିରେ ଶବରସାହି ଜେନା କଲୋନିସ୍ଥିତ ଜଣେ ମହିଳାଙ୍କ ଘରୁ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକମାନେ ତାକୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଗିରଫ କରିଥିଲା। ତା’ ନାଁ ଜଗନ୍ନାଥ ପାତ୍ର(୪୦)। ଗୁରୁବାର ସନ୍ଧ୍ୟାରେ ଶବରସାହି ଅଞ୍ଚଳର ସବିତା ରାଣୀ ସାହୁ ପରିବାର ସହ ବୁଲିବାକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ୧୦ଟାରେ ଫେରିବା ବେଳକୁ ଜଗନ୍ନାଥ ସବିତାଙ୍କ ଘର ତାଲା ଭାଙ୍ଗି ଚୋରି ଉଦ୍ୟମ କରିଥିଲା। ଘର କବାଟ ଖୋଲାଥିବାରୁ ସବିତା ଓ ତାଙ୍କ ସ୍ୱାମୀ ବାହାର ପଟୁ କବାଟ ଦେଇ ପଡ଼ୋଶୀ ଲୋକଙ୍କୁ ଡାକିଥିଲେ। ଏହାପରେ କାବାଟ ଖୋଲି ଘର ଭିତରୁ ଜଗନ୍ନାଥକୁ କାବୁ କରିଥିଲେ। ଜଗନ୍ନାଥ ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିବାରୁ ଲୋକମାନେ ତାକୁ ନିସ୍ତୁକ ମାଡ଼ ମାରିବା ସହ ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଗନ୍ନାଥକୁ ଗିରଫ କରି ଥାନାକୁ ନେଇଥିଲା। ଏନେଇ ସବିତା ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଜଗାକୁ କୋର୍ଟ ଚାଲାଣ କରିଛି।

୨ ଲୁଟେରା ଗିରଫ, ଅଟୋ ଓ ସୁନା କାନଫୁଲ ଜବତ

ଭୁବନେଶ୍ୱର : ଅଟୋ ଚୋରି ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଶୁକ୍ରବାର ୨ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ, ନୀଳକଣ୍ଠନଗର ମୁଣ୍ଡାସାହି ଅଞ୍ଚଳର ବିଭୂତି ପ୍ରଧାନ ଓରଫ ବାପି (୨୦) ଓ ଖୋର୍ଧା ଜଙ୍କିଆ ଅଞ୍ଚଳର ସନ୍ତୋଷ ପ୍ରଧାନ ଓରଫ ସେନ୍ତେରା (୨୨)। ସନ୍ତୋଷ ଏଠାରେ ମୁଣ୍ଡାସାହି ଅଞ୍ଚଳରେ ରହୁଥିଲା। ଗତ ୨୫ ତାରିଖ ରାତିରେ ମୁଣ୍ଡାସାହି ଅଞ୍ଚଳର ମଧୁସୂଦନ ମହାରଣା ନାମକ ଜଣେ ବ୍ୟକ୍ତିଙ୍କ ଅଟୋକୁ ସନ୍ତୋଷ ଚୋରି କରି ନେଇଥିଲା। ଏନେଇ ମଧୁସୂଦନ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ ଅଟୋ ଚୋରି ଦିନଠାରୁ ସନ୍ତୋଷ ସ୍ଥାନୀୟ ଅଞ୍ଚଳରୁ ଉଭାନ ହୋଇଯିବାରୁ ପୁଲିସ ତା’ ଉପରେ ସନ୍ଦେହ କରିଥିଲା। ପୁଲିସ ସନ୍ତୋଷର ଠିକଣା ଠାବ କରି ଗୁରୁବାର ବିଳମ୍ବିତ ରାତିରେ ଜଙ୍କିଆସ୍ଥିତ ଘରେ ଚଢ଼ଉ କରିଥିଲା। ସେଠାରୁ ଅଟୋ ଓ ସୁନା କାନଫୁଲ ଜବତ କରିଥିଲା। ଏହାପରେ ତାକୁ ଥାନାକୁ ଆଣି ପଚରାଉଚରା ପରେ ତା’ ସହ ଏହି ଘଟଣାରେ ବାପି ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ପୁଲିସ ମୁଣ୍ଡାସାହିସ୍ଥିତ ଘରେ ଚଢ଼ଉ କରି ବାପିକୁ ଗିରଫ କରିଥିଲା। ଉଭୟଙ୍କୁ ଥାନାରେ ପଚରା ଉଚରା ପରେ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର