୫ ବର୍ଷପାଇଁ ସୁଯୋଗ ଦିଅନ୍ତୁ ବ‌ାଲେଶ୍ବରରେ ନିଶ୍ଚିତ ଶିଳ୍ପ ସ୍ଥାପନା ହେବ: ନବଜ୍ୟୋତି

ବାଲେଶ୍ବର: କଂଗ୍ରେସକୁ ବାଲେଶ୍ବର ଜିଲ୍ଲାରେ ୫ ବର୍ଷ ପାଇଁ ସେବା କରିବାର ସୁଯୋଗ ଦିଅନ୍ତୁ; ଜିଲ୍ଲାରେ ନିଶ୍ଚିତ ଶିଳ୍ପ ସ୍ଥାପନ ହେବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ବାଲେଶ୍ବରର ଲୋକସଭା କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ।  ବାଲେଶ୍ବର ବିଧାନସଭା ନିର୍ବାଚନମଣ୍ଡଳୀରେ ନିଜର ପ୍ରଚାରବେଳେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ମୋତେ ବିରୋଧୀ ଉଡ଼ା ଚଢ଼େଇ ବୋଲି ଆକ୍ଷେପ କରୁଛନ୍ତି। କିନ୍ତୁ ଉଡ଼ନ୍ତା ଚଢ଼େଇ ଥରେ ଭଲ ଜାଗା ଦେଖି ବସା ବାନ୍ଧିନେଲେ ଆଉ ସେ ଅନ୍ୟତ୍ର ଯାଏ ନାହିଁ। ବାଲେଶ୍ବରକୁ ମୋ’ ଠାରୁ ଆଉ ଏବେ କେହି ଛଡ଼େଇ ନେଇ ପାରିବେ ନାହିଁ। ତଥାକଥିତ ଏଠିକାର ଚଢ଼େଇ ନିଜ ଘରୁ ଚୋରି କରିବାରେ ବ୍ୟସ୍ତ ବୋଲି ଆକ୍ଷେପ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ତାଙ୍କ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ପଞ୍ଚୁପଡ଼ା ବ୍ରିଜ୍‌ଠାରୁ ନୁଣକୁଣ୍ଡୀ ପର୍ଯ୍ୟନ୍ତ ବାଇକ୍‌ ରାଲିରେ ଯାଇଥିଲେ। ଏହି ସମୟରେ ଲୋକଙ୍କ କଂଗ୍ରେସ ପ୍ରତି ଥିବା ସମର୍ଥନ ପ୍ରତିଫଳିତ ହୋଇଥିଲା। ପରେ ଶ୍ରୀ ପଟ୍ଟନାୟକ ଏକ ଜନସଭାରେ କହିଲେ, ୧୯ ବର୍ଷ ଶାସନ କାଳରେ ବହୁତ ଯୋଜନା କଥା କୁହାଯାଉଛି। କିନ୍ତୁ ଯୁବକମାନଙ୍କୁ ରୋଜଗାର ନାହିଁ। ଏହି ପ୍ରଶ୍ନର ଉତ୍ତର ସରକାର କିମ୍ବା ଏ ଜିଲ୍ଲାର ଜନ ପ୍ରତିନିଧିଙ୍କ ପାଖରେ ନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ ପର ଠାରୁ ଆଉ ନୂତନ ଶିଳ୍ପର ପ୍ରତିଷ୍ଠା ବାଲେଶ୍ୱରରେ ହୋଇନାହିଁ। ସୁଯୋଗ ମିଳିଲେ ଜିଲ୍ଲାର ଦୁଃଖଦୁର୍ଦଶା ଦୁର କରିବାରେ ସଫଳ ହେବି ବୋଲି ଦୃଢ଼ୋକ୍ତି ପ୍ରଦାନ କରିଛନ୍ତି।
ଏହି ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହୋଇ ବାଲେଶ୍ବର ବିଧାୟକ ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକ ବାଲେଶ୍ବରବାସୀଙ୍କ କଂଗ୍ରେସ ପ୍ରତି ଥିବା ବିଶ୍ୱାସ ଏବଂ ଭରସାକୁ ନିଶ୍ଚିତ ନ୍ୟାୟ ଦେବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବେ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଟିଭି କଳାକାର ସୁଜିତ ପାଇକରାୟ ଓ ଦେବୀକା ଅରୁନ୍ଧତୀ ସାମିଲହୋଇ ଶ୍ରୀ ପଟ୍ଟନାୟକଙ୍କୁ ବାଲେଶ୍ୱରର ସର୍ବାଙ୍ଗୀନ ବିକାଶ ପାଇଁ ଭୋଟ୍‌ ଦେବାକୁ ଭୋଟରମାନଙ୍କୁ ଅନୁରୋଧ କରିଥିଲେ।
ପରେ ଶ୍ରୀ ପଟ୍ଟନାୟକ ନୁଣକୁଣ୍ଡୀର ଚାଷୀମାନଙ୍କ ସହିତ ମିଶି ସେମାନଙ୍କର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଚାଷୀଙ୍କ ସମସ୍ୟା ଖୁବ୍‌ ଶୀଘ୍ର ଦୂର ହେବ। କାରଣ ଓଡ଼ିଶାର କୃଷକମାନଙ୍କୁ କଂଗ୍ରେସର ଗ୍ୟାରେଣ୍ଟି ଯୋଜନା ପାଇଁ ସର୍ବନିମ୍ନ ସହାୟତା ରାଶି ୨୬ ଶହ ଟଙ୍କା ହେବ ବୋଲି ଆଶ୍ବାସନା ଦେଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଆମ ଅନ୍ନଦାତାଙ୍କ ପାଇଁ ୨ ଲକ୍ଷ ପର୍ଯ୍ୟନ୍ତ କୃଷିଋଣ ଛାଡ କରାଯିବ, ୩ ବର୍ଷ ଯାଏଁ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା, ୬୦ ବର୍ଷରୁ ଅଧିକ ବୟସ୍କ ଚାଷୀଙ୍କୁ ମାସିକ ୧ ହଜାର ୫ ଶହ ଟଙ୍କା ପେନ୍‌ସନ୍‌, ଭାଗଚାଷୀଙ୍କୁ ମଧ୍ୟ ଜମି ମାଲିକଙ୍କ ଭଳି ସମାନ ସହାୟତା ମିଳିବ ବୋଲି ସେ କହିଥିଲେ।
କଷାଫଳ ପଞ୍ଚାୟତରେ ଲୋକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ଶ୍ରୀ ପଟ୍ଟନାୟକ। ବାଲେଶ୍ୱରରେ ବିକାଶର ଧାରାକୁ କିପରି ତ୍ବରାନ୍ବିତ କରିହେବ ସେ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ। କଂଗ୍ରେସ ପ୍ରତି ଲୋକଙ୍କ ଅଭୂତପୂର୍ବ ଉତ୍ସାହ ଓ ଶ୍ରଦ୍ଧା, ବାଲେଶ୍ୱର ଜିଲ୍ଲାର ଉନ୍ନତି ପାଇଁ କଠିନ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର