ସମ୍ବଲପୁର ଫ୍ଲାଇ ଓଭର୍‌:ପଣ୍ଡା ବିରୋଧରେ ଜିଲ୍ଲାପାଳଙ୍କଠାରେ ବେପାରି

ସମ୍ବଲପୁର: ସମ୍ବଲପୁରର ଫ୍ଲାଇଓଭର ନିର୍ମାଣ କରୁଥିବା ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ୍‌ର ମନ୍ଥର ଓ ନିମ୍ନମାନର କାର୍ଯ୍ୟ ବିରୋଧରେ ଜିଲ୍ଲାପାଳଙ୍କଠାରେ ଗୋଲବଜାରର ଦୋକାନୀମାନେ ଫେରାଦ ହୋଇଛନ୍ତି। ଗତ ଦେଢ଼ ବର୍ଷ ହେଲା ମନ୍ଥର ଗତିରେ କାମ ଚାଲିଛି। ଆପ୍ରୋଚ ରୋଡ୍‌ ନଥିବାରୁ ଲୋକକମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯାହା ବି ଆପ୍ରୋଚ ରୋଡ୍‌ ରହିଛି, ତାହା ଅତ୍ୟନ୍ତ ନିମ୍ନମାନର। ଶିଘ୍ର ଆବଶ୍ୟକ ପଦକ୍ଷେପ ନେବାକୁ ସତ୍ୟେନ୍ଦ୍ର ଦାଶ, ଅଜୟ ଡାଳଓ୍ଵାନି, ମହମ୍ମଦ ତୁରିଦ, ଉମାକାନ୍ତ ବକୁଲ, ଜାଭେଦ ଅଂସାରି ପ୍ରମୁଖ ଜିଲ୍ଲାପାଳଙ୍କଠାରେ ଦାବି କରିଛନ୍ତି।
ଉଲ୍ଳେଖଯୋଗ୍ୟ ଯେ, ସମ୍ବଲପୁର ସହରର ହୃଦୟସ୍ଥଳରେ ଏକ ଫ୍ଲଇଓଭର୍‌ ନିର୍ମାଣ ପାଇଁ କାମ ଆରମ୍ଭ ହେବାକୁ ଯାଉଥିଲା ବେଳେ ଲୋକଙ୍କ ମଧ୍ୟରେ ଆଶଂକା ପ୍ରକାଶ ପାଇଥିଲା। ସମ୍ବଲପୁର ଧୁତୁରାପଡ଼ା ଛକରୁ ପୁରୁଣା ଡିଆଇଜି ଅଫିସ ପର୍ଯ୍ୟନ୍ତ ତିଆରି ହେଉଥିବା ଫ୍ଲାଇଓଭର୍‌ଟି ଆରମ୍ଭରେ ୧୭୪୦ ମିଟର୍‌ ଲମ୍ବ ବିଶିଷ୍ଟ ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଏହା ବୃଦ୍ଧି ପାଇଁ ୧୮୮୧.୨ ମିଟରକୁ ବୃଦ୍ଧି ପାଇଛି। ୩୧.୨ ମିଟିର ବିଶିଷ୍ଟ ୫୧ଟି ସ୍ପାନ ରହିଛି। ଏହା ବ୍ୟତୀତ ଜିଏମ୍‌ କଲେଜ ପଟକୁ ୧୨୦ ମିଟର ଏବଂ କଚେରି ଛକ ପଟକୁ ୧୭୦ ମିଟର ବୃଦ୍ଧି ହେଉଛି। ଆରମ୍ଭରେ ଏହି ପ୍ରକଳ୍ପ ପାଇଁ ୬୨ କୋଟି ଟଙ୍କା ମଂଜୁର ହୋଇଥିଲା। ମାତ୍ର ଏବେ ବ୍ରିଜ୍‌ର ଉଚ୍ଚତା ଓ ଦୈର୍ଘ୍ୟ ବୃଦ୍ଧି ପାଇବା ପରେ ପ୍ରକଳ୍ପ ଖର୍ଚ ୯୦ କୋଟି ଟଙ୍କା ବୃଦ୍ଧି କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରସ୍ତାବ ପଠାଯାଇଛି। କାର୍ଯ୍ୟାଦେଶ ଦିଆଯିବା ବେଳେ ୧୫ ମାସ ମଧ୍ୟରେ ନିର୍ମାଣ କାମ ସାରିବାକୁ କୁହାଯାଇଥିଲା। ଏହି ଚୁକ୍ତିରେ ୧୭ ମେ ୨୦୧୭ ସୁଦ୍ଧା କାମ ଶେଷ କରିବାକୁ ନିର୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ଏହି ଅବଧି ସରିବାକୁ ୬ ମାସ ଅତିକ୍ରାନ୍ତ ହୋଇଗଲାଣି। ବର୍ତମାନ ଫ୍ଲାଇଓଭର୍‌ର ନିର୍ମାଣ କାମ ଅଧା ଶେଷ ହୋଇଛି। ମନ୍ଥର ଗତିରେ କାମ ଯୋଗୁଁ ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଧୂଳି ଉଡୁଥିଲେହେଁ ପାଣି ସିଂଚନ କରାଯାଉ ନାହିଁ। ଲୋକେ ବାରଂବାର ଅଭିଯୋଗ କରିବା ପରେ ବି ପ୍ରଶାସନ ମୁକଦର୍ଶକ ସାଜିଛି।

ସମ୍ବନ୍ଧିତ ଖବର