‘ନିର୍ଭୟା ପାଣ୍ଠି’ ବନାମ ପୀଡ଼ିତା

0

ଏମିତି କୌଣସି ମୁହୂର୍ତ୍ତ ନାହିଁ, ଯେତେବେଳେ ଦେଶର କେଉଁଠି ନା କେଉଁଠି ଜଣେ ମହିଳା କିମ୍ବା ବାଳିକା ଅପରାଧର ଶିକାର ହେଉ ନାହାନ୍ତି। ପ୍ରତ୍ୟେକ ମୁହୂର୍ତ୍ତରେ ଏ ଦେଶର ମହିଳାଙ୍କ ସମ୍ମାନ ଓ ସୁରକ୍ଷା ବିପନ୍ନ। ଅଥଚ, ଏମିତି ଗୋଟିଏ ଦିନ ନାହିଁ ଦେଶର କୌଣସି ବଡ଼ ନେତା କିମ୍ବା ବିଶିଷ୍ଟ ବ୍ୟକ୍ତି ମହିଳାଙ୍କ ସୁରକ୍ଷା ଓ ନାରୀ ସଶକ୍ତୀକରଣର ଆବଶ୍ୟକତା ଓ ଅପରିହାର୍ଯ୍ୟତା ବିଷୟରେ ଲମ୍ବା ପ୍ରବଚନ ଶୁଣାଉ ନାହାନ୍ତି। ଏହା ନାରୀଙ୍କ ସୁରକ୍ଷା ଓ ସମ୍ମାନ ପ୍ରସଙ୍ଗରେ ଆମର ସାମୂହିକ ଛଳନା ଓ ଶଠତାର ଦୁଃଖଦ ବୟାନ। ମୁହଁରେ ଯେତେ ବଡ଼ ବଡ଼ କଥା କହିଲେ ବି, ତା ପଛରେ ଯଦି ନିଷ୍ଠା ଓ ଆନ୍ତରିକତା ନ ଥାଏ, କଥା କଦାପି କାମରେ ପ୍ରତିଫଳିତ ହୁଏ ନାହିଁ। ମହିଳା ସୁରକ୍ଷା ଓ ନାରୀ ସଶକ୍ତୀକରଣ କ୍ଷେତ୍ରରେ ଠିକ୍‌ ଏହାହିଁ ଘଟୁଛି; କେବଳ ଏହା ଏକ ଫମ୍ପା ରାଜନୈତିକ ସ୍ଲୋଗାନ ହୋଇ ରହିଯାଇଛି। ସରକାରୀ ସ୍ତରରେ ନାରୀ ସୁରକ୍ଷା ପ୍ରସଙ୍ଗରେ ଛଳନା ଓ ଶଠତାର ଏକ କଳା ଇସ୍ତାହାର ହେଲା ମହିଳାଙ୍କ ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ‘ନିର୍ଭୟା ପାଣ୍ଠି’ର ବିନିଯୋଗ ସଂକ୍ରାନ୍ତ ହିସାବ ଫର୍ଦ।

୨୦୧୨ ଡିସେମ୍ବରରେ ରାଜଧାନୀ ଦିଲ୍ଲୀରେ ଘଟିଥିବା ଲୋମହର୍ଷଣକାରୀ ନିର୍ଭୟା ଘଟଣା ଦେଶବାସୀଙ୍କ ସାମୂହିକ ବିବେକକୁ ଦୋହଲାଇ ଦେଇଥିଲା। ମହିଳାଙ୍କ ସୁରକ୍ଷା ଦାବିରେ ସାରା ଦେଶର ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଜନ ଆକ୍ରୋଶର ତାତିରେ ସଂସଦରେ ମହିଳାଙ୍କ ସୁରକ୍ଷା ପାଇଁ, ବିଶେଷ କରି ଯୌନ ଅପରାଧ ବିରୋଧରେ ଆଇନକୁ କଠୋର କରାଗଲା। ତା ସହିତ ଯୌନ ଅପରାଧର ଶିକାର ପୀଡ଼ିତାଙ୍କ ସହାୟତା ତଥା କଲ୍ୟାଣ ଓ ସୁରକ୍ଷା ବ୍ୟବସ୍ଥାକୁ ଦୋରସ୍ତ କରିବା ଉଦ୍ଦେଶ୍ୟରେ ଏକ ଉତ୍ସର୍ଗୀକୃତ ପାଣ୍ଠି ଗଠନ କରାଗଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଲା, ବିଗତ ପାଞ୍ଚବର୍ଷରେ ଏହି ସ୍ୱତନ୍ତ୍ର ‘ନିର୍ଭୟା ପାଣ୍ଠି’ ରେ ୩,୧୦୦ କୋଟି ଟଙ୍କା ଜମା ହୋଇ ସାରିଥିଲେ ସୁଦ୍ଧା ସେଥିରୁ ୩୦ ପ୍ରତିଶତ ଅର୍ଥ ମଧ୍ୟ ଖର୍ଚ୍ଚ ହୋଇ ପାରି ନାହିଁ। ୨୦୧୭-୧୮ ବର୍ଷ ବେଳକୁ ଏଥିରେ ଜମା ୨,୭୧୧ କୋଟି ଟଙ୍କାରୁ ମାତ୍ର ୧୨୫ କୋଟି ଟଙ୍କା ଖର୍ଚ୍ଚ ହୋଇ ପାରିଛି। ଚଳିତ ୨୦୧୮-୧୯ ବଜେଟରେ ‘ନିର୍ଭୟା ପାଣ୍ଠି’ ପାଇଁ ୫୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହା ଆମ ଦେଶରେ ଯୋଜନାର ଏକ ବିଡ଼ମ୍ବିତ ଚରିତ୍ର। ଅନେକ ଯୋଜନା ପାଣ୍ଠି ଅଭାବରୁ କାର୍ଯ୍ୟକାରୀ ହୋଇ ପାରୁନାହିଁ। ଅଥଚ ଆଉ କେତେକ କ୍ଷେତ୍ରରେ ପର୍ଯ୍ୟାପ୍ତ ପାଣ୍ଠି ଥିଲେ ମଧ୍ୟ ଧାର୍ଯ୍ୟ ଉଦ୍ଦେଶ୍ୟରେ ତାର ବିନିଯୋଗ କରାଯାଇପାରୁନାହିଁ।

‘ନିର୍ଭୟା ପାଣ୍ଠି’ର ମାତ୍ର ୩୦ ପ୍ରତିଶତ ବିନିଯୋଗ ହୋଇ ଅବଶିଷ୍ଟ ୭୦ ପ୍ରତିଶତ ଅର୍ଥ ପଡ଼ି ରହିବା ସରକାରୀ କଳର ଅନେକ ବିଲକ୍ଷଣ ପ୍ରତି ଇଙ୍ଗିତ କରୁଛି। ପ୍ରଥମତଃ, ମହିଳା ସୁରକ୍ଷା ପ୍ରସଙ୍ଗରେ ଅନୁସନ୍ଧାନ ଲାଗି ନିୟୋଜିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ ଲାଗି ୩୨୪ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ସୁଦ୍ଧା ତା’ର ଏ ଯାବତ୍‌ ବିନିଯୋଗ ହୋଇପାରିନାହିଁ। କମ୍‌ ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ତରବରିଆ ଭାବେ ଅର୍ଥ ଖର୍ଚ୍ଚ ହେଉଛି, ଅଥଚ ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ଟଙ୍କା ଖର୍ଚ୍ଚ ହେଉ ନାହିଁ, ପଡ଼ି ରହୁଛି। ମଧ୍ୟପ୍ରଦେଶ ସରକାର ଦୁଷ୍କର୍ମ ପୀଡ଼ିତାମାନଙ୍କୁ ଜଣ ପିଛା ହାରାହାରି ମାତ୍ର ୬,୫୦୦ ଟଙ୍କା କ୍ଷତିପୂରଣ ଭାବେ ପ୍ରଦାନ କରିଥିବା ନେଇ ମାନ୍ୟବର ସର୍ବୋଚ୍ଚ ଅଦାଲତ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ କ୍ଷେତ୍ରରେ ‘ନିର୍ଭୟା ପାଣ୍ଠି’ର ଉପଯୋଗ କ’ଣ ଉଚିତ ହୁଅନ୍ତା ନାହିଁ?

ଏହା କ’ଣ ସୂଚାଉଛି? ନାରୀ ସୁରକ୍ଷା ପ୍ରସଙ୍ଗ ଯେଉଁ ଗୁରୁତ୍ୱର ଅପେକ୍ଷା ରଖୁଛି ସରକାରୀ କଳ ସେ ନେଇ ସଚେତନ ନୁହନ୍ତି। ବରଂ ଚରମ ଭାବେ ଉଦାସୀନ। କିନ୍ତୁ ଏହି ଉଦାସୀନତା ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ଭାରତ ପାଇଁ ବେଶ୍‌ ମହଙ୍ଗା ପଡୁଛି। ଆଜି ଆମ ଦେଶର ଶ୍ରମଶକ୍ତିରେ ମହିଳାଙ୍କ ଯୋଗଦାନ ଆଶାଜନକ ନୁହେଁ। ୨୦୦୫-୦୬ରେ ଶ୍ରମଶକ୍ତିରେ ମହିଳାଙ୍କ ଭାଗୀଦାରି ୩୬ ପ୍ରତିଶତ ଥିଲା। ଗୋଟିଏ ଦଶକ ପରେ ଏହା ବଢ଼ିବ କ’ଣ କମି ୨୪ ପ୍ରତିଶତରେ ପହଞ୍ଚିଛି। ଏହାର ଅନେକ କାରଣ ମଧ୍ୟରେ ସୁରକ୍ଷା ନେଇ ମହିଳାଙ୍କ ଚିନ୍ତା ହେଉଛି ଅନ୍ୟତମ। ଭାରତୀୟ ସମାଜରେ ଥିବା ଲିଙ୍ଗଗତ ବୈଷମ୍ୟର ସବୁଠାରୁ ଭୟଙ୍କର ପ୍ରତିଫଳନ ହେଲା ମହିଳାଙ୍କ ବିରୋଧରେ କ୍ରମବର୍ଦ୍ଧିଷ୍ଣୁ ଅପରାଧ, ବିଶେଷକରି ଯୌନ ଅପରାଧ। କଠୋର ଆଇନ ଓ ନିୟମ ସତ୍ତ୍ୱେ କର୍ମକ୍ଷେତ୍ରରେ ମହିଳାଙ୍କ ପାଇଁ ଶତପ୍ରତିଶତ ସୁରକ୍ଷା ଓ ସମାନତାର ପରିବେଶ ନିଶ୍ଚିତ କରାଯାଇ ପାରୁନାହିଁ। ଯେଉଁ କର୍ମକ୍ଷେତ୍ରରେ ମହିଳାମାନଙ୍କ ସୁରକ୍ଷା ନେଇ ପରିବେଶ ଅଧିକ ଉନ୍ନତ, ସେଇଠି ମହିଳାଙ୍କ ଭାଗୀଦାରି ମଧ୍ୟ ଅଧିକ। ଏଣୁ ଶ୍ରମ ଶକ୍ତିରେ ମହିଳାଙ୍କ ସଂଖ୍ୟା ହ୍ରାସ ମହିଳାଙ୍କ ସୁରକ୍ଷା ନେଇ ସରକାରୀ କଳର ସମ୍ବେଦନଶୂନ୍ୟତା ତଥା ଉଦାସୀନତା ପ୍ରତି ଏକ ଇଙ୍ଗିତ। ଏବଂ ଏହି ସମ୍ବେଦନଶୂନ୍ୟତାର ଆଉ ଏକ ସିଧା ପରିଣାମ ହେଉଛି ‘ନିର୍ଭୟା ପାଣ୍ଠି’ର ଅନୁପଯୋଗ।

ଯଦି ଶାସନ କଳ ନାରୀ ସୁରକ୍ଷା ପ୍ରସଙ୍ଗରେ ସମ୍ବେଦନଶୀଳ ହୋଇଥାନ୍ତେ, ତେବେ ନିଶ୍ଚିତ ଭାବେ କିଛି ନା କିଛି ଯୋଜନାର ପରିକଳ୍ପନା କରି ତା’ର ରୂପାୟନରେ ପାଣ୍ଠି ବିନିଯୋଗ କରିଥାନ୍ତେ। ଗତ ପାଞ୍ଚବର୍ଷରେ କେବଳ ମାତ୍ର ୨୧ଟି ଯୋଜନା ଚୂଡ଼ାନ୍ତ କରାଯାଇଛି ଏବଂ ସେଥିରୁ ୧୭ଟି କାର୍ଯ୍ୟକାରିତାର ପର୍ଯ୍ୟାୟରେ ରହିଛି। ଆହୁରି ଦୁର୍ଭାଗ୍ୟର ବିଷୟ ହେଲା ଯେଉଁ ସବୁ ଯୋଜନା ହାତକୁ ନିଆଯାଉଛି, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନାହିଁ। ଫଳରେ ସେଥିରୁ ଈପ୍‌ସିତ ସୁଫଳ ମିଳୁନାହିଁ। ଉଦାହରଣ ସ୍ୱରୂପ ଯୌନ ଅପରାଧ ପୀଡ଼ିତାଙ୍କ ଲାଗି ଗୋଟିଏ ସ୍ଥାନରେ ଚିକିତ୍ସା ସୁବିଧା ଠାରୁ ଆରମ୍ଭ କରି ଆର୍ଥିକ ସହାୟତା, ଥଇଥାନ ପର୍ଯ୍ୟନ୍ତ ସବୁ ପ୍ରକାର ସାହାଯ୍ୟ ଓ ସେବା ଯୋଗାଇ ଦେବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ‘ନିର୍ଭୟା କେନ୍ଦ୍ର’ ଖୋଲାଯିବା ପ୍ରସ୍ତାବର କାର୍ଯ୍ୟକାରିତା ଅଧାପନ୍ତରିଆ।

ପୁଣି ତରବରିଆ ଭାବେ ପାଣ୍ଠି ବିନିଯୋଗର ବ୍ୟଗ୍ରତା ମଧ୍ୟରେ ଅନେକ କ୍ଷେତ୍ରରେ ଅନାବଶ୍ୟକ ଖର୍ଚ୍ଚ କରାଯାଉଛି। ଯେମିତି, ରେଳଡବାରେ ସିସିଟିଭିର ବ୍ୟବସ୍ଥା। ମହିଳା ଯାତ୍ରୀଙ୍କ ପାଇଁ ସିସିଟିଭିର ବ୍ୟବସ୍ଥା ଲାଗି ରେଳବାଇ ପାଖରେ ପାଣ୍ଠିର ଅଭାବ ନାହିଁ। ଅଥଚ, ‘ନିର୍ଭୟା ପାଣ୍ଠି’ରୁ ଅର୍ଥ ମଞ୍ଜୁର କରାଯାଉଛି। ଅନ୍ୟପକ୍ଷରେ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ କୁହାଯାଇଛି ଯେ ପୁରୁଷଙ୍କ ସହ ସମାନ ହୋଇ ଯଦି ମହିଳାମାନେ କର୍ମକ୍ଷେତ୍ରକୁ ଆସନ୍ତି ତେବେ, ଦେଶର ଜିଡିପିରେ ୧୬ରୁ ୬୦ ପ୍ରତିଶତ ଅଭିବୃଦ୍ଧି ହୋଇ ପାରିବ।

ଶ୍ରମଶକ୍ତିରେ ମହିଳାଙ୍କ ଭାଗୀଦାରି ସେତେବେଳେ ବଢ଼ି ପାରିବ, ଯେତେବେଳେ କର୍ମକ୍ଷେତ୍ରରେ, ରାସ୍ତାରେ, ରେଳ ଓ ସଡ଼କରେ, ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ଲାଗି ସୁରକ୍ଷାର ବାତାବରଣକୁ ନିଶ୍ଚିତ କରାଯାଇ ପାରିବ। ତେଣୁ ‘ନିର୍ଭୟା ପାଣ୍ଠି’ର ପୂର୍ଣ୍ଣ ମାତ୍ରାରେ ସୁବିନିଯୋଗରୁ ହିଁ ସଂକେତ ମିଳିବ ଯେ, ଏ ଦିଗରେ ସରକାରୀ କଳ ନିଜ କର୍ତ୍ତବ୍ୟ ପ୍ରତି ସଚେତନ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.