‘ଫନି’ ପରୀକ୍ଷା

0

ମାତ୍ର ସାତ ମାସର ବ୍ୟବଧାନ ପରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ଧୈର୍ଯ୍ୟ ଓ ସାହସର ପରୀକ୍ଷା ନେବା ପାଇଁ ଆଉ ଏକ ‘ଅତି ଭୟଙ୍କର’ ସାମୁଦ୍ରିକ ଝଡ଼ ମାଡ଼ି ଆସୁଛି। ୨୦୧୮ ଅକ୍ଟୋବରରେ ଅତ୍ୟନ୍ତ ନିରୀହ କମନୀୟ ନାମ ନେଇ ଆସିଥିବା ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ଉପକୂଳ ଅତିକ୍ରମ କଲାବେଳେ ରାଜ୍ୟର ଦକ୍ଷିଣରେ ଧ୍ବ˚ସର ତାଣ୍ତବ ରଚିଥିଲା। ଏବେ ‘ତିତ୍‌ଲି’ଠାରୁ ଅଧିକ ବିକଟାଳ ରୂପ ନେବାର ଆଶଙ୍କା ସୃଷ୍ଟି କରି ସାମୁଦ୍ରିକ ଘୂର୍ଣ୍ଣି ବାତ୍ୟା ‘ଫନି’ ଓଡ଼ିଶା ଉପକୂଳର ଦ୍ବାର ଦେଶରେ। ୧୮୯୧ରୁ ୨୦୧୯ ମଧୢରେ ବିପର୍ଯ୍ୟୟ ପ୍ରବଣ ଓଡ଼ିଶା ପାଇଁ ବିପଦ ନେଇ ଆସୁଥିବା ‘ଫନି’ ହେଉଛି ବାତ୍ୟା ନମ୍ବର ୧୦୨। ୧୯୯୯ ମହାବାତ୍ୟା ପରେ ୨୦୧୩, ଅକ୍ଟୋବର ୧୨-୧୪ର ‘ଫାଇଲିନ୍‌’ ସହ ଆରମ୍ଭ ହୋଇଥିବା ପ୍ରଳୟଙ୍କରୀ ବାତ୍ୟାର କ୍ରମରେ ଏହା ଚତୁର୍ଥ। ତେବେ ଉଲ୍ଲେଖନୀୟ ହେଲା, ଫାଇଲିନ୍‌- ୨୦୧୩, ହୁଡ୍‌ହୁଡ୍‌-୨୦୧୪ ଏବ˚ ତିତ୍‌ଲି-୧୦୧୮ ଅକ୍ଟୋବର ମାସରେ ଓଡ଼ିଶା ଉପକୂଳରେ ମାଡ଼ କରିଥିବା ବେଳେ ମେ’ ମାସରେ ଓଡ଼ିଶା ଉପକୂଳକୁ ମୁହାଁଇଥିବା ‘ଫନି’ ହେଉଛି ତିନି ଦଶକ ପରେ ମେ’ ମାସରେ ପ୍ରଥମ ବାତ୍ୟା। ପାଣିପାଗ ପରିବର୍ତ୍ତନ ଓ ବିଶ୍ବ ତାପନ ବୃଦ୍ଧି ସହ ଏହାର ସମ୍ପର୍କକୁ ଏଡ଼ାଯାଇ ନପାରେ। ଗୁରୁତ୍ବପୂର୍ଣ୍ଣ ହେଲା, ସାଧାରଣ ଭାବେ ସମୁଦ୍ର ଜଳ ଅଧିକ ଉତ୍ତପ୍ତ ହୋଇ ଚାଲିଛି, ଏବ˚ ସ˚ପ୍ରତି ଗ୍ରୀଷ୍ମରେ ସମୁଦ୍ର ଜଳର ଉତ୍ତାପ ଆହୁରି ବୃଦ୍ଧି ଯୋଗୁଁ ‘ଫନି’ ବଳ ଗୋଟାଇ ଅଧିକ ଭୟଙ୍କର ରୂପ ନେଉଛି। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁଯାୟୀ ‘ଫନି’ ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ଉଠି ଉପକୂଳ ଅଞ୍ଚଳକୁ ମାଡ଼ି ଆସିପାରେ। ଏପରିକି ଦ୍ବିତଳ କୋଠା ମଧୢ ସୁରକ୍ଷିତ ନୁହେଁ। ପବନର ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟରକୁ ଟପିଯାଇପାରେ।

ମନରେ ଭୀତି ସ˚ଚାର କରୁଥିବା ଏ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମାତ୍ର ଦୁଇଟି ମନ୍ତ୍ର। ଅଯଥା ଆତଙ୍କିତ ନ ହୋଇ ଆଗୁଆ ସତର୍କତା ଏବ˚ ଦୋରସ୍ତ ପ୍ରସ୍ତୁତିକୁ ଅସ୍ତ୍ର କରି ଏହାର ମୁକାବିଲା। ପ୍ରକୃତିର ରୋଷକୁ ଏଡ଼ାଇବା ହୁଏତ ମଣିଷର ସାଧୢର ବାହାରେ। କିନ୍ତୁ, ପ୍ରକୃତିର କୋପର ଯଥାସମ୍ଭବ ପ୍ରଶମନ ଓ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିକୁ ଯଥାସମ୍ଭବ କମ୍‌ ରଖିବା ଲାଗି ଯଥେଷ୍ଟ ସତର୍କତା ଏବ˚ ପ୍ରାକ୍‌-ପ୍ରସ୍ତୁତି ନିଶ୍ଚୟ ମଣିଷର ସାଧୢ ଭିତରେ। ଅନେଶତର ପ୍ରଳୟଙ୍କରୀ ବାତ୍ୟାର ଭୟଙ୍କର ପରିଣାମରୁ ଓଡ଼ିଶାବାସୀ ନିଶ୍ଚୟ ଯଥେଷ୍ଟ ଶିକ୍ଷାଲାଭ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ଓଡ଼ିଶାର କ୍ଷମତା ଓ ଦକ୍ଷତା ଉଲ୍ଲେଖନୀୟ ଭାବେ ବଢ଼ିଛି। ୨୦୧୩ରେ ଫାଇଲିନ୍‌ ଓ ୨୦୧୪ରେ ‘ହୁଡ୍‌ହୁଡ୍‌’ର ମୁକାବିଲାରେ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଓଡ଼ିଶାର ଦକ୍ଷତା ଓ କ୍ଷମତା ବୃଦ୍ଧି ପ୍ରମାଣିତ ହୋଇଛି; ଯାହା ଆନ୍ତର୍ଜାତିିକ ସ୍ତରରେ ମଧୢ ସ୍ବୀକୃତି ଲାଭ କରିଛିି। ତେବେ ଫାଇଲିନ୍‌ ଓ ହୁଡ୍‌ହୁଡ୍‌ର ମୁକାବିଲାରେ ଯେଭଳି ସଫଳତା ମିଳିଥିଲା, ଗତ ବର୍ଷର ‘ତିତ୍‌ଲି’ର ମୁକାବିଲା ବେଳେ ସେହି ସଫଳତାର ପୁନରାବୃତ୍ତି ହୋଇ ପାରିଲା ନାହିଁ। ପ୍ରଥମେ ଗୋଟିଏ ଧାରଣା ହେଉଥିଲା ଯେ, ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ପ୍ରାୟ ହାସଲ ହୋଇଛି। କିନ୍ତୁ ବର୍ଷା ଓ ପବନର ପ୍ରକୋପ କମିବା ପରେ କ୍ରମଶଃ ଧନଜୀବନ ହାନିର ଅଧିକ ବିବରଣୀ ସାମ୍‌ନାକୁ ଆସିଲା। ୭୭ ଜଣଙ୍କ ପ୍ରାଣହାନି, ବହୁ ସ˚ଖ୍ୟକ ବାସଗୃହ ଓ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେଲା। ଅବଶ୍ୟ, ‘ତିତ୍‌ଲି’ ବେଳେ ବାତ୍ୟା ବିପର୍ଯ୍ୟୟର ଏକ ପୂର୍ବରୁ ଅଜଣା ଦିଗର ସୂଚନା ମିଳିଥିଲା। ବର୍ଷା ଓ ପବନ ବ୍ୟତୀତ ବାତ୍ୟାର ପ୍ରଭାବରେ ଯେ, ଭୂ-ସ୍ଖଳନ ଯୋଗୁ ବିପର୍ଯ୍ୟୟ ଘଟିପାରେ, ଏହା ତିତ୍‌ଲି ବେଳେ ଜଣାପଡ଼ିଲା। ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍‌ର ଗଙ୍ଗାବାଡ଼ ପଞ୍ଚାୟତରେ ଏକ ପାହାଡ଼ ଧସି ପଡ଼ିବା ଫଳରେ ୫୦ରୁ ଅଧିକ ଜୀବନହାନି ଘଟିଥିଲା। ବାରଘର ଗାଁର ଲୋକେ ବାତ୍ୟାରୁ ସୁରକ୍ଷା ପାଇଁ ପାହାଡ଼ର ଗୋଟିଏ ଗୁମ୍ଫା ଭିତରେ ଆଶ୍ରୟ ନେଇଥିବା ବେଳେ ଅଚାନକ ପାହାଡ଼ ଧସି ପଡ଼ିଥିଲା। ବାରଘର ଗ୍ରାମବାସୀ ବାତ୍ୟାରୁ ରକ୍ଷା ପାଇବା ପାଇଁ ପାହାଡ଼ ଗୁମ୍ଫାକୁ ନ ଯାଇ ଯଦି ସରକାରଙ୍କ ବାତ୍ୟା ଆଶ୍ରୟ ସ୍ଥଳୀକୁ ଯାଇଥାନ୍ତେ, ତେବେ ହୁଏତ ଅନେକ ମୂଲ୍ୟବାନ ଜୀବନ ହାନିକୁ ଏଡ଼ାଯାଇ ପାରିଥାନ୍ତା। ତିତ୍‌ଲିର ଏହି ତିକ୍ତ ଅଭିଜ୍ଞତାରୁ ଶିକ୍ଷା ଲାଭ କରି ଏଥର ମଧୢ ବାତ୍ୟାର ଭୂସ୍ଖଳନ ସମେତ ଅନ୍ୟାନ୍ୟ ଅପ୍ରତ୍ୟାଶିତ ପରିଣାମ ପ୍ରତି ଯଥେଷ୍ଟ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ। ତିତ୍‌ଲିରୁ ଶିକ୍ଷା ଯେ, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସତର୍କତା ଓ ପ୍ରସ୍ତୁତି ନେଇ ଜନସଚେତନତାର ଅଭାବ ତଥାପି ରହିଛି; ଯାହାର କୁପରିମାଣ ଅଯଥା ଜୀବନ ହାନି। ଏବେ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ଅନେକ ଲୋକ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର ହେବା ଲାଗି କୁଣ୍ଠିତ। ‘ଫନି’ ଦ୍ବାରା ସମ୍ଭାବ୍ୟ ପ୍ରଭାବିତ ଅଞ୍ଚରେ ସରକାରୀ କଳ ପକ୍ଷରୁ ଲୋକଙ୍କର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଆମର ବିନମ୍ର ନିବଦେନ ଯେ, ଆଗୁଆ ସତର୍କତା ସ୍ବରୂପ ସ୍ଥାନାନ୍ତରଣ କାର୍ଯ୍ୟରେ ସାଧାରଣ ଜନତା ପ୍ରଶାସନ ସହ ସହଯୋଗ କରନ୍ତୁ। ଏହା ବିପର୍ଯ୍ୟୟଜନିତ ଜୀବନହାନିକୁ ଏଡ଼ାଇବାରେ ସହାୟକ ହେବ।

‘ଫନି’ର ମୁକାବିଲା ପାଇଁ ସରକାରୀ କଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଘୋଷଣା କରାଯାଇଛି। କିନ୍ତୁ ଏ ପ୍ରସ୍ତୁତି କେବଳ କାଗଜପତ୍ର କିମ୍ବା ଘୋଷଣାରେ ସୀମିତ ନରହୁ। ସବୁ ପ୍ରସ୍ତୁତି ମୂଲ୍ୟହୀନ, ଯଦି କ୍ଷେତ୍ର ସ୍ତରରେ ଏହାର ପ୍ରତିଫଳନ ଦେଖିବାକୁ ନ ମିଳେ। ଉଦ୍ଧାର ଓ ରିଲିଫ କାର୍ଯ୍ୟର ସୁଚାରୁ ପରିଚାଳନା ଯେତିକି ଗୁରୁତ୍ବପୂର୍ଣ୍ଣ, ବାତ୍ୟା ପରେ ବିଜୁଳି, ପାଣି ଯୋଗାଣ ଗମନାଗମନ ଓ ଯୋଗାଯୋଗ କ୍ଷେତ୍ରରେ ସ୍ବାଭାବିକତା ଫେରାଇ ଆଣିବା ଲାଗି ପୁନଃ ନିର୍ମାଣ କାର୍ଯ୍ୟର କ୍ଷିପ୍ରତା ଓ ଦକ୍ଷତା ମଧୢ ସେତିକି ଗୁରୁତ୍ବପୂର୍ଣ୍ଣ। ନିଃସନ୍ଦେହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ହାସଲ କରିଥିବା ଆନ୍ତର୍ଜାତିକ ସ୍ବୀକୃତି ପାଇଁ ‘ଫନି’ ଏକ ଅଗ୍ନିପରୀକ୍ଷା। ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି, ପ୍ରଶାସନିକ ନିଷ୍ଠା ଓ ଆନ୍ତରିକତା ଏବ˚ ରାଜ୍ୟବାସୀଙ୍କ ସହଯୋଗର ସାମୂହିକ ସ˚କଳ୍ପ ବଳରେ ଓଡ଼ିଶା ଅଗ୍ନିପରୀକ୍ଷାରେ ନିଶ୍ଚୟ ସଫଳତାର ସହ ଉତ୍ତୀର୍ଣ୍ଣ ହେବ। ଜଗନ୍ନାଥଙ୍କ କରୁଣାରୁ ପ୍ରକୃତିର ପ୍ରକୋପର ମାତ୍ରା ଯେତେ କମ୍‌ ରହିବ, ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସେତେ କମ୍‌ କଷ୍ଟସାଧୢ ହେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.