୧୯୮୪ ଡିସେମ୍ବର ୩ ତାରିଖର ଶୀତ ରାତି । ମାତ୍ର ୧୩ ବର୍ଷର ବାଳକ ରାମସ୍ୱରୂପ ଓ ତାଙ୍କ ମାତ୍ର ବର୍ଷକର ସାନ ଭାଇ ମୁକେଶ ଖାଇପିଇ ଶୋଇବାକୁ ଗଲେ । ରାତିରେ ହଠାତ୍ ଏକ ଅଜବ ଗନ୍ଧ ବାରିପାରିଲେ ଓ କିଛି ସମୟପରେ ତାଙ୍କ ପରିବାର ଓ ଆଖପାଖ ଲୋକଙ୍କ ଆକୁଳ ଚିତ୍କାର ଶୁଣାଗଲା । ଏବଂ ତା ପରେ ଆଉ କିଛି ମନେ ନାହିଁ । କିଛିଦିନ ପରେ ଦୁଇଭାଇ ନିଜକୁ ଡାକ୍ତରଖାନାରେ ପାଇଲେ । ପରିବାରର ପ୍ରାୟ ସମସ୍ତେ ଆଖିବୁଜି ଦେଇଥିଲେ । ଦୁଇ ଭାଇ ଆଜି ପର୍ଯ୍ୟନ୍ତ ଆଉ ପରିବାର ଗଢି ପାରିନାହାନ୍ତି । ତିନି ଦଶନ୍ଧି ବିିତିଯାଇଛି ତଥାପି କ୍ଷତ ତାଜା ଅଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଭୋପାଳରେ ଥିବା ୟୁନିୟନ କାର୍ବାଇଡ୍ ଓଲ୍ଡ ସିଟିରେ ରହୁଥିବା ଏପରି ଅନେକ ପରିବାର ଅଛନ୍ତି ଯେଉଁମାନଙ୍କ ବିବାହ ହୋଇପାରୁ ନାହିଁ, କେହି ସେମାନଙ୍କ ପରିବାରର ପୁଅ ଝିଅଙ୍କୁ ବାହା ହେଉନାହାନ୍ତି, ଅନେକ ମା ହୋଇପାରୁ ନାହାନ୍ତି କାରଣ ସେମାନେ କିମ୍ବା ତାଙ୍କର ପରିବାର ସେହି କଳା ରାତିରେ ମାନବ ଇତିହାସର ଏକ ଭୟଙ୍କର ଶିଳ୍ପ ଦୂର୍ଘଟଣାକୁ ସହିଥିଲେ ।
ସ୍ୱାଧୀନ ଭାରତ ଇତିହାସରେ ଏହା ଏକ କଳାଦିନ ଭାବେ ରହିଆସିଛି । ସରକାରୀ ହିସାବ ଅନୁସାରେ ଏହି ଦୂର୍ଘଟଣାରେ ପ୍ରାୟ ୩ହଜାର ଲୋକ ମରିଥିଲେ ମଧ୍ୟ ବେସରକାରୀ ହିସାବ ଅନୁସାରେ ପ୍ରାୟ ୮ରୁ ୧୦ ହଜାର ଲୋକ ମୃତ୍ୟୁବରଣ କରିଥିଲେ ଓ ପ୍ରାୟ ସାଢେ ୫ ଲକ୍ଷରୁ ଅଧିକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷଭାରେ କ୍ଷତିଗ୍ରସ୍ତ ହୋଇଥିଲେ ।
ରିପୋର୍ଟ ଅନୁସାରେ ପ୍ରାୟ ୪୦ ଟନ ଅତି ବିଷାକ୍ତ ମିଥାଇଲ ଆଇସୋସିଆନାଇଡ୍ କ୍ଷରଣ ହୋଇଥିଲା । ନିଶ୍ୱାସ ଦେଇ ମଣିଷ ସଂସ୍ପର୍ଶରେ ଆସିବା ପରେ ଏହା ମାତ୍ର କିଛି ସେକେଣ୍ଡରେ ମୃତ୍ୟୁ ଘଟାଇ ଥାଏ । ଏହି ଦୂର୍ଘଟଣା ଘଟିବା ବର୍ଷ ଭୋପାଳର ଜନସଂଖ୍ୟା ଥିଲା ପ୍ରାୟ ୮.୫ ଲକ୍ଷ, ଏତେ ଲୋକଙ୍କ ପାଇଁ ଯଥେଷ୍ଟ ସଂଖ୍ୟକ ହସପିଟାଲ ନ ଥିଲା । ପରିସ୍ଥିତି ଏତେ ଖରାପ ଥିଲା ଯେ ଦୁଇଟି ହସ୍ପିଟାଲ ଦୁଇଦିନରେ ପ୍ରାୟ ୫୦ ହଜାର ଲୋକଙ୍କ ଚିକିତ୍ସା କରିଥିଲେ । ଅନେକ ଲୋକ ଚିକିତ୍ସା ଅଭାବରୁ ମରିଗଲେ, ବିକଳାଙ୍ଗ ହୋଇଗଲେ । ସେହି କଳାରାତିଠାରୁ ଆଜି ସୁଦ୍ଧା ଭୋପାଳ କାନ୍ଦୁଛି ।