ମୋଦିଙ୍କ ପରେପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ମାଓବାଦୀଙ୍କ ହତ୍ୟା ଧମକ ପୂର୍ଣ୍ଣ ଚିଠି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ଙ୍କୁ ହତ୍ୟା ଧମକପୂର୍ଣ୍ଣ ଚିଠି ଶୁକ୍ରବାର ମିଳିଛି। ମାଓବାଦୀଙ୍କ ଦୁଇଟି ଚିଠିକୁ ଫଡନାବିସଙ୍କ ପରିବାରବର୍ଗ ପାଇଥିଲେ। ଫଡନାବିସ୍‌ଙ୍କୁ ମିଳିଥିବା ଏହି ଚିଠିରେ ତାଙ୍କ ପରିବାରକୁ ଜୀବନରୁ ମାରିଦେବା ପାଇଁ ମାଓବାଦୀମାନେ ଧମକ ଦେଇଛନ୍ତି। ଏହି ଚିଠି ପାଇବା ପରେ ସୁରକ୍ଷାକର୍ମୀଙ୍କ ଚିନ୍ତାର କାରଣ ପାଲଟି ଯାଇଛି।

ସୂଚନାଯୋଗ୍ୟ, ଏହି ଦୁଇଟି ଚିଠିରେ ଏପ୍ରିଲରେ ହୋଇଥିବା ଗଡ଼ଚିରୋଲି ଏନ୍‌କାଉଣ୍ଟର ବିଷୟରେ ଉଲ୍ଲେଖ କରାଯାଇଛି। ଯେଉଁଥିରେ ଅନେକ ମାଓବାଦୀ ନିହତ ହୋଇଥିଲେ। ଫଳରେ ସଙ୍ଗଠନକୁ ବହୁ କ୍ଷତି ସହିବାକୁ ପଡ଼ିଥିଲା ବୋଲି ଲେଖା ଯାଇଛି। ଏହି ଚିଠି ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ଙ୍କ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଓବାଦୀମାନେ ହତ୍ୟା କରିବାକୁ ଯୋଜନା କରୁଛନ୍ତି ବୋଲି ଖବର ପ୍ରକାଶ ପାଇଛି। ପୁଣେ ପୁଲିସ ଗୁରୁବାର ମାଓବାଦୀଙ୍କର ଏକ ଚିଠିକୁ ଜବତ କରିଛି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଯେମିତି ଭାବେ ହତ୍ୟା କରାଯାଇଥିଲା ସେମିତି ଢ଼ଙ୍ଗରେ ମୋଦିଙ୍କୁ ହତ୍ୟା କରିବାକୁ ମାଓବାଦୀ ଯୋଜନା କରୁଥିବା କଥା ଜାଣିବାକୁ ପାଇଛି ପୁଲିସ। ଏହି ଚିଠିଟି ସେହି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣଙ୍କ ଘରୁ ଜବତ କରାଯାଇଛି ଯେଉଁମାନଙ୍କୁ ଭୀମା-କୋରେଗାଁଓ ହିଂସାକାଣ୍ଡରେ ପୁଲିସ ଗିରଫ କରିଥିଲା। ଏହି ପାଞ୍ଚଜଣ ହେଲେ ସୁରେନ୍ଦ୍ର ଗାଡ୍ଲିଂ, ସୁଧୀର ଧାୱାଲେ, ରୋନା ୱିଲସନ୍‌, ଶୋମା ସେନ୍‌ ଓ ମହେଶ ରାଉତ।

ସମ୍ବନ୍ଧିତ ଖବର