ବିବାଦରେ ସେନାଧ୍ୟକ୍ଷ ରାଓ୍ଵତ

ଏଆଇୟୁଡିଏଫ୍‌କୁ ନେଇ ରାଜନୈତିକ ମନ୍ତବ୍ୟରୁ ଝଡ଼, ସେନାର ସଫେଇ: ରାଓ୍ଵତ୍‌ କିଛି ଭୁଲ୍‌ କହିନାହାନ୍ତି

ନୂଆଦିଲ୍ଲୀ: ଭାରତର ପୂର୍ବୋତ୍ତର ରାଜ୍ୟରେ ମୁସ୍‌ଲିମ୍‌ମାନଙ୍କ ସମର୍ଥନରେ ରାଜନୈତିକ ଦଳର ଉତ୍‌ଥାନ ହୋଇଛି ବୋଲି ସେନାଧ୍ୟକ୍ଷ ବିପିନ୍‌ ରାଓ୍ଵତ ଦେଇଥିବା ମନ୍ତବ୍ୟକୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି। ସର୍ବ ଭାରତୀୟ ସଂଯୁକ୍ତ ଗାଣତନ୍ତ୍ରିକ ମଞ୍ଚ(ଏଆଇୟୁଡିଏଫ୍‌)ର ଶକ୍ତିବୃଦ୍ଧି ବାଂଲାଦେଶୀ ମୁସ୍‌୍‌ଲିମଙ୍କ ପାଇଁ ହୋଇଛି ବୋଲି ରାଓ୍ଵତ ଏକ କାର୍ଯ୍ୟକ୍ରମରେ କହିଥିଲେ ଏବଂ ବିଜେପିର ସାଂଗଠନିକ ଶକ୍ତି ସହିତ ଏହାକୁ ତୁଳନା କରିଥିଲେ। ତେବେ ଏହି ବୟାନରେ କୌଣସି ରାଜନୀତି କିମ୍ବା ଧର୍ମ ଜଡ଼ିତ ନାହିଁ ବୋଲି ଆଜି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେଠାରେ ଦେଖାଦେଇଥିବା ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ସେନାଧ୍ୟକ୍ଷ କେବଳ ଉଲ୍ଲେଖ କରିଥିଲେ ବୋଲି କୁହାଯାଇଛି। ରାଓ୍ଵତଙ୍କ ଏହି ବକ୍ତବ୍ୟରେ ଏଆଇୟୁଡିଏଫ୍‌ ଅଧ୍ୟକ୍ଷ ବଦ୍ରୁଦ୍ଦିନ ଆଜମଲ୍‌ ଆପତ୍ତି ଉଠାଇବା ପରେ ସେନା ପକ୍ଷରୁ ଏପରି ସଫେଇ ଦିଆଯାଇଛି। ଗତ ୨୧ ତାରିଖରେ ନୂଆଦିଲ୍ଲୀ ସ୍ଥିତ ଡିଆର୍‌ଡିଓ ଭବନରେ ପୂର୍ବୋତ୍ତର ରାଜ୍ୟ ସମ୍ପର୍କରେ ଆୟୋଜିତ ଏକ ଆଲୋଚନାଚକ୍ରରେ ରାଓ୍ଵତ୍‌ କହିଥିଲେ ଯେ ସେଠାରେ ଚୀନ୍‌ ସହାୟତାରେ ପାକିସ୍ତାନର ପ୍ରାୟୋଜିତ ଛଦ୍ମଯୁଦ୍ଧ ଯୋଗୁଁ ଅଶାନ୍ତିକର ପରିସ୍ଥିତି ଲାଗି ରହିଛି। ଯୋଜନାବଦ୍ଧ ଭାବେ ପ୍ରବାସୀ ବାଂଲାଦେଶୀଙ୍କ ଆଗମନ ହେତୁ ପରିସ୍ଥିତି ଦିନକୁ ଦିନ ସଂଗିନ ହେବାରେ ଲାଗିଛି। ବାଂଲାଦେଶୀ ମୁସଲମାନଙ୍କ ଏପରି ବେଆଇନ ଦେଶାନ୍ତରୀକରଣ ପଛରେ ଚୀନ୍‌ ଓ ପାକିସ୍ତାନର ହାତ ଅଛି ବୋଲି ସେ କହିଥିଲେ। ତେବେ ଆସାମରେ ଏପରି ମୁସ୍‌ଲିମ୍‌ ସମ୍ପ୍ରଦାୟର ବୃଦ୍ଧିକୁ ଉଲ୍ଲେଖ କରିବାକୁ ଯାଇ ରାଓ୍ଵତ୍‌ ରାଜନୈତିକ ଦଳ ଏଆଇୟୁଡିଏଫ୍‌ ଉପରେ ବିବାଦୀୟ ଟିପ୍ପଣୀ କରିଥିଲେ। ସେଠାରେ ଏହି ବାଂଲାଦେଶୀମାନଙ୍କ ବୃଦ୍ଧି ଯୋଗୁଁ ଅଶୀ ଦଶକରେ ବିଜେପି ଅପେକ୍ଷା ଏଆଇୟୁଡିଏଫ୍‌ ଯଥେଷ୍ଟ କାୟା ବିସ୍ତାର କରିଛି ବୋଲି ସେ ଉଲ୍ଲେଖ କରିଥିଲେ। ତେବେ ଏଥିରେ ଏଆଇୟୁଡିଏଫ୍‌ ମୁଖ୍ୟ ବଦ୍ରୁଦ୍ଦିନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ସେନାଧ୍ୟକ୍ଷ କାହିଁକି ରାଜନୈତିକ ଦଳର ବୃଦ୍ଧି ବିଷୟରେ ଚିନ୍ତିତ ବୋଲି ପ୍ରଶ୍ନ କରିଥିଲେ। ଦେଶର ସୁରକ୍ଷା ଦାୟିତ୍ୱରେ ଥାଇ ସେ ରାଜନୀତିରେ ମୁଣ୍ଡ ଖେଳାଇବା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ବଦ୍ରୁଦ୍ଦିନ୍‌ କହିିଛନ୍ତି। ସେହିପରି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ୍‌ ଅେଓ୍ଵସି ମଧ୍ୟ ରାଓ୍ଵତଙ୍କୁ କଡ଼ା ସମାଲୋଚନା କରିବା ସହ ରାଓ୍ଵତ ଏପରି ବିବୃତି ଦେବାରୁ ବିରତ ରହିବାକୁ ସେ ସତର୍କ କରାଇଦେଇଛନ୍ତି।

ସମ୍ବନ୍ଧିତ ଖବର