ଭାରତ ପାଖରେ ଏବେ କେଉଁ ଡ୍ରୋନ ରହିଛି, ଜାଣନ୍ତୁ

ନୂଆଦିଲ୍ଲୀ: ଆମେରିକା ନିଜର ଶକ୍ତିଶାଳୀ ଗାର୍ଡିଆନ ଡ୍ରୋନ ଭାରତକୁ ଦେବା ପାଇଁ ପ୍ରସ୍ତାବ ଦେଇଛି । ଏହାକୁ ପାଇଲେ ଭାରତର ଶକ୍ତି ବଢିଯିବ । କିନ୍ତୁ ଏହା ସତ ନୁହେଁ ଯେ ଭାରତ ପାଖରେ ପୂର୍ବରୁ କୌଣସି ଡ୍ରୋନ ନଥିଲା । ଭାରତ ପାଖରେ ପୂର୍ବରୁ କେତେକ ବିଦେଶୀ ଓ ସ୍ୱଦେଶୀ ନିର୍ମିତ ଡ୍ରୋନ ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି ହେଟ୍ରୋନ ଟିପି ଲଢୁଆ ଡ୍ରୋନ, ସ୍ୱଦେଶୀ ନିର୍ମିକ ନିଶାନ୍ତ, ନେତ୍ରା, ଲକ୍ଷ୍ୟ ଓ ରୁସ୍ତମ ।  ଏଗୁଡ଼ିକ ମଧ୍ୟରେ ଶକ୍ତିଶାଳୀ ହେଉଛି ଇସ୍ରାଏଲ ନିର୍ମିତ ହେଟ୍ରୋନ ଟିପି ଡ୍ରୋନ । ଏହା ଶତ୍ରୁ ଉପରେ ସତର୍କ ନଜର ରଖିବା ସହ ଆକ୍ରମଣ କରି ଧ୍ୱଂସ କରିପାରିବ । ଏହାଛଡା ଭାରତ ଆମେରିକାଠାରୁ ପ୍ରିଡେଟର ଡ୍ରୋନ ମଧ୍ୟ ପାଇବାକୁ କଥାବାର୍ତ୍ତା କରୁଛି । ସୂଚନାଯୋଗ୍ୟ ଯେ ଭାରତକୁ ଲଢୁଆ ଗାର୍ଡିଆନ ଡ୍ରୋନ ଦେବାକୁ ଆମେରିକା ପ୍ରସ୍ତାବ ଦେଇଛି । ପୂର୍ବରୁ କେବଳ ଗୁଇନ୍ଦା ଡ୍ରୋନ ଦେବାକୁ ଆମେରିକା କହୁଥିଲା । କିନ୍ତୁ ଏବେ ଭାରତକୁ ଆକୃଷ୍ଟ କରିବାକୁ ଆମେରିକା ଏହି ଅଫର ଦେଇଛି । ଗତ ଏପ୍ରିଲ ମାସରେ ଆମେରିକା ନିଜର ସାମରିକ ରପ୍ତାନି ନୀତିରେ ସଂଶୋଧନ କରି ଡ୍ରୋନ ରପ୍ତାନି ପାଇଁ ପଥ ପରିଷ୍କାର କରିଥିଲା । ଯଦି ଭାରତ ଏହି ଡ୍ରୋନ ପାଇବାରେ ସକ୍ଷମ ହୁଏ, ଏହା ପାଇବାରେ ବିଶ୍ୱର ପ୍ରଥମ ଅଣ-ନ୍ୟାଟୋ ଦେଶ ହେବ । ଏହି ଡ୍ରୋନ ହେଉଛି ବିଶ୍ୱର ସବୁଠୁ ଶକ୍ତିଶାଳୀ  ଲଢୁଆ ଡ୍ରୋନ । ଏଥିରୁ କ୍ଷେପଣାସ୍ତ୍ର  ଓ ବୋମା ଖଞ୍ଜି ଆକ୍ରମଣ କରିହେବ । ଏହି ଡ୍ରୋନ ପାଇଲେ ଭାରତର ଶକ୍ତି ବହୁଗୁଣିତ ହୋଇଯିବ ।

 

ସମ୍ବନ୍ଧିତ ଖବର