ମଧ୍ୟପ୍ରଦେଶ ପୁଲିସ ପରୀକ୍ଷା ବେଳେ ବିବାଦ: ପ୍ରାର୍ଥୀଙ୍କ ଛାତିରେ ଜାତିଗତ ମୋହର

ଭୋପାଳ,:  ମଧ୍ୟପ୍ରଦେଶ ପୁଲିସର କନେଷ୍ଟବଳ ପଦବି ପାଇଁ ଧର୍‌ ଜିଲ୍ଲାରେ ପରୀକ୍ଷା ଚାଲିଥିବା ବେଳେ ପ୍ରାର୍ଥୀଙ୍କ ଛାତିରେ ଜାତିଗତ ମୋହରକୁ ନେଇ ବିବାଦ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ପ୍ରାର୍ଥୀଙ୍କ ଛାତିରେ ଏସ୍‌ସି/ଏସ୍‌ଟି ମୋହର ମରାଯାଇଥିଲା। ତେବେ ପ୍ରାର୍ଥୀଙ୍କ ଛାତିରେ ଏଭଳି ଜାତିଗତ ମୋହର ଏକ ଅପରାଧିକ କାର୍ଯ୍ୟ ଓ ସମ୍ବିଧାନର ଉଲ୍ଲଂଘନ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। ସେପଟେ ବିଜେପି ନେତା ଓ କର୍ମଚାରୀମାନେ ସମ୍ବିଧାନ ଉପରେ ଆକ୍ରମଣ କରିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ବିଜେପିର ଏହି ସାମ୍ପ୍ରଦାୟିକ ଚିନ୍ତାଧାରା ସାରା ଦେଶର ଛାତିରେ ଛୁରାମାଡ଼ ସଦୃଶ ବୋଲି ରାହୁଲ ଟ୍ଵିଟ କରିଛନ୍ତି।

ରାଜନୈତିକ ଫାଇଦା ହାତେଇବା ପାଇଁ ଗେରୁଆ ଦଳର ଏହା ନୂଆ ଦଳିତ ପ୍ରେମ ବୋଲି ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷା ତଥା ଦଳିତ ନେତ୍ରୀ ମାୟାବତୀ କଟାକ୍ଷ କରିଛନ୍ତି। ତେବେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ନେତା କିଭଳି ନିରବ ରହିଛନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଏଭଳି ଘୃଣ୍ୟକାର୍ଯ୍ୟ କରିଥିବା ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ସହ ଦେଶରେ ଏଭଳି ଘଟଣାର ପୁନରାବୃତ୍ତି ନଘଟୁ ବୋଲି ମାୟାବତୀ ଦାବି କରିଛନ୍ତି। ଏହି ଘଟଣା ଦଳିତ ସମ୍ପ୍ରଦାୟଙ୍କ ପାଇଁ ଅପମାନ ବୋଲି କହିବା ସହ ସରକାର ଏନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସ୍ଥାନୀୟ ଦଳିତ ନେତାମନେ ମଧ୍ୟ ଦାବି କରିଛନ୍ତି। ଏହି ଘଟଣାରେ କୌଣସି ବରିଷ୍ଠ କର୍ତ୍ତୃପକ୍ଷଙ୍କ ହାତ ନଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଧର୍‌ ଏସ୍‌ପି ବୀରେନ୍ଦ୍ର ଗୁପ୍ତା କହିଛନ୍ତି।
ମିଳିଥିବା ଖବର ମୁତାବକ, କନେଷ୍ଟବଳ ପରୀକ୍ଷାରେ ପ୍ରାର୍ଥୀଙ୍କ ସ୍ୱାସ୍ଥ୍ୟପରୀକ୍ଷା ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା। ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ଉଚ୍ଚତା ଓ ଓଜନ ନିର୍ଦ୍ଧାରଣ ସୀମା ଭିନ୍ନ ଭିନ୍ନ ରହୁଥିବାରୁ ଏଥିରେ ସୁବିଧା ପାଇଁ ଏସ୍‌ସି/ଏସଟି ବର୍ଗର ପ୍ରାର୍ଥୀଙ୍କ ଛାତିରେ ସେମାନଙ୍କର ବର୍ଗ ଲେଖି ଦିଆଯାଇଥିଲା।

ସମ୍ବନ୍ଧିତ ଖବର