୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିଲା : ନଓ୍ଵାଜ ସରିଫ

ଇସ୍ଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ ଏକ ବଡ଼ ଖୁଲାସା କରିଛନ୍ତି। ସେ  ସ୍ୱୀକାର କରିଛନ୍ତି ଯେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିଲା ।

ପାକିସ୍ତାନୀ ଖବରକାଗଜ ଡନକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ସଂଖ୍ୟା ବଢିଚାଲିଛି । ଏହି ସଂଗଠନଗୁଡ଼ିକ ହିଁ ମୁମ୍ବାଇ ଆକ୍ରମଣ ପାଇଁ ଦାୟୀ । “ ଆମ ଦେଶରେ ଥିବା ଆତଙ୍କବାଦୀ ସଂଗଠନକୁ ମୁମ୍ବାଇ ଯାଇ ୧୫୦ ଜଣ ଲୋକଙ୍କୁ ହତ୍ୟା କରିବାକୁ ଆମେ ଅନୁମତି ଦେବା ଉଚିତ ଥିଲା କି ?”

ରାଓ୍ଵଲପିଣ୍ଡିର ଆତଙ୍କବାଦୀ ନିରୋଧୀ କୋର୍ଟରେ ମୁମ୍ବାଇ ଆକ୍ରମଣର ମାମଲାକୁ ସ୍ଥଗିତ ରଖାଯିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଆମେ କାହିଁକି ଏହି ମାମଲାକୁ ସଂପୂର୍ଣ୍ଣ କରି ଦୋଷୀକୁ ଦଣ୍ଡ ଦେଉ ନାହିୁଁ । ଏ ନେଇ ଚୀନ ଓ ଋଷ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ସୂଚନାଯୋଗ୍ୟ ଯେ ଦୁର୍ନୀତି ଅଭିଯୋଗରେ ପାକିସ୍ତାନର ସୁପ୍ରିମକୋର୍ଟ ନଓ୍ଵାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ସହ ଆଉ ନିର୍ବାଚନ ଲଢିବା ଉପରେ ନିଷେଧାଜ୍ଞା ଜାରି କରିଛନ୍ତି । ତେବେ ପୁଣି ଥରେ ନିର୍ବାଚନ ଲଢିବାକୁ ସେ କୋର୍ଟରେ ନିଜର ଆଇନଗତ ଲଢେଇ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର