ବାରଣାସୀ ଜେଲ୍‌ରୁ ପାକ୍‌ କଏଦୀ ମୁକ୍ତ

ବାରଣାସୀ: ଗୁପ୍ତଚର ଅଭି‌ଯୋଗରେ ଗିରଫ ହୋଇ ଜେଲ ଦଣ୍ଡ ଭୋଗିଥିବା ପାକ୍‌ କଏଦୀ ଜଲାଲୁଦ୍ଦିନ୍‌ ଆଜି ବାରଣାସୀ ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ୧୬ ବର୍ଷ ଧରି ଜେଲରେ ବନ୍ଦୀ ଜୀବନ କାଟିବା ପରେ ତାଙ୍କୁ ଶେଷରେ ମୁକ୍ତ କରାଯାଇ ସ୍ବଦେଶ ଯିବାକୁ ଅନୁମତି ଦିଆଯାଇଛି। ରବିବାର ତାଙ୍କୁ ପାକିସ୍ତାନ ପଠାଇବା ପାଇଁ ବନ୍ଦୋବସ୍ତ କରାଯାଉଥିବା ବେଳେ ସେ ସାଙ୍ଗରେ ଶ୍ରୀମଦ୍ଭଗବତ ଗୀତା ନେଇଯିବାକୁ ଅନୁମତି ମାଗିଥିଲେ। ‌ଜେଲ ଅଧିକାରୀ ତାଙ୍କ ଇଚ୍ଛା ପୂରଣ କରିଥିଲେ। ଦିଲ୍ଲୀରୁ ଆସିଥିବା ସ୍ବତନ୍ତ୍ର ଟିମ୍‌ ସହିତ ଜଲାଲୁଦ୍ଦିନ୍‌ ଗୀତା ଧରି ବାରଣାସୀରୁ ଅମୃତସର ଅଭିମୁଖେ ବାହାରିଥିଲେ। ସୋମବାର ତାଙ୍କୁ ୱାଘା ସୀମାରେ ଛାଡ଼ିଦିଆଯିବ। ପାକିସ୍ତାନରେ ମାଟ୍ରିକ୍‌ ପର୍ଯ୍ୟନ୍ତ ପଢ଼ିଥିବା ଜଲାଲୁଦ୍ଦିନ୍‌ ବାରଣାସୀ ଜେଲରେ ଇଣ୍ଟରମିଡିଏଟ୍‌, ସ୍ନାତକ ଓ ସ୍ନାତକୋତ୍ତର ହାସଲ କରିଛନ୍ତି। ଇଲେକ୍‌ଟ୍ରିସିଆନ୍‌ କୋର୍ସ ମଧ୍ୟ ଶେଷ କରିଛନ୍ତି। ଜଲାଲୁଦ୍ଦିନ୍‌ ଗୃହ ମନ୍ତ୍ରାଳୟକୁ ଚିଠି ଲେଖି ଭାରତ-ପାକିସ୍ତାନ ଏକାଠି ହେବା ପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର