ବ୍ୟାଙ୍କ ସିସିଟିଭି ଫୁଟେଜ୍‌ରୁ କିଛି ମିଳିଲାନି

ଏମ୍‌ସ ଛାତ୍ର ନିଖୋଜ ମାମଲା

ଖଣ୍ଡଗିରି: ଭୁବନେଶ୍ୱର ଏମ୍‌ସର ନିଖୋଜ ଛାତ୍ର ସୋହେଲ୍‌ର ପତ୍ତା ମିଳିବା ନେଇ ଯେଉଁ ଦିଗଟି ପୁଲିସକୁ ଅଧିକ ଭରସା ଦେଇଥିଲା, ତାହା ଶେଷରେ ଫେଲ୍‌ ମାରିଛି। ଜମ୍ମୁକଶ୍ମୀର(ଜେକେ) ବ୍ୟାଙ୍କ୍‌ର ସିସିଟିଭି ଫୁଟେଜ୍‌ ଯାଞ୍ଚରୁ କିଛି ବି ସୁରାକ୍‌ ମିଳିପାରିନାହିଁ। ଗୋଟିଏ ସପ୍ତାହର ଫୁଟେଜ୍‌ ଯାଞ୍ଚ କରାଯାଇଥିଲେ ବି ସୋହେଲ୍‌ ସେହି ବ୍ୟାଙ୍କକୁ କିମ୍ବା ସେହି ବ୍ୟାଙ୍କ୍‌ର ଏଟିଏମ୍‌କୁ ଯାଇଥିବା ଦେଖିବାକୁ ମିଳିଲା ନାହିଁ। ତେଣୁ ପୂର୍ବରୁ ମିଳିଥିବା କେତୋଟି ଖବର ଭଳି ଏଇଟି ମଧ୍ୟ ଏକ ଉଡ଼ା ଖବର ବୋଲି ସ୍ପଷ୍ଟ ହୋଇଛି। ତେଣୁ ୫ ଦିନ କାଳ ଦିଲ୍ଲୀରେ ଡେରା ପକାଇ ସୋହେଲ୍‌କୁ ଖୋଜୁଥିବା କମିସନରେଟ୍‌ ପୁଲିସ ଟିମ୍‌ ହତାଶ ହୋଇପଡ଼ିଛି।

ସୂଚନାନୁସାରେ ଆଜି ଦିନତମାମ୍‌ ପୁଲିସ ଟିମ୍‌ ଗୁର୍‌ଗାଓଁ ସେକ୍ଟର-୪୪ ପୁଲିସ ସହଯୋଗରେ ଜମ୍ମୁକଶ୍ମୀର ବ୍ୟାଙ୍କ୍‌ର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ଗୋଟିଏ ସପ୍ତାହର ଫୁଟେଜ୍‌ ତନ୍ନ ତନ୍ନ କରି ଖୋଜିଥିଲା ପୁଲିସ ଟିମ୍‌। ଏହି ସମୟରେ ପୁଲିସ ଟିମ୍‌ ନିକଟରେ ସୋହେଲ୍‌ର ବାପା ଏଜାଜ୍‌ ଓ ଭାଇ ମୁଶାରଫ୍‌ ବି ଉପସ୍ଥିତ ଥିଲେ। ମାତ୍ର ସେଥିରୁ କିଛି ସୁଫଳ ମିଳିନଥିଲା। ସେହିଭଳି ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ସୋହେଲ୍‌ଙ୍କ ଫଟୋକୁ ଦେଖିଥିଲେ ଓ ସେଭଳି ଯୁବକଙ୍କୁ ବ୍ୟାଙ୍କ୍‌କୁ ଆସିଥିବା ବାବଦରେ ବି କିଛି କହି ପାରିନଥିଲେ। ବ୍ୟାଙ୍କ ମ୍ୟାନେଜର ମଧ୍ୟ ବିଭିନ୍ନ ଆକାଉଣ୍ଟ ଯାଞ୍ଚ କରିଥିଲେ ଓ ସୋହେଲ୍‌ଙ୍କ ଆଧାର ନମ୍ବର ଥାଇ ତାଙ୍କ ନାମରେ ବା ଫଟୋ ଥାଇ ଭିନ୍ନ ନାମରେ ଆକାଉଣ୍ଟ ଥିବା ପାଇନଥିଲେ। ଏଟିଏମ୍‌ର ସିକ୍ୟୁରିଟି ଗାର୍ଡ଼ ମଧ୍ୟ ସୋହେଲ୍‌ ଭଳି ଯୁବକ କେବେ ବି ସେଠାକୁ ଯାଇଥିବା ନେଇ ମନେ ପକାଇ ପାରିନଥିଲେ। ତେଣୁ ଜମ୍ମୁକଶ୍ମୀର ବ୍ୟାଙ୍କ୍‌ ଲିଙ୍କ୍‌ ନେଇ ସନ୍ଦେହ ଉପୁଜିଥିଲା, ତାହା ଆପାତତଃ ଦୂର ହୋଇଯାଇଛି ବୋଲି କୁହାଯାଉଛି। ତେବେ ପୁଲିସ ସୂଚନାନୁସାରେ ଯାଞ୍ଚ ପ୍ରକ୍ରିୟା ବଡ଼ ଜଟିଳ ହୋଇଥିବାରୁ ଏବେ କିଛି ସ୍ପଷ୍ଟଭାବେ କହିବା ଠିକ୍‌ ହେବ ନାହିଁ। ତେଣୁ ପୁଲିସ ପୁଣି ସେହି ସନ୍ଦେହକୁ ନେଇ ଯାଞ୍ଚ କରିବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ସୋହେଲ୍‌ ଭଳି ଜଣେ ଯୁବକକୁ ଜମ୍ମୁକଶ୍ମୀର ବ୍ୟାଙ୍କ ଏଟିଏମ୍‌ ନିକଟରେ ଜଣେ ଦେଖିଥିବା ନେଇ ତାଙ୍କ ବାପା ଏଜାଜ୍‌ଙ୍କ ନିକଟକୁ ଫୋନ୍‌ କଲ୍‌ ଆସିଥିଲା। ତେଣୁ ସେହି ସୂଚନା ଆଧାରରେ ପୁଲିସ ଆଜି ଯାଞ୍ଚ କରିଥିଲା। ତେଣୁ ଆଗକୁ ଦିଲ୍ଲୀରେ ପୁଲିସ କେଉଁ ଦିଗକୁ ନେଇ ତଦନ୍ତ ଜାରି ରଖିବ ଜଣାପଡ଼ିନାହିଁ। ଗୁର୍‌ଗାଓଁ ପରେ ପୁଲିସ ନୋଏଡା ଅଞ୍ଚଳକୁ ଯିବ ବୋଲି ସୂଚନା ମିଳିଛି। ଗତ ୯ ତାରିଖରୁ ଦିଲ୍ଲୀ ଯାଇଥିବା ଖଣ୍ଡଗିରି ଥାନାର ଏକ ୩ ଜଣିଆ ଟିମ୍‌ ପ୍ରଥମେ ହୁଡା ସିଟି ସେଣ୍ଟର ଅଞ୍ଚଳରେ ଖୋଜାଖୋଜି କରି ବିଫଳ ହୋଇଥିଲେ।

ସମ୍ବନ୍ଧିତ ଖବର