ବର୍ଷାରେ ବିଷମ ସାପ : ସାପଙ୍କୁ ସାବଧାନ

0 31

ଭୁବନେଶ୍ୱର : ସାପକୁ ନେଇ ଏବେ ସବୁଆଡ଼େ ଛନକା। ଭଦ୍ରକଠୁ ନେଇ ପିପିଲି, ଜଗତସିଂପୁର, ହରିଚନ୍ଦନପୁର ପରେ କେନ୍ଦ୍ରାପଡ଼ାରେ ସାପ ଅଣ୍ଡା ବାହାରିବା ପରେ ‘ସାପ’ ଏବେ ମୁଖ୍ୟ ଶିରୋନାମା ହୋଇଛି। ଏଣେ ବର୍ଷା ବି ଆସିଛି। ସାପଙ୍କ ମିଳନ ଏବଂ ଅଣ୍ଡାଦେବା ପରେ ବର୍ତମାନ ଛୁଆ ଫୁଟିବା ସମୟ। ତେଣୁ ସାପକୁ ନେଇ ଆତଙ୍କିତ ହେବା ଅପେକ୍ଷା ସତର୍କତା ଜରୁରୀ। ଭଦ୍ରକରେ ଗୋଟିଏ ସ୍ଥାନରୁ ୧୦୦ରୁ ଊର୍ଧ୍ୱ ନାଗ ସାପ ଛୁଆ ବାହାରିବା ପରେ ମନ ଆତଙ୍କିତ ହୋଇଛି। ମାତ୍ର ଏହା ବି ଜାଣିବା ଉଚିତ୍‌ ଯେ, ଗୋଟେ ନାଗୁଣୀ ଏକକାଳୀନ ୩୦ଟି ଅଣ୍ଡା ଦେଇପାରେ। ଛୁଆ ଫୁଟିବା ପାଇଁ ୪୫ରୁ ୬୦ ଦିନ ଲାଗେ। ତେଣୁ ନାଗୁଣୀ ତା’ର ଅଣ୍ଡାଗୁଡ଼ିକୁ ଜଗି ରୁହେ। ଏମିତି ବି ବର୍ଷା ଆସିଲେ ସାପଙ୍କର ଦୌରାତ୍ମ୍ୟ ନେଇ ଛାତିରେ ଛନକା ପଶିଯାଏ। ସାପ ରହୁଥିବା ଗାତରେ ପାଣି ପଶିଯିବା ପରେ ସେମାନେ ଜନବସତିକୁ ଚାଲି ଆସନ୍ତି। ତେଣୁ ଅନ୍ୟ ଦିନ ଅପେକ୍ଷା ବର୍ଷା ଦିନେ ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଯାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ମୁତାବକ ଭାରତରେ ପ୍ରତି ବର୍ଷ ପାଖାପାଖି ୫୦ ହଜାର ଲୋକଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଥାଏ। କୋହଳ ମନୋଭାବ ଓ ସଚେତନତା ଅବଲମ୍ବନ କରୁ ନଥିବାରୁ ଅନେକଙ୍କ ଜୀବନ ଅକାଳରେ ଚାଲିଯାଏ। ତେବେ ସାପକୁ ନେଇ ଆତଙ୍କ ସୃଷ୍ଟି କରା ନଯାଇ ସାପ ଧରୁଥିବା ସଦସ୍ୟମାନଙ୍କ ସହାୟତାରେ ସେମାନଙ୍କୁ ଧରି ଜଙ୍ଗଲରେ ଛାଡ଼ି ଦେବା ଉଚିତ୍‌ ବୋଲି ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି।

ଗାଡ଼ି ଚଲାଇବା ପୂର୍ବରୁ ସାବଧାନ
କିଛିଦିନ ହେବ ବାଇକ୍‌ରେ ସାପ ପଶିଯାଉଥିବା ଦେଖିବାକୁ ମିଳିଛି। ବିଶେଷତଃ ଗଛ ତଳେ ବାଇକ୍‌ ରହିଲେ ସାପ ପଶିବାର ଆଶଙ୍କା ଥିବା ବେଳେ ବର୍ଷା ଯୋଗୁଁ ପାଣିରେ ରହୁଥିବା ବାଇକ୍‌ରେ ଭାସି ଆସୁଥିବା ସାପମାନେ ଗୁଡ଼େଇ ହୋଇ ରହିଯାଆନ୍ତି। ପୁଣି ଗ୍ୟାରେଜ୍‌ ଘରେ ରହୁଥିବା ସ୍କୁଟି ଡିକିରେ ଫାଙ୍କ ଥିବାରୁ ସାପମାନେ ରହିଯିବାର ଆଶଙ୍କା ରହିଛି। ତେଣୁ ଗାଡ଼ି ଚଳାଇବା ପୂର୍ବରୁ ଗାଡ଼ିକୁ ବାଡ଼େଇ ଭଲଭାବେ ନିରୀକ୍ଷଣ କରି ଗାଡ଼ି ଚଳାଇବା ଉଚିତ୍‌। ଗାଡ଼ି ରଖୁଥିବା ଗ୍ୟାରେଜ ଘରକୁ ବି ଫିନାଇଲ୍‌ରେ ପରିସ୍କାର ରଖୁଥିବା ଆବଶ୍ୟକ।

ସାପ କାମୁଡ଼ିଲେ କ’ଣ କରିବା
ଭାରତ ସରକାରଙ୍କ ପ୍ରୋଟୋକଲ୍‌ ଅନୁଯାୟୀ ସାପ କାମୁଡ଼ିଲେ ତୁରନ୍ତ ବ୍ୟକ୍ତିଜଣଙ୍କ ପିନ୍ଧିଥିବା ଚୁଡ଼ି, ଘଣ୍ଟା, ମୁଦି ଖୋଲି ଦେବା ଦରକାର। କାମୁଡ଼ାର କ୍ଷତ ସ୍ଥାନ ଉପରକୁ ଏକ ଲମ୍ବା କପଡ଼ାରେ ହାଲୁକା ଟାଇଟ୍‌ କରି ଗୁଡ଼ାଇ ବାନ୍ଧି ଦେବା ଉଚିତ୍‌। ସାପ କାମୁଡ଼ିଥିବା ଅବସ୍ଥାରେ ତାକୁ ଚିହ୍ନି ଆଣ୍ଟି ଭେନମ୍‌ ଉପଲବ୍ଧ ସ୍ଥାନକୁ ତୁରନ୍ତ ନେବା ଉଚିତ୍‌। ସାପ କାମୁଡ଼ା ଏକ ମେଡିକୋ ଲିଗାଲ୍‌ କେସ୍‌ ହୋଇଥିବାରୁ ଏ ସମ୍ବନ୍ଧରେ ପୁଲିସ୍‌କୁ ମଧ୍ୟ ଖବର ଦେବା ଆବଶ୍ୟକ।

ସ୍କୁଲ୍‌ ପରିସରରେ ସତର୍କତା ଜରୁରୀ
ଅନେକ ସ୍କୁଲ୍‌ ପରିସର ମଧ୍ୟରେ ପାଇଖାନା ଓ ପରିଶ୍ରାଗାର ଶ୍ରେଣୀଗୃହଠାରୁ ଦୂରରେ ଥିବାରୁ ତା’ର ଚାରିପଟ ଅନାବନା ଘାସ ମାଡ଼ି ଯାଇଥାଏ। ତେଣୁ ପିଲାମାନେ ଏହି ବାଟ ଦେଇ ଯାତାୟାତ କରିବା ବିପଦ। ପାଇଖାନା ଓ ପରିଶ୍ରାଗାରକୁ ଫିନାଇଲ୍‌ କିମ୍ବା ବ୍ଲିଚିଂରେ ପ୍ରତିଦିନ ପରିସ୍କାର କରା ନଯାଏ ସାପ ପାଇଖାନା ମଧ୍ୟରେ ବି ରହିଯିବାର ସମ୍ଭାବନା ରହିଛି। ତେଣୁ ଏହାର ପାର୍ଶ୍ୱବର୍ତୀ ଅଞ୍ଚଳକୁ ସଫା ରଖିବା ସହ ଫିନାଇଲ୍‌ରେ ପ୍ରତିଦିନ ପରିସ୍କାର କଲେ କଡ଼ା ଗନ୍ଧରେ ସାପ ପ୍ରବେଶ କରିପାରିବେ ନାହିଁ। ଯେଉଁ ସ୍କୁଲ୍‌ରେ ପାଚେରି ନଥାଏ ତାକୁ ଜାଲରେ ଆବଦ୍ଧ କରି ରଖିବା ଉଚିତ୍‌।

ଚାଳଘରକୁ ସାବଧାନ
ଚାଳ ଓ ଆଟୁ ଘରେ ରହୁଥିବା ଲୋକଙ୍କ ପାଇଁ ସାପ କାମୁଡ଼ାର ଭୟ ବେଶି ଥାଏ। ବିଶେଷତଃ ସାପମାନେ ଚାଳ ଛପର ତଳେ ବାଉଁଶରେ ମୂଷାଙ୍କୁ ଅନୁକରଣ କରି ଗୋଡ଼ାଉଥିବାରୁ ଘର ଚଟାଣରେ ରାତି ଅଧରେ ଖସି ପଡ଼ନ୍ତି। ସେଥିପାଇଁ ଖଟ ଉପରେ ଶୋଇବା ସହ ମଶାରି ବ୍ୟବହାର କରିବା ଦରକାର ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣ୍ଟି ଭେନମ୍‌ ରହୁ
ଉପାନ୍ତ ଅଞ୍ଚଳ ଓ ଗ୍ରାମାଞ୍ଚଳଠାରୁ ସହରର ମୁଖ୍ୟ ଚିକିତ୍ସାଳୟ ଦୂରରେ ଥିବାରୁ ସାପ କାମୁଡ଼ାରୁ ବର୍ତିବା ଦୁରୁହ ବ୍ୟାପାର। ମଣିଷଙ୍କ ପାଇଁ ଆଣ୍ଟି ଭେନମ୍‌ ଥିଲେ ହେଁ ଗାଈ ଓ କୁକୁର ଭଳି ଅନେକ ଜନ୍ତୁ ବି ସାପ କାମୁଡ଼ାରେ ମରିଯାଉଥିବାରୁ ତାଙ୍କ ପାଇଁ ମଧ୍ୟ ମାଗଣା ଆଣ୍ଟି ଭେନମ୍‌ ଯୋଗାଇ ଦେବା ଉଚିତ୍‌ ବୋଲି ଶୁଭେନ୍ଦୁ ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.