ଆଜି ଭୁବନେଶ୍ବର ବାର୍‌ ବନ୍ଦ

ଭୁବନେଶ୍ୱର :ଭୁବନେଶ୍ବର ବିଭିନ୍ନ କୋର୍ଟରେ ପଡ଼ି ରହିଛି ୧ ଲକ୍ଷ ୨୦ ହଜାରରୁ ଊର୍ଦ୍ଧ୍ବ ମାମଲା। ଏଣେ ଏଠାରେ କାର୍ଯ୍ୟରତ ବିଚାରପତିଙ୍କୁ ସର୍କିଟ୍‌ କୋର୍ଟ ଜରିଆରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଏହାକୁ ନେଇ ଆଇନଜୀବୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରୁ ଭୁବନେଶ୍ବର ଓକିଲ ସଂଘ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି। ମଙ୍ଗଳବାର ଗୋଟିଏ ଦିନ ପାଇଁ କାର୍ଯ୍ୟବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ସମ୍ପାଦକ ଅଞ୍ଜନ କୁମାର ସାମନ୍ତରାୟ ସୂଚନା ଦେଇଛନ୍ତି। ଆଜି ସଂଘ ପରିସରରେ ସଭାପତି ଦୁର୍ଗାମାଧବ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ ଜଣାଇଛନ୍ତି। ଏହା ସହିତ ଅନ୍ୟ କେତେକ ପ୍ରସଙ୍ଗରେ ମଧ୍ୟ ସଂଘ ଉଦ୍‌ବେଗ ପ୍ରକାଶ କରିଛି। ଜୁଡିସିଆଲ କମ୍ପ୍ଲେକ୍ସ କାମ ଆରମ୍ଭ ନ ହେବା, ସ୍ଥାୟୀ ଜିଲ୍ଲା ଜଜ୍‌ ପଦବି ପୂରଣ ନ ହେବା, ଓକିଲ ସଂଘକୁ ସୂଚନା ନ ଦେଇ ଭିଜିଲାନ୍ସ କୋର୍ଟ ପୁରୀକୁ ସ୍ଥାନାନ୍ତର କରିବା ଓ କୋର୍ଟ ତାରିଖ ଧାର୍ଯ୍ୟ କରିବା, ପୋକ୍ସୋ କୋର୍ଟ ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ନ ହେବା, ବାଳ ଅପରାଧ ଅଦାଲତ ପୂର୍ଣ୍ଣାଙ୍ଗ ଭାବେ ନ ଖୋଲିବା, ୯୦ ପ୍ରତିଶତ ମାମଲା ଭୁବନେଶ୍ବରର ହୋଇଥିଲେ ମଧ୍ୟ ଅର୍ଥନୈଅତିକ ଅପରାଧ ଅଦାଲତ ଭୁବନେଶ୍ବରରେ ନ ଖୋଲିବା, ୬ ହଜାର ସଦସ୍ୟ ବିଶିଷ୍ଟ ଓକିଲ ସଂଘ ଓ ଜନସାଧାରଣଙ୍କ ଦାବି ସତ୍ବେ ଭୁବନେଶ୍ବରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ନ ମିଳିବା ଉପରେ ସଂଘ ଅସନ୍ତୋଷ ପ୍ରକାଶ କରିଛି। ବୈଠକରେ ସଭାପତି ଓ ସମ୍ପାଦକଙ୍କ ସମେତ ଉପସଭାପତି ଅଶୋକ କୁମାର ବେହେରା, ଯୁଗ୍ମ ସମ୍ପାଦକ ଅତୁଲ୍ୟ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଦେବୀ ମିଶ୍ର, ସହ ସମ୍ପାଦକ ଭାଗ୍ୟବତୀ ରାଉତରାୟ, ଦୀପ୍ତି ପ୍ରସାଦ ନନ୍ଦ, ବିଶ୍ବେନ୍ଦୁ ନାୟକ, ଦୁର୍ଗାଚରଣ ଦାସ, ସନ୍ଧ୍ୟାରାଣୀ ସ୍ବାଇଁ, ସ୍ବାଗତିକା ରଥ ପ୍ରମୁଖ ସମସ୍ତ ସଦସ୍ୟ ଉପସ୍ଥିତ ଥି‌ଲେ।

ସମ୍ବନ୍ଧିତ ଖବର